ବଲାଙ୍ଗୀରରେ ବିଜେପି ଉଡାଇପାରେ ଗେରୁଆ ବାନା? ସମ୍ବାଦ-କନକ ନ୍ୟୁଜର ଏକଜିଟ୍ ପୋଲ୍, ଦିଅର କଳିକେଶଙ୍କୁ ମାତ୍ ଦେଇ ଜିତି ପାରନ୍ତି ଭାଉଜ ସଙ୍ଗୀତା ।

204

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ସମ୍ମାନଜନକ ଆସନ ବଲାଙ୍ଗୀରରେ ଏଥର ଭିନ୍ନ ଫଳାଫଳ ଦେଖିବାକୁ ମିଳିପାରେ । ରାଜପରିବାରର ଦବଦବା ରହି ଆସିଥିବା ବଲାଙ୍ଗୀର ଲୋକସଭା ଆସନରେ ଏଥର ବିଜେପି ବାଜିମାତ୍ କରିପାରେ ବୋଲି ବୁଥ୍ ବାହୁଡା ମତ ସଂକେତ ଦେଉଛି । ବଲାଙ୍ଗୀରରେ ଭାଉଜ ଜିତିପାରନ୍ତି ଓ ଦିଅର ହାରିପାରନ୍ତି ବୋଲି ସଂକେତ ଦେଇଛି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍  । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ରଖିଥିବା ବିଜେଡିକୁ ବଲାଙ୍ଗୀରରେ ଲାଗିପାରେ ବଡ ଝଟକା । ସେହିଭଳି ବିଜୟ ସୂଚକ ଚୌକା ମାରିପାରନ୍ତି ବିଜେପିର ସଙ୍ଗୀତା ସିଂହଦେଓ । ବଲାଙ୍ଗୀର ଲୋକସଭା ଅଧୀନରେ ଆସୁଥିବା ବିଧାନସଭା ଆସନ ଗୁଡିକରେ ମଧ୍ୟ ଚିତ୍ର ବଦଳିପାରେ ବୋଲି ଏକଜିଟ୍ ପୋଲ୍ ସଂକେତ ଦେଇଛି ।

ବଲାଙ୍ଗୀର ଲୋକସଭା ଅଧୀନରେ ଥିବା ୭ ବିଧାନସଭା ଆସନ ମଧ୍ୟରୁ ୪ଟିରେ ବିଜେଡି ବାଜିମାତ୍ କରିବାର ସମ୍ଭାବନା ରହିଥିବା ବେଳେ ବିଜେପି ଗୋଟିଏ ଆସନରେ ଉଡାଇବ ବିଜୟ ଧ୍ୱଜା । ସେହିଭଳି ୨୦୧୪ରେ ବିଜେଡି ଦଖଲରେ ଥିବା ଅନ୍ୟ ଦୁଇଟି ଆସନରେ କ୍ଲୋଜ୍ ଫାଇଟ ଦେଖିବାକୁ ମିଳିପାରେ । ଯାହା ବିଜେଡି ଶିବିରକୁ ନିରାଶ  କରିବ ନିଶ୍ଚୟ ।

ଏହି ବୁଥ୍ ବାହୁଡା ମତ ବିଜେପି ଓ କଂଗ୍ରେସକୁ ବଡ ଝଟକା ଦେଇପାରେ । କାରଣ ଦୁଇ ହାଇଭୋଲଟେଜ ଆସନ ପାଟଣାଗଡ ଓ ବଲାଙ୍ଗୀରରେ ପୂର୍ବ ନିର୍ବାଚନର ଫଳାଫଳ ବଦଳିପାରେ ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି । ପାଟଣାଗଡରେ ବିଜେପିର ହେଭିୱେଟ କନକ ବର୍ଦ୍ଧନ ସିଂହଦେଓଙ୍କୁ ମାତ୍ ଦେଇ ବିଜେଡିର ସରୋଜ ମେହେର ବାଜି ମାରିପାରନ୍ତି । ସେହିଭଳି ବଲାଙ୍ଗୀରରେ ଅଭିଜ୍ଞ ନରସିଂହ ମିଶ୍ରଙ୍କୁ ମଧ୍ୟ ବଡ ଝଟକା ଲାଗିପାରେ । ବଲାଙ୍ଗୀରରେ ବିଜେଡି ପ୍ରାର୍ଥୀ ଅର୍କେଶ ବିଜୟ ବାନା ଉଡାଇ ପାରନ୍ତି ବୋଲି ଏକଜିଟ୍ ପୋଲରେ ସାମ୍ନାକୁ ଆସିଛି ।

ତେବେ ୨୦୧୪ରେ ବିଜେଡି ଦଖଲରେ ଥିବା ଟିଟିଲାଗଡ ଓ ବୀରମହାରାଜପୁରରେ କଡା ଟକ୍କର ଦେଖିବାକୁ ମିଳିପାରେ । ବିଜେଡି ଦଖଲରେ ଥିବା ଲୋଇସିଂହାରେ ବିଜେପି ବିଜୟୀ ହେବାର ସମ୍ଭାବନା ରହିଛି ।