ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ । ପ୍ରଥମ ଥର ପାଇଁ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇପାରେ ସମ୍ବଲପୁର,ବାଜି ମାରିପାରନ୍ତି ନୀତିଶ ଗଙ୍ଗଦେବ ।

940

କନକ ବ୍ୟୁରୋ : ପ୍ରଥମଥର ପାଇଁ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇପାରେ ସମ୍ବଲପୁର । ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ୍ ରିପୋର୍ଟ ଉପରେ ନଜର ପକାଇଲେ ସମ୍ବଲପୁରରେ ପ୍ରଥମଥର ପାଇଁ ପଦ୍ମ ଫୁଟିବା ନେଇ ସମ୍ଭାବନା ଦେଖାଦେଇଛି । ଗତ ୫ଟି ନିର୍ବାଚନରୁ ୪ଥର ବିଜେଡି ଏହି ଆସନକୁ ନିଜ ଅକ୍ତିଆରରେ ରଖିଥିବା ବେଳେ ପ୍ରଥମଥର ପାଇଁ ଏହି ଆସନ ଦଳ ହାତରୁ ଖସିପାରେ । ଦେବଗଡ ରାଜା ନୀତିଶ ଗଙ୍ଗଦେବ ସମ୍ବଲପୁରରେ ବିଜେପିକୁ ବଡ ବିଜୟ ଭେଟି ଦେଇପାରନ୍ତି । ତେବେ ସମ୍ବଲପୁର ଲୋକସଭା ଅଧିନରେ ଆସୁଥିବା ବିଧାନସଭା ଆସନ ଗୁଡିକ ମଧ୍ୟରୁ ୪ଟିରେ ବିଜେଡି ବିଜୟୀ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ସେହିଭଳି ବିଜେପି ମାତ୍ର ଗୋଟିଏ ଆସନରେ ବିଜୟୀ ହେବା ନେଇ ପୂର୍ବାନୁମାନ କରାଯାଇଛି । ଅନ୍ୟ ଦୁଇଟି ଆସନରେ କଡା ମୁକାବିଲା ଦେଖିବାକୁ ମିଳିପାରେ ।

ସମ୍ବଲପୁର,ରେଢାଖୋଲ,ଛେଣ୍ଡିପଦା ଓ ଆଠମଲ୍ଲିକ ଆସନରେ ବିଜେଡିର ବିଜୟ ସମ୍ଭାବନା ରହିଛି । ଏହି ଆସନ ଗୁଡିକରେ ବିଜେଡି ୨୦୧୪ରେ ମଧ୍ୟ ବିଜୟ ବାନା ଉଡାଇ ସାରିଛି । ସେହଭଳି ୨୦୧୪ରେ ଗେରୁଆ ବାନା ଉଡାଇଥିବା ଦେବଗଡରେ ମଧ୍ୟ ବିଜେପି ପୁଣିଥରେ କମବ୍ୟାକ୍ କରିପାରେ ବୋଲି ସମ୍ବାଦ-କନକ ନ୍ୟୁଜ୍ ଏକଜିଟ୍ ପୋଲ ରିପୋର୍ଟରେ ସାମ୍ନାକୁ ଆସିଛି ।

ଏହାବାଦ୍ କୁଚିଣ୍ଡା ଓ ରେଙ୍ଗାଲିରେ ୩ ଦଳ ମଧ୍ୟରେ କ୍ଲୋଜ୍ ଫାଇଟ୍ ଦେଖିବାକୁ ମିଳିପାରେ । ପୁର୍ବରୁ କୁଚିଣ୍ଡା ବିଜେପି ଦଖଲରେ ରହିଥିବା ବେଳେ ରେଙ୍ଗାଲି ବିଜେଡି ଦଖଲରେ ରହିଥିଲା । ତେଣୁ ଏହି ଦୁଇ ଆସନରେ ଜନତା କାହାକୁ ଭରସା କରିଛନ୍ତି ତାହା ଫଳାଫଳ ଆସିଲେ ସ୍ପଷ୍ଟ ହେବ ।