କନକ ବ୍ୟୁରୋ : ବିଜେପି ତରଫରୁ ଆଜି ସନ୍ଧ୍ୟା ୬ଟା ବେଳେ ଏକ ଗୂୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛି । ଏହା ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ପାଇଁ ଦଳ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି । ଏହି ତାଲିକାର ପ୍ରଥମ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାମ ଆସିପାରେ । ପ୍ରଥମ ତାଲିକାରେ ଉତ୍ତର ପ୍ରଦେଶର ବାରଣାସୀ, ଅଯୋଧ୍ୟା, ପ୍ରୟାଗରାଜ, ଆଜମଗଡ ଓ ଗୋରଖପୁର ସମେତ କିଛି ପ୍ରମୁଖ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇପାରେ ।

Advertisment

କହିରଖୁ କି, ଆଶାୟୀଙ୍କ ନାମକୁ ନେଇ ଫେବୃଆରୀ ୨୯ ତାରିଖରେ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ ସମିତି ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା   । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା, ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏହି ବୈଠକରେ ପାଖାପାଖି ୧୭ଟି ରାଜ୍ୟର ୧୫୫ ଟି ଆସନ ଉପରେ ନିଷ୍ପତ୍ତି କରାଯାଇଛି । ଯାହା ଆଜି ଦଳ ତାର ସାମ୍ବାଦିକ ସମ୍ମିଳନୀରେ ସାର୍ବଜନୀନ କରିପାରେ ।