କାହାକୁ ମିଳିବ ବିଜେପି ଲୋକସଭା ଟିକେଟ୍? କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଘୋଷଣା ହୋଇପାରେ ୧୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ।

131

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କାହାକୁ ମିଳିବ ବିଜେପି ଟିକେଟ୍ । ନିର୍ବାଚନ ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ନୂଆଦିଲ୍ଲୀରେ ଥିବା ଦଳର ମୁଖ୍ୟାଳୟରେ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରାୟ ୪ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକ ଶେଷ ହେବା ପରେ ରାତି ପ୍ରାୟ ସାଢ଼େ ୩ଟା ବେଳେ ପ୍ରଧାନମନ୍ତ୍ରୀ ବିଜେପି ମୁଖ୍ୟାଳୟରୁ ବାହାରିଥିଲେ । ବୈଠକରେ ଲୋକସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ତାଲିକାର ନାଁ ପ୍ରାୟତଃ ଚୂଡ଼ାନ୍ତ ହୋଇସାରିଥିବା ସୂଚନା ମିଳିଛି ।

ପ୍ରଥମ ପର୍ଯ୍ୟାୟରେ ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଆଜି ଘୋଷଣା କରିପାରେ ଭାରତୀୟ ଜନତା ପାର୍ଟି । ତାଲିକାରେ କିଛି ବଡ଼ ବଡ଼ ନାଁ ଦେଖିବାକୁ ମିଳିପାରେ । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ୍ ଶାହ, ରାଜନାଥ ସିଂ, ଅନୁରାଗ ଠାକୁର କେଉଁ କେଉଁ ଆସନରୁ ଲଢ଼ିବେ, ତାହା ସ୍ପଷ୍ଟ ହୋଇଯିବ । ବୈଠକରେ ଉତରପ୍ରଦେଶ, ଉତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, କେରଳ, ରାଜସ୍ଥାନ, ତେଲେଙ୍ଗାନା, ଗୋଆ, ଗୁଜରାଟ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇଛି । ସେହିପରି ଓଡ଼ିଶାର ମଧ୍ୟ ଦୁଇ କିମ୍ବା ତିନୋଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇପାରେ ।

କେଉଁ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ, ତାହା ତାଲିକା ପ୍ରକାଶ ପରେ ସ୍ପଷ୍ଟ ହୋଇଯିବ । କୁହାଯାଉଛି, ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ଅତିକମରେ ୩୦୦ ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିପାରେ ଦଳ । ଯାହଦ୍ୱାରା ପ୍ରାର୍ଥୀଙ୍କୁ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ ।