ଆଇନ ମନ୍ତ୍ରୀଙ୍କୁ ନେଇ ତେଜିଲା ବିବାଦ । ମାହାଙ୍ଗା ହତ୍ୟା ଘଟଣାରେ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗାରୁ ଭୁବନେଶ୍ୱର ଆସୁଛି ବିଜେପିର ପଦଯାତ୍ରା ।

99

କନକ ବ୍ୟୁରୋ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିବା ପାଇଁ ମାହାଙ୍ଗା ବିଜେପିର ବଡ ଧରଣର ରାଜନୈତିକ ଶୋଭାଯାତ୍ରା । ମାହାଙ୍ଗା ବିଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ମାର୍ଚ୍ଚ ୧୭ ତାରିଖରୁ ମାହାଙ୍ଗା କୁଳିଆ ମଠରୁ ବାହାରି ଜଗତପୁରରେ ପହଂଚିଥିଲା । ପରେ ଆଜି କଟକ ଜିଲ୍ଲା ପ୍ରତାପ ନଗରୀରୁ ବାହାରି ଭୁବନେଶ୍ୱର ରାମମନ୍ଦିର ନିକଟରେ ପହଂଚିବାର ଅଛି । ଆସନ୍ତାକାଲି ବିଧାନସଭା ଘେରାଓ କରିବେ ମାହାଙ୍ଗା ବିଜେପି ନେତା ଓ କର୍ମୀ । ମୁଖ୍ୟ ଦାବି ହେଲା, ମାହାଙ୍ଗା ଡବଲ ମର୍ଡର ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ମନ୍ତ୍ରୀପଦରୁ ଇସ୍ତଫା ଦିଅନ୍ତୁ ପ୍ରତାପ ଜେନା ଏବଂ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ।

ଅନ୍ୟପକ୍ଷରେ ମାହାଙ୍ଗା ପ୍ରସଙ୍ଗରେ ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ଖୁବ ବର୍ଷିଛି । ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରାଯାଉଛି ଏବଂ ଡ଼ବଲ ମର୍ଡ଼ର ଘଟଣାରେ ମନ୍ତ୍ରୀଙ୍କର କିଛି ସମ୍ପୃକ୍ତି ନାହିଁ ବରଂ ରାଜନୈତିକ ଅଭିସନ୍ଧି ରଖି ବିଜେପି ଶସ୍ତା ରାଜନୀତି କରୁଛି ବୋଲି ବିଜେଡିି ଯୁକ୍ତି ବାଢିଛି ।

ତେବେ ପ୍ରତାପଙ୍କ ଅଡୁଆ ଏତିକିରେ ସରୁନି । ଗୁରବାର ଯେତେବେଳେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଯାଇ ନବୀନ ନିବାସରେ ପହଂଚିଥିଲେ ସେତେବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବୟାନ ତାଙ୍କୁ ବିବାଦ ଭିତରକୁ ଟାଣିଆଣିଥିଲା । ମନ୍ତ୍ରୀ କହିଥିଲେ, ନବୀନ ନିବାସ ଏକ ପବିତ୍ର ସ୍ଥାନ , ଏଠାକୁ ଆସିଲେ ପବିତ୍ର ହୋଇଯିବେ । ଏହି ବୟାନ ଦେଇଥିବାରୁ ମନ୍ତ୍ରୀ କ୍ଷମା ମାଗିବା ଦରକାର ବୋଲି ଦାବି କରିଛି ବିଜେପି ।