ବିଜେପି ସଂକଳ୍ପ ପତ୍ରର ଗୁମର କଥା! ଜାଣନ୍ତୁ ନିର୍ବାଚନ ବୈତରଣୀ ପାର ହେବାକୁ ଭୋଟରଙ୍କୁ କେଉଁ ସବୁ ପ୍ରତିଶୃତି ଦେଇପାରେ ବିଜେପି ?

374

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ନିର୍ବାଚନ ଇସ୍ତାହାରକୁ ସବୁ ରାଜନୈତିକ ଦଳ ଗୁରୁତ୍ୱ ଦେଉଥିବା ବେଳେ ବିଜେପିର ସଂକଳ୍ପ ପତ୍ରକୁ ନେଇ ଚର୍ଚ୍ଚା କରାଯାଉଛି । ଭୋଟରଙ୍କ ମନ ଜିଣିବା ପାଇଁ ୩୦ ସୂତ୍ରୀ ଗୁରୁତ୍ୱପୂର୍ଣ୍ଣ ଦିଗ ସହ ବିଜେପି ଇସ୍ତାହାର ପତ୍ର ପ୍ରସ୍ତୁତ କରୁଥିବା ଜଣାପଡିଛି । ନିଜର ଇସ୍ତାହାର ପତ୍ରରେ ଚାଷୀ, ଯୁବକଙ୍କ ଉପରେ ବିଜେପି ଗୁରୁତ୍ୱ ଦେଇଥିବା ସୂଚନା ମିଳିଛି । ନିର୍ବାଚନ ବୈତରଣୀ ପାର ହେବାକୁ ରାଜ୍ୟବାସୀଙ୍କୁ ନିର୍ବାଚନ ଇସ୍ତାହାର ମାଧ୍ୟମରେ ସୁନେଲୀ ସ୍ୱପ୍ନ ଦେଖାଇବାକୁ ଉଦ୍ୟମ କରିଛି ଦଳ ।

ବିଜେପିର ପ୍ରସ୍ତାବିତ ନିର୍ବାଚନ ଇସ୍ତାହାରର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନଜର ପକାନ୍ତୁ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାଷୀଙ୍କ ମନ ଜିଣିବାକୁ ଲୋଭନୀୟ ଘୋଷଣାମାନ କରିପାରେ ରାଜ୍ୟ ବିଜେପି । ମିଳିଥିବା ତଥ୍ୟ ଅନୁସାରେ

    • କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀଙ୍କ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ପାଇଁ ଘୋଷଣା କରିପାରେ ବିଜେପି
    • ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଥିବା ବେଳେ ରାଜ୍ୟରେ ଏମଏସପି ଦର ଦେଢଗୁଣା କରିବା ସହ ସମସ୍ତ ଶସ୍ୟ ଉପରେ ବୋନସ ପ୍ରଦାନ କରିବାକୁ ଆଭିମୁଖ୍ୟ ରଖିପାରେ ଦଳ
    • ୬୦ରୁ ଉଦ୍ଧ୍ୱର୍ ବୟସ୍କ ଚାଷୀଙ୍କୁ ମାସିକ ୩୦୦୦ ହଜାର ଟଙ୍କା ଲେଖାଏଁ ପେନସନ ଦେବାକୁ ପ୍ରତିଶ୍ରୁତି ଦେଇପାରେ ବିଜେପି
    • ପ୍ରଧାନମନ୍ତ୍ରୀଙ୍କ ପ୍ରତି ଚାଷ ଜମିକୁ ପାଣି ପ୍ରୋଜେକ୍ଟରେ, ରାଜ୍ୟରେ ଚାଷ ଜମିକୁ ଜଳସେଚିତ କରିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଦଳ ରୋଡମ୍ୟାପ ରଖିପାରେ
    • ୨୦୨୨ ସୁଦ୍ଧା ରାଜ୍ୟର ପ୍ରତି ପରିବାରକୁ ପକ୍କା ଘର ଯୋଗାଇ ଦିଆଯିବ । ପ୍ରତି ଘରକୁ ଜମି ପଟ୍ଟା ସହ ଶୌଚାଳୟ, ଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ପହଞ୍ଚାଇବାକୁ ସଂକଳ୍ପ ପତ୍ରରେ ଦଳ ସ୍ଥାନ ଦେଇପାରେ
    • କ୍ଷମତାକୁ ଆସିଲେ ଦଳ ପ୍ରତି ପରିବାରରୁ ଜଣକୁ ନିଯୁକ୍ତି କିମ୍ବା ଆତ୍ମ ନିର୍ଭରଶୀଳ କରିବ, ଏଭଳି କିଛି ଘୋଷଣା କରିପାରେ ଭାଜପା
    • ବେରୋଜଗାର ଦୂରୀକରଣ ପାଇଁ ବେକାରୀ ଯୁବକ ଯୁବତୀଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ୨ ବର୍ଷ ପର୍ଯ୍ୟନ୍ତ ଦେବାକୁ ପ୍ରତିଶୃତି ରଖିପାରେ ଦଳ । ଏହା ମାଧ୍ୟମରେ କଂଗ୍ରେସ କରିଥିବା ଘୋଷଣାକୁ କାଉଂଟର କରିବାକୁ ଲକ୍ଷ୍ୟ ରଖିଛି ବିଜେପି
    • ମୁଖ୍ୟମନ୍ତ୍ରୀ ଲାପଟପ ଯୋଜନା ଅନୁଯାୟୀ, ପ୍ରତି କଲେଜ ଛାତଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ପ୍ରଦାନ କରାଯିବାକୁ ଦଳ ଘୋଷଣା କରିପାରେ
    • ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ସହ ମାଗଣାରେ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ଦଳ କହିପାରେ
    • ସରକାରକୁ ଆସିବାର ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖାଲି ପଡିଥିବା ଡାକ୍ତର, ନର୍ସ, ସ୍ପେଶାଲିଷ୍ଟ ଓ ପାରାମେଡିକାଲ ପଦବୀରେ ନିଯୁକ୍ତି ଦିଆଯିବ । ଏଭଳି କିଛି ଦିଗକୁ ବିଜେପି ସଂକଳ୍ପ ପତ୍ରରେ ସ୍ଥାନ ଦେଇପାରେ
    • ସରକାରୀ ଶିକ୍ଷାନୁଷ୍ଠାନରେ କେଜି ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନକୁ ଦଳ ସଂକଳ୍ପ ପତ୍ରରେ ରଖିପାରେ
    • ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରାଯିବ । ଏହାଛଡା ଚୁକ୍ତିଭିତ୍ତିକ ପଦବୀ ଗୁଡିକୁ ନିୟମିତ କରାଯିବା ଭଳି ଦିଗ ଉପରେ ଦଳ ଧ୍ୟାନ ଦେଇପାରେ
    • ଗ୍ରାମ ଯୋଜନା ଲାଗୁ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗ୍ରାମାଞ୍ଚଳର ବିକାଶକୁ ଆଗେଇ ନେବା ସହ ପରିମଳ, ସଡକ ସଂଯୋଗୀକରଣ, ବ୍ରିଜ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ଉପରେ ଫୋକସ ରଖିପାରେ ଦଳ
    • ରାଜ୍ୟର ଗାଁ ଗୁଡିକୁ ସଡକ ସଂଯୋଗୀକରଣ ମାଧ୍ୟମରେ ଜିଲ୍ଲା ସଡକ ସହ ଯୋଡାଯିବ । ଏହାଛଡା ବ୍ଲକରୁ ବ୍ଲକ ଓ ଜିଲ୍ଲାରୁ ଜିଲ୍ଲାକୁ ସଡକ ମାଧ୍ୟମରେ ଯୋଡାଯିବାକୁ ଦଳ ପ୍ରତିଶ୍ରୁତି ଦେଇପାରେ ।
    • ସୁବର୍ଣ୍ଣ ଯୋଜନା ଲାଗୁ କରିବା ସହ ସହରାଞ୍ଚଳର ବିକାଶ ପାଇଁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯେଉଁଥିରେ ପରିମଳ, ସଡକ ସଂଯୋଗୀକରଣ, ବ୍ରିଜ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ଉପରେ ଫୋକସ କରାଯିବା ନେଇ ଦଳ ଆଭିମୁଖ୍ୟ ରଖିପାରେ ।
    • ୨୪ ଘଂଟିଆ ନିରବଛିନ୍ନ ବିଜୁଳି ଯୋଗାଣ ସହ ୧୦୦ ୟୁନିଟ ପର୍ଯ୍ୟନ୍ତ ଦଳ ୨ ଟଙ୍କା ରଖିପାରେ ଦଳ । ଏଥିସହ ସମସ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ଦଳ ପ୍ରତିଶ୍ରୁତି ଦେଇପାରେ । ଏଭଳି ଘୋଷଣା ମାଧ୍ୟମରେ ମଧ୍ୟବର୍ଗ ତଥା ଗ୍ରାମାଂଚଳ ଭୋଟରଙ୍କ ମନ ଜିଣିବାକୁ ଦଳ ଉଦ୍ୟମ କରିପାରେ
    • ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ପେସା ଆଇନ ଓ ଜଙ୍ଗଲ ଆଇନକୁ ଲାଗୁ କରାଯିବା ନେଇ ଦଳ ପ୍ରତିଶ୍ରୁତି ଦେଇପାରେ
    • ଓଡିଶାର ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟରେ ମେଗା ଇଣ୍ଡଷ୍ଟ୍ରିଆଲ ପାର୍କ ଓ ଏକ୍ସପୋର୍ଟ ଜୋନ ପ୍ରତିଷ୍ଠା କରାଯିବା ନେଇ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିପାରେ
    • ଆର୍ଥିକ ପଛୁଆ ଶ୍ରେଣୀ (ସାଧାରଣ ବର୍ଗ)ର ଛାତ୍ରଛାତ୍ରୀଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ କହିପାରେ
    • ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଗଠନ ପାଇଁ ପ୍ରତିଶୃତି ଦେଇପାରେ ଦଳ
    • ସୁଭଦ୍ରା ସମୃଦ୍ଧି ଯୋଜନା ମାଧ୍ୟମରେ ନବଜାତ ଶିଶୁକନ୍ୟାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିବାକୁ ଘୋଷଣା କରିପାରେ ବିଜେପି
    • ଏସଏଚଜି ଗ୍ରୁପକୁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ୨୦୦୦ କୋଟି ଟଙ୍କାର ଫଣ୍ଡ ଗଠନ କରିବାକୁ ଘୋଷଣା କରିପାରେ ବିଜେପି
    • ବରୁଣେଇ ପାଦ ଦେଶରେ ବକ୍ସି ଜଗବନ୍ଧୁଙ୍କର ୧୮୧.୭ ମିଟରର ଉଚ୍ଚ ପ୍ରତିମା ନିର୍ମାଣ କରିବାକୁ ଦଳ ପ୍ରତିଶ୍ରୁତି ଦେଇପାରେ । ପାଇକ ବିଦ୍ରୋହକୁ ମନେ ରଖିବା ପାଇଁ ବିଶ୍ୱସ୍ତରୀୟ ମ୍ୟୁଜିୟମର ନିର୍ମାଣ ପାଇଁ ପ୍ରତିଶୃତି ରଖିପାରେ ଦଳ
    • ସରକାରକୁ ଆସିବାର ଗୋଟିଏ ବର୍ଷ ମଧ୍ୟରେ ଭୂମିହୀନ ବ୍ୟକ୍ତିଙ୍କୁ ଜମି ପଟ୍ଟା ସହ ବାସପଯୋଗୀ ଗୃହ ପ୍ରଦାନ କରାଯିବା ନେଇ ଦଳ ଆଭିମୁଖ୍ୟ ରଖିପାରେ
    • ସରକାରକୁ ଆସିବାର ୬ ମାସ ମଧ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯିବା ସହ ଆଗାମୀ ୬ ମାସ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ କରାଯିବା ଭଳି ବଡ ଘୋଷଣା କରିପାରେ ଦଳ

ଏହି ତମାମ ଘୋଷଣା ସହ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି । ତେବେ ଚୁଡାନ୍ତ ସଂକଳ୍ପ ପତ୍ର ପ୍ରସ୍ତୁତି ସମୟରେ ଦଳ ଏମଧ୍ୟରୁ କିଛି ଦିଗକୁ ବାଦ ମଧ୍ୟ ଦେଇପାରେ ବୋଲି ସୂଚନା ମିଳିଛି । ଏହାରି ଭିତରେ ନଜର ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଦଳ ଗଠନ କରିଥିବା କମିଟି କେଉଁଭଳି ଭାବରେ ସଂକଳ୍ପ ପତ୍ର ପ୍ରସ୍ତୁତ କରୁଛି ।