ଚାଷୀଙ୍କୁ ଭରଷି ବିଜେପି ପାରି ହେବ ୧୯ ନିର୍ବାଚନ । ୨୦୨୨ ସୁଦ୍ଧା ଚାଷୀ ଆୟ ଦ୍ୱିଗୁଣ, ମିଳିବ ପେନସନ । ସଂକଳ୍ପ ପତ୍ରର ୨୫ ବଡ କଥା ।

159

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ବିଜେପିି ଜାରି କଲା ସଂକଳ୍ପ ପତ୍ର । ବିଜେପି ସଭାପତି ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଦିଲ୍ଲୀରେ ଏହି ସଂକଳ୍ପ ପତ୍ର ଜାରି କରାଯାଇଛି । ତେବେ ବିଜେପରି ଏହି ସଂକଳ୍ପ ପତ୍ରର ନାଁ ‘ସଂକଳ୍ପିତ ଭାରତ, ସଶକ୍ତି ଭାରତ’ ରହିଛି । ୪୮ପୃଷ୍ଠା ବିଶିଷ୍ଟ କେନ୍ଦ୍ର ବିଜେପିର ଏହି ସଂକଳ୍ପପତ୍ରରେ ଦଳର ୫ ବର୍ଷର ଉପଲବ୍ଧି କୁହାଯିବା ପରେ ଏହି ପତ୍ରରେ ରାଷ୍ଟ୍ରବାଦ, ସିଟିଜନର୍ସିପ ଆମେଣ୍ଡମେଂଟ ବିଲ, ଶିକ୍ଷା ଓ ଚାଷୀଙ୍କ ଉପରେ ଫୋକସ କରାଯାଇଛି । ଏହାଛଡା କଳାଧନ ସମ୍ପର୍କରେ ସଂକଳ୍ପ ପତ୍ରରେ କୁହାଯାଇଛି । ସଂକଳ୍ପପତ୍ରରେ ରାଷ୍ଟ୍ରୀୟ ସୁରକ୍ଷା, କୃଷକ କଲ୍ୟାଣ, ଯୁବ ଓ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଛି ।

୨୦୧୯ ପାଇଁ ବିଜେପିର ପ୍ରତିଶ୍ରୁତି ରହିଛି-

୧. କିଷାନ କ୍ରେଡିଟ୍ କାର୍ଡରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ବର୍ଷ ଯାଏଁ ବିନା ସୁଧରେ ଋଣ ପ୍ରଦାନ କରାଯିବ।

୨. ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା କରାଯିବ ।

୩. କିଷାନ ସମ୍ମାନ ନିଧି ଯୋଜନାରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ୬୦ ବର୍ଷ ପରେ ଭତ୍ତା ପ୍ରଦାନ କରାଯିବ ।

୪. କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ସହାୟତା ଦିଆଯିବ ।

୫. ବ୍ୟବସାୟୀଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି । ବ୍ୟାପାର ଆହୁରି ଆଗକୁ ବଢ଼ାଇବାକୁ ରାଷ୍ଟ୍ରୀୟ ବ୍ୟାପାର ଆୟୋଗ ଗଠନ ହେବ ।

 

୬. ୬୦ ବର୍ଷ ପରେ ଛୋଟ ଦୋକାନୀଙ୍କୁ ମଧ୍ୟ ପେନସନ ସୁବିଧା ଦିଆଯିବ ।

୭. ପୁଣି ଦେଶରେ ବିଜେପି ସରକାର ଆସିଲେ ୨୫ ଲକ୍ଷ କୋଟି ଟଙ୍କା ଗ୍ରାମୀଣ ବିକାଶ ପାଇଁ ଖର୍ଚ୍ଚ ହେବ ।

୮. ରାମ ମନ୍ଦିର ନିର୍ମାଣ ପାଇଁ ସବୁ ସମ୍ଭାବନା ଉପରେ ବିଚାର କରାଯିବ ଏବଂ ସୌହାଦ୍ଦ୍ୟପୂର୍ଣ୍ଣ ପରିବେଶରେ ରାମ ମନ୍ଦିର ନିର୍ମାଣ କରାଯିବ ।

୯. ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ କରିବୁ ।

୧୦. ଆତଙ୍କୀ ମାମଲାରେ ଜିରୋ ଟଲେରାନ୍ସ ନୀତି

୧୧. ଦେଶର ସୁରକ୍ଷା ସହ କୌଣସି ପ୍ରକାରର ସାଲିସ କରାଯିବ ନାହିଁ

୧୨. ଅନୁପ୍ରବେଶ ଉଦ୍ୟମକୁ ରୋକିବୁ ।

୧୩. ଛାତ୍ରଛାତ୍ରୀଙ୍କୁ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଶିକ୍ଷାନୁଷ୍ଠାନମାନଙ୍କରେ ବିଶେଷ କରି ଇଂଜିନିୟରିଂ ଓ ଆଇନ କଲେଜ ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ।

୧୪. ନିର୍ବାଚନ ଖର୍ଚ୍ଚ କମ୍ କରିବାକୁ ଏକକ ନିର୍ବାଚନ କରିବାକୁ ଚେଷ୍ଟା କରାଯିବ । ଏହା ସହିତ ଦେଶରେ ସୁଶାସନ ପ୍ରତିଷ୍ଠା ହେବ ।

୧୫. ପ୍ରତ୍ୟେକ ପରିବାରକୁ ପକ୍କା ଘର, ଏଲ୍ପିଜି ସଂଯୋଗ, ବିଜୁଳି ସଂଯୋଗ, ପାନୀୟ ଜଳ ଓ ଶୌଚାଳୟ ତିଆରି କରିବାକୁ ମଧ୍ୟ ଲକ୍ଷ୍ୟ ।

୧୬. ଜାତୀୟ ରାଜପଥର ଦୈର୍ଘ୍ୟ ଦୁଇ ଗୁଣା ହେବା ସହ ସମସ୍ତ ରେଳ ଲାଇନକୁ ବିଦ୍ୟୁତିକରଣ କରାଯିବ ।

୧୭. ଆୟୁଷ୍ମାନ ଯୋଜନାରେ ଦେଢ଼ ମେଡ଼ିକାଲ ପ୍ରତିଷ୍ଠା କରାଯିବ । ଏହା ସହିତ ଦେଶରେ ୭୫ଟି ମେଡ଼ିକାଲ କଲେଜ ମଧ୍ୟ ସ୍ଥାପନ ହେବ ।

୧୮. ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରାହଳୟ ପ୍ରତିଷ୍ଠା ହେବା ସହ ରାଷ୍ଟ୍ରୀୟ ସଂଗ୍ରାହଳୟ ଡିଜିଟାଇଜେସନ୍ ହେବ ।

୧୯. ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ପ୍ରତି ୧୪୦୦ ଲୋକରେ ଜଣେ ଡାକ୍ତର ନିଯୁକ୍ତି ପାଇଁ ଚେଷ୍ଟା କରିବ ବିଜେପି ।

୨୦. ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫ କିଲୋମିଟର ପରିସରରେ ବ୍ୟାଙ୍କି ସୁବିଧା ଯୋଗାଇ ଦିଆଯିବ ।

 

୨୧. ଡିଜିଟାଲ ଦେଣନେଣକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଲ୍ୟାଣ୍ଡ ରେକର୍ଡ ଡିଜିଟାଲାଇଜେସ କରାଯିବ ।

୨୨. ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବାକୁ ଟ୍ରିପଲ୍ ତଲାକ୍ ଆଇନକୁ କଡ଼ାକଡ଼ି କରାଯିବ ।

୨୩. ଧାର ୩୭୦, ୩୫-ଏ ହଟାଇବାକୁ ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଛି।

୨୪. ସବୁ ଶିଶୁଙ୍କର ଟିକାକରଣ ଯୋଗାଇ ଦିଆଯିବ ।

୨୫. ପିଏମ୍ ସିଞ୍ଚାଇ ଯୋଜନାରେ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ସହିତ ଜଳସେଚନର ବ୍ୟାପକ ବନ୍ଦୋବସ୍ତ କରାଯିବ ।

ତେବେ ବିଗତ ପାଞ୍ଚ ବର୍ଷର ଉପଲବ୍ଧିକୁ ନେଇ ବିଜେପି ପୁଣି ଥରେ ଆଗାମୀ ନିର୍ବାଚନରେ ୭୫ଟି ନୂଆ ସଂକଳ୍ପ ଓ ପ୍ରତିଶ୍ରୁତି ନେଇ ଜନତାଙ୍କର ଆହୁରି ନିକଟର ହେବାକୁ ଚେଷ୍ଟା କରିଛି । ଯାହାକୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ସୁଦ୍ଧା ପୂରଣ କରିବାକୁ କରାଯିବ ବୋଲି ବିଜେପି ସଂକଳ୍ପ ପତ୍ରର ଘୋଷଣା ଅବସରରେ କହିଛି।