ନିର୍ବାଚନ ପୂର୍ବରୁ ବିଜେପି ଦେଲା ବଡ ପ୍ରତିଶ୍ରୁତି: ସଂକଳ୍ପ ପତ୍ରର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

123

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ବିଜେପି ଜାରି କରିଛି ସଂକଳ୍ପ ପତ୍ର । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସଂକଳ୍ପ ପତ୍ରର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଜେପି ତା’ର ସଂକଳ୍ପ ପତ୍ରରେ ବିକଶିତ ଭାରତର ସଂକଳ୍ପକୁ ଦୋହରାଇଛି । ସଂକଳ୍ପ ପତ୍ରରେ ବିକଶିତ ଭାରତର ୪ଟି ମଜଭୁତ ସ୍ତମ୍ଭକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ । ଏହି ମଜଭୁତ ସ୍ତମ୍ଭ ଗୁଡ଼ିକ ହେଲା, ଯୁବଶକ୍ତି, ନାରୀ ଶକ୍ତି, ଗରିବ ଏବଂ ଚାଷୀ । ଆଗାମୀ ୫ ବର୍ଷ ପାଇଁ ୮୦ କୋଟି ଭାରତୀୟଙ୍କ ମାଗଣା ରାସନ ସହ ଚାଷୀଙ୍କୁ ବାର୍ଷିକ ୬ହଜାର ଟଙ୍କା ପ୍ରଦାନ କରାଯିବା ନେଇ ବିଜେପି ପ୍ରତିଶ୍ରୁତି ଦେଇଛି । ସଂକଳ୍ପ ପତ୍ରରେ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଣିକି ଆୟୁଷ୍ମାନ ଯୋଜନାରେ ସାମିଲ ହେବେ ସବୁ ବର୍ଗର ୭୦ ବର୍ଷରୁ ଅଧିକ ବୟସ୍କ ।

ମୋଦୀ ଗ୍ୟାରେଂଟିର ପ୍ରତିଶ୍ରୁତି ଦେଇ ବିଜେପି ଜାରି କରିଥିବା ସଂକଳ୍ପପତ୍ରରେ ଯଦିଓ ଲୋଭନୀୟ ଘୋଷଣାକୁ ପ୍ରଥାମିକତା ଦିଆଯାଇ ନାହିଁ, ତଥାପି ପ୍ରତିଶ୍ରୁତିର ପୁଡ଼ିଆରେ ପୁରି ରହିଛି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାର ସୁଯୋଗ । ସ୍ୱାସ୍ଥ୍ୟ, ଖାଦ୍ୟ, ବାସଗୃହ ଭଳି ସର୍ବନିମ୍ନ ଆବଶ୍ୟକତାକୁ ଇସ୍ତାହାରପତ୍ରରେ ପ୍ରାଥମିକତା ଦେଇଛି ଦଳ ।

‘ଆୟୁଷ୍ମାନ’ର ପରିସର ବୃଦ୍ଧି
ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ପାଇଁ ଆୟୁଷ୍ମାନ ଯୋଜନାର ପରିସରକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛି ବିଜେପି । ୭୦ ବର୍ଷରୁ ଉଦ୍ଧ୍ୱର୍ ମଧ୍ୟବିତ ପରିବାରର ଲୋକ ମଧ୍ୟ ଏଣିକି ଆୟୁଷ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ହେବେ । ଏହାସହ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରରେ ପୂର୍ବଭଳି ସୁଲଭ ଦରରେ ଔଷଧ ମିଳିବ । ଆୟୁଷ୍ମାନ ଯୋଜନାରେ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ସାମିଲ୍ କରାଯିବ ।

ଜାରି ରହିବ ମାଗଣା ରାସନ
ଆଗାମୀ ୫ ବର୍ଷ ଯାଏଁ ମାଗଣା ରାସନ ବ୍ୟବସ୍ଥା ଜାରି ରହିବ ବୋଲି ବିଜେପି ଘୋଷଣା କରିଛି । ୮୦ କୋଟି ଭାରତୀୟଙ୍କୁ ମାଗଣା ରାସନ ପ୍ରଦାନ କରାଯିବା ନେଇ ସଂକଳ୍ପପତ୍ରରେ ଘୋଷଣା କରିଛି ବିଜେପି । ଗରିବ କଲ୍ୟାଣ ଯୋଜନା ଅଧିନରେ ଗରିବର ଖାଇବା ଥାଳି ପୋଷଣ ଯୁକ୍ତ ଏବଂ ସନ୍ତୋଷଜଜନକ ହେବ ବୋଲି କୁହାଯାଇଛି ।

୩ କୋଟି ଗୃହ ନିର୍ମାଣ
ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣର ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି । ପରିବାରର ବଢ଼ୁଛି ଏବଂ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଦଳ । ସେହିପରି ଶସ୍ତାରେ ପାଇପ୍ ଜରିଆରେ ଗ୍ୟାସ ଏବଂ ଗରିବ ଲୋକଙ୍କୁ ମାଗଣା ବିଜୁଳି ଦେବା ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି ।

ଏସବୁ ବାହାରେ
– ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରତିଶ୍ରୁତି
– ସମାନ ନାଗରିକ ସଂହିତା ଲାଗୁ
– ୩ କୋଟି ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ
– ଦେଶର ସବୁ ଭାଗକୁ ବୁଲେଟ୍ ଟ୍ରେନ୍ ସଂଯୋଗ
– ବିକଶିତ ଭାରତ ଗଠନର ପ୍ରତିଶ୍ରୁତି
– ଡାକ୍ତରି ପାଠ୍ୟକ୍ରମ ପାଇଁ ସିଟ୍ ବୃଦ୍ଧି ଭଳି ପ୍ରତିଶ୍ରୁତି ଦେଇଛି ଭାରତୀୟ ଜନତା ପାର୍ଟି ।
ବିଜେପିର ଏହି ପ୍ରତିଶ୍ରୁତିର ପାହାଡ଼ ଭିତରେ କିନ୍ତୁ ବେରୋଜଗାରୀ ଏବଂ ଦରଦାମ ବୃ୍ଦ୍ଧି ପ୍ରସଙ୍ଗରେ ଯେମିତି ନୀରବ ରହିଛି ସଂକଳ୍ପପତ୍ର । ଯାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।
ତେବେ ଦେଖିବାର କଥା ବିଜେପିର ମୋଦୀ ଗ୍ୟାରେଂଟି ଜନତାଙ୍କୁ ଆକର୍ଷିତ କରୁଛି ନା’ କଂଗ୍ରେସର ୫ ନ୍ୟାୟ ୨୫ ଗ୍ୟାରେଂଟିର ପ୍ରତିଶ୍ରୁତି ଭୋଟରଙ୍କୁ ପ୍ରଭାବିତ କରୁଛି ।