ବିଜେପିକୁ ୪୪୦ ଝଟକା! ଉପନିର୍ବାଚନରେ ନିଜ ଗଡ଼ରେ ମାତ୍ ଖାଇଲା ବିଜେପି, ମୋଦିଙ୍କ ପାଇଁ ସହଜ ନୁହେଁ ୨୦୧୯ ନିର୍ବାଚନ

48

କନକ ବ୍ୟୁରୋ : ଦୋହଲିଗଲା ବିଜେପି ଗଡ଼ । ପୁଣିଥରେ ଉପନିର୍ବାଚନରେ ମାତ୍ ଖାଇଛି ବିଜେପି । ଗୋଟିଏ ପଟେ ୨୦୧୯ ପାଇଁ ମୋଦି-ଶାହା ଯୋଡ଼ି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଉପନିର୍ବାଚନରେ ଗୋଟିଏ ପରେ ଗୋଟିଏ ଆସନ ବିଜେପି ହାତରୁ ଖସୁଛି । ଆଉ ଉପନିର୍ବାଚନର ଫଳାଫଳ ସୂଚିତ କରୁଛି , ୨୧୦୯ ନିର୍ବାଚନରେ ବିଜେପି ପୂରା ଦେଶରେ ଯେଉଁ ଗେରୁଆ ବାନା ଉଡ଼ାଇବାକୁ ଲକ୍ଷ୍ୟ ରଖିଛି ସେଥିରେ ବିରୋଧୀ ମେଣ୍ଟ ବ୍ରେକ ଲଗାଇ ପାରିବେ ବୋଲି ଏବେ ଚର୍ଚ୍ଚା ହେଉଛି ।

ଉପନିର୍ବାଚନ ବାର୍ତା ଦେଉଛି ବିରୋଧୀ ଏକାଠି ହେଲେ ମୋଦିଙ୍କୁ ହରାଇବା ସମ୍ଭବ । ପୁଣିଥରେ ଉତରପ୍ରଦେଶରେ ଯୋଗୀ ଓ ଶାହାଙ୍କ ଯୋଡିକୁ ବଡ଼ ଝଟକା । କୈରାନା ଲୋକସଭା ଆସନ ଓ ନୂରପୁର ବିଧାନସଭା ଆସନକୁ ବିଜେପି ହାତରୁ ଛଡାଇ ନେଇଛନ୍ତି ବିରୋଧୀ । ପୂର୍ବରୁ ଗୋରଖପୁର, ଫୁଲପୁର ଉପନିର୍ବାଚନରେ ବିଜେପି ହାରିଯିବା ପରେ ସାରା ଦେଶର ନଜର ଥିଲା ୟୁପିର କୈରାନା ଲୋକସଭା ଆସନ ଉପରେ । ବିଜେପି ସାଂସଦ ହୁକୁମ ସିଂହଙ୍କ ମୃତ୍ୟୁ ପରେ ଏହି ସିଟ୍ ଖାଲି ପଡ଼ିଥିଲା । ମୁହାଁମୁହିଁ ଲଢେଇ ହୋଇଥିଲା ରାଷ୍ଟ୍ରୀୟ ଲୋକଦଳ ପ୍ରାର୍ଥୀ ତାବାସୁମ୍ ହାସନ ଓ ବିଜେପିର ମ୍ରିଗଙ୍କା ସିଂହଙ୍କ ମଧ୍ୟରେ । ଏସପି ସମେତ ପୂରା ବିରୋଧୀ ଦଳ, ତାବାସୁମଙ୍କୁ ଜିତାଇବା ଲାଗି ଦମ୍ ଲଗାଇ ଦେଇଥିଲେ । ବିରୋଧୀ ଦଳର ଏହି ରଣନୀତି ସଫଳ ହୋଇଥିଲା । ୫୫ ହଜାରରୁ ଅଧିକ ଭୋଟ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି ତାବାସୁମ୍ ।

ସେହିପରି ବିଜେପି ହାତରୁ ନୂରପୁର ଆସନକୁ ଛଡ଼ାଇ ନେଇଛି ସମାଜବାଦୀ ପାର୍ଟି । ବିଜେପି ବିଧାୟକ ଲୋକେନ୍ଦର ସିଂହଙ୍କ ମୃତ୍ୟୁ ପରେ ଉପନିର୍ବାଚନ ହୋଇଥିଲା ଏହି ଆସନରେ । ବିଜେପି ପ୍ରାର୍ଥୀ ଆଭାନୀ ସିଂହଙ୍କୁ ୬୦୦୦ରୁ ଅଧିକ ଭୋଟରେ ହରାଇ ଦେଇଛନ୍ତି ସମାଜବାଦୀ ପାର୍ଟି ପ୍ରାର୍ଥୀ ନଇମୁଲ ହାସନ । ଉତ୍ତରପ୍ରଦେଶର ଏହି ଦୁଇ ଆସନରେ ମୃତ ଲୋକପ୍ରତିନିଧିଙ୍କ ଝିଅ ଓ ପତ୍ନୀ ନିର୍ବାଚନ ଲଢୁଥିଲେ । ଅନୁକମ୍ପା ସତ୍ୱେ ବିରୋଧୀ ଶକ୍ତି ଏକ ହୋଇଯିବାରୁ ପରାଜୟର ସ୍ୱାଦ ଚାଖିଛି ବିଜେପି ।

୪ଟି ଲୋକସଭା ଓ ୧୦ଟି ବିଧାନସଭା ଉପ-ନିର୍ବାଚନରେ ବିଜେପିକୁ ମାତ୍ର ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନ ମିଳିଛି । ମହାରାଷ୍ଟ୍ରର ପାଲଘର ଓ ଭଣ୍ଡାରା-ଗୋଣ୍ଡିଆ ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ପାଲଘର ଆସନ ବିଜେପି ଖାତାକୁ ଯାଇଥିବା ବେଳେ ଭଣ୍ଡାରା-ଗୋଣ୍ଡିଆ ଆସନକୁ ଛଡାଇ ନେଇଛି ଏନସିପି । ଅନ୍ୟପଟେ ନାଗାଲାଣ୍ଡ ଲୋକସଭା ଆସନରେ ଆଗରେ ରହିଛି ଏନଡିପିପି । ଏହି ମେଂଟ ଭିତରେ ରହିଛି ବିଜେପି ।

ଆଏ ଏକ ବଡ଼ କଥା ହେଉଛି ବିହାରରେ ଏନଡିଏ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆଡୁ ମୁହଁ ଫେରାଇ ନେଇଛନ୍ତି ଭୋଟର । ଜୋକିହାଟ୍ ବିଧାନସଭା ଆସନରୁ ଆରଜେଡି ପ୍ରାର୍ଥୀଙ୍କୁ ବିପୁଳ ବିଜୟ ମିଳିଛି । ଆଉ ଏହାସହ ବିଜେପିକୁ ବିହାରରେ ଲାଗିଛି ଶକ୍ତ ଝଟକା । ସେହିପରି ଝାଡ଼ଖଣ୍ଡରେ ମଧ୍ୟ ବିଜେପିକୁ ମିଳିଛି ଝଟକା । ସିଲି ଓ ଗୋମିଆ ବିଧାନସଭା ଆସନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିଜୟର ବାନା ଉଡାଇଛନ୍ତି ।

ତେବେ ଉତ୍ତରାଖଣ୍ଡରେ ମିଳିଛି ବିଜେପିକୁ ସଫଳତା । ଥରାଲି ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ । କିନ୍ତୁ ପଶ୍ଚିମବଙ୍ଗରେ ହୋଇଥିବା ଉପନିର୍ବାଚନରେ ମାତ ଖାଇଛି ବିଜେପି । ପଶ୍ଚିମବଙ୍ଗର ମାହେସ୍ତାଲା ବିଧାନସଭା ଆସନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ।ସେହିପରି କେରଳର ଚେଙ୍ଗାନୁର ବିଧାନସଭା ଆସନରେ ବିଜୟୀ ହୋଇଛି ସିପିଏମ୍ ପ୍ରାର୍ଥୀ ।

୧୦ଟି ବିଧାନସଭାରୁ ତିନିଟି ଯାଇଛି କଂଗ୍ରେସ ସପକ୍ଷରେ । କର୍ଣ୍ଣାଟକର ରାଜାରାଜେଶ୍ୱରୀ ନଗର ବିଧାନସଭା ଆସନ ଯାଇଛି କଂଗ୍ରେସ ଖାତାକୁ । ପାଖାପାଖି ୭୦ ହଜାର ଭୋଟରେ ହାରିଛି ବିଜେପି । ଏହି ଆସନକୁ ନେଇ ପୂର୍ବରୁ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । କଂଗ୍ରେସର ଗଡ଼ ଥିବା ଏହି ଆସନକୁ ହାତେଇବା ପାଇଁ ପୂରା ଜୋର ଲଗାଇ ଦେଇଥିଲା ବିଜେପି । କିନ୍ତୁ କଂଗ୍ରେସର ରଣନୀତି ଆଗରେ ଫିକା ପଡ଼ି ଯାଇଥିଲା ବିଜେପିର ଚାଲ । ସେହିପରି ପଂଜାବର ସାହକୋଟ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିଛି ବଡ଼ ବିଜୟ । ସେହିଭଳି ମେଘାଳୟର ଅମ୍ପାତି ବିଧାନସଭା ଆସନରେ ମଧ୍ୟ ବିଜୟର ବାନା ଉଡାଇଛି କଂଗ୍ରେସ । ଆଉ ଏହି ବିଜୟ ସହ ବିଜେପି କଡା ଟକ୍କର ଦେଇଛି କଂଗ୍ରେସ । ଆଉ ଏହି ଫଳାଫଳ ଦର୍ଶାଉଛି ଯେ, ବିଜେପି ପାଇଁ ୨୦୧୯ ନିର୍ବାଚନ ଏତେ ସହଜ ନୁହେଁ । ଭାରତକୁ କଂଗ୍ରେସ ମୁକ୍ତ କରିବାକୁ ବିଜେପି ଯେଉଁ ସ୍ୱପ୍ନ ଦେଖୁଛି ସେଥିରେ ଆଞ୍ଚଳିକ ଦଳ ଗୁଡ଼ିକ ବାଧା ସୃଷ୍ଟି କରିବେ ବୋଲି ଏବେ ଚର୍ଚ୍ଚା ହେଉଛି । ଅଥାର୍ତ ୨୦୧୯ରେ ବିରୋଧୀ ଯଦି ଏକାଠି ହୁଅନ୍ତି ତେବେ ବିଜେପି ପାଇଁ ପୁଣିଥରେ ସରକାରକୁ ଆସିବା କଷ୍ଟକର ହୋଇପାରେ ।