କେନ୍ଦୁଝରରେ ବିଜେପି ବିଧାୟକଙ୍କୁ ଆକ୍ରମଣ ଘଟଣା । ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

220

କନକ ବ୍ୟୁରୋ: କେନ୍ଦୁଝରରେ ବିଜେପି ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ ବୋମାମାଡ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଟୁଇଟ୍ କରି ଧର୍ମେନ୍ଦ୍ର ଲେଖିଛନ୍ତି, ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ଆମ ଦଳର ବରିଷ୍ଠ ନେତା ମୋହନ ଚରଣ ମାଝୀଙ୍କ ଉପରେ ବୋମା ମାଡ ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି । ସାମାଜିକ ରାଜନୈତିକ ଜୀବନରେ ଥିବା ଜଣେ ଜନପ୍ରତିନିଧିଙ୍କ ଉପରେ ଦିନ ଦ୍ୱିପହରରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଧର୍ମେନ୍ଦ୍ର ଟୁଇଟ୍ କରି କହିଛନ୍ତି ।

ସେହିପରି ଅନେକ ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ କଟ୍ଟୁ ସମାଲୋଚନା ହେବାକୁ ପଡେ । ଗଣତନ୍ତ୍ରରେ ବାଦ ବିବାଦ ରହିବ କିନ୍ତୁ ଜଣେ ଜନପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ । ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମେନ୍ଦ୍ର ଟୁଇଟ୍ କରି ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର କେନ୍ଦୁଝରରେ ବିଜେପି ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା । ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ଏହି ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମାମାଡ କରିଥିଲେ । ଏହି ଘଟଣା ପରେ ବିଧାୟକ ସୁରକ୍ଷିତ ଥିଲେ ମଧ୍ୟ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା ।