ପରିକ୍ରମା ପ୍ରକଲ୍ପ ପଲିଟିକ୍ସ । ବିଜେପିର କେନ୍ଦ୍ରୀୟ ଓ ସ୍ଥାନୀୟ ନେତାଙ୍କ ଭିନ୍ନ ମତ, କଂଗ୍ରେସ କହିଲା ଡ୍ରାମା କରୁଛନ୍ତି ନେତା । ବିଜେଡି କହିଲା, ବିକାଶ କାମରେ ରାଜନୀତି ନହେଉ ।

69

କନକ ବ୍ୟୁରୋ : ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଓଡ଼ିଶା ମୁଖ୍ୟ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । କୋର୍ଟରେ ଏଏସଆଇର ଆଭିମୁଖ୍ୟ ପରେ ପ୍ରକଳ୍ପର ରୂପରେଖରେ ସାମାନ୍ୟ ପରିବର୍ତନ କରିବାକୁ ନିଷ୍ପତି କରାଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ନିର୍ମାଣ ହେବାକୁ ଥିବା ଅଭ୍ୟର୍ଥନା କକ୍ଷକୁ ନିୟନ୍ତ୍ରିତ ଅଂଚଳ ଅର୍ଥାତ ୧୦୦ ମିଟର ବାହାରେ କରିବାକୁ ଯୋଜନା ହୋଇଛି । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିଜେପିର ଦୁଇ ନେତା ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଭିନ୍ନମତକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ପୁଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛି ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ସଂସ୍ଥା । ଏଏସଆଇର ଆଂଚଳିକ ମୁଖ୍ୟ ଅରୁଣ ମଲ୍ଲିକଙ୍କ ନେତୃତ୍ୱର ଏକ ୪ ଜଣିଆ ଟିମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀମାନେ ଏହି ସମୟରେ ଉପସ୍ଥିତ ଥିଲେ ।କୋର୍ଟରେ ଏଏସଆଇର ଆଭିମୁଖ୍ୟ ପରେ ପ୍ରକଳ୍ପର ରୂପରେଖରେ ସାମାନ୍ୟ ପରିବର୍ତନ କରିବାକୁ ନିଷ୍ପତି କରାଯାଇଛି । ପୂର୍ବରୁ ଶ୍ରୀମନ୍ଦିରର ୧୦୦ ମିଟର ନିଷିଦ୍ଧାଂଚଳରେ ନିର୍ମାଣ ହେବାକୁ ଥିବା ଅଭ୍ୟର୍ଥନା କକ୍ଷକୁ ନିୟନ୍ତ୍ରିତ ଅଂଚଳ ଅର୍ଥାତ ୧୦୦ ମିଟର ବାହାରେ କରିବାକୁ ଯୋଜନା ହୋଇଛି ।

ଶ୍ରୀମନ୍ଦିର ପରିସରର ୧୦୦ ମିଟର ଭିତରେ ଖନନ ଫଳରେ ଐତିହ୍ୟ କିର୍ତ୍ତୀରାଜି ପାଇଁ ବିପଦ ସୃଷ୍ଟି ହୋଇଥାଇପାରେ ବୋଲି ହାଇକୋର୍ଟରେ କହିଥିଲା ଏଏସଆଇ । କୁହାଯାଉଛି ଖନନ ବେଳେ ଏମାର ମଠରୁ ପ୍ରାଚୀନ କିର୍ତୀରାଜି ମିଳିଥିଲା, ଯାହାର ଫଟୋ ମଧ୍ୟ କୋର୍ଟଙ୍କୁ ଦେଇଛି ଏଏସଆଇ । ଏଭଳି ଅନେକ ମୂର୍ତି ଶ୍ରୀମନ୍ଦିର ଚାରିପଟେ ଥିବା ସନ୍ଦେହକୁ ଏଡାଇ ହେବନାହିଁ ବୋଲି ମଧ୍ୟ କହିଛି ଏଏସଆଇ ।

ବିବାଦ ବଢିବା ପରେ ଆଗାମୀ ୨୨ ତାରିଖରେ ଶୁଣାଣି ପୂର୍ବରୁ ପରିକ୍ରମା ପ୍ରକଳ୍ପର ଡିଜାଇନ ବଦଳାଇବାକୁ ଯୋଜନା ହେଉଛି । ଏପଟେ କିନ୍ତୁ ବିରୋଧୀ ଏହି ପ୍ରସଙ୍ଗକୁ ନେଇ ଗୋଟିଏ ସ୍ୱରରେ ଆକ୍ରମଣାତ୍ମକ ହୋଇପାରୁ ନାହାନ୍ତି । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ହାତରେ ଜଗନ୍ନାଥଙ୍କ ମୂର୍ତି ଧରି ପୁରୀରେ ସରକାରଙ୍କୁ ଆକ୍ରମଣ କରୁଥିବାବେଳେ ସ୍ଥାନୀୟ ବିଧାୟକଙ୍କ ଭିନ୍ନମତ ବିଜେପିର ଆଭିମୁଖ୍ୟକୁ ଦ୍ୱନ୍ଦ୍ୱାତ୍ମକ କରିପକାଇଛି । ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି , ସେ ପ୍ରକଳ୍ପ କାମକୁ ସମର୍ଥନ କରୁଛନ୍ତି । ବିକାଶକୁ ସମର୍ଥନ କରୁଛନ୍ତି । କିନ୍ତୁ ଯାହା ହେଉଛି ଆଇନ ଭିତରେ ହେଉ ।

ବିଜେପି ନେତା ମାପିଚୁପି ଉତର ଦେଉଥିବାବେଳେ କଂଗ୍ରେସ କହିଛି, ବିଜେପି ନେତା ଡ୍ରାମା କରୁଛନ୍ତି । ଆଉ ବିଜେଡିର କହିବା ହେଲା ବିକାଶ କାମରେ ରାଜନୀତି ନହେଉ । ଏଏସଆଇର ଆଂଚଳିକ ମୁଖ୍ୟ ଅରୁଣ ମଲ୍ଲିକ ଆଜି ନିର୍ମାଣ ସ୍ଥଳ ବୁଲୁଥିବା ବେଳେ କାମର ଭିଡିଓଗ୍ରାଫି ଓ ଡକ୍ୟୁମେଂଟେସନ୍ କରୁଥିବା ଦେଖିବାକୁ ମିଳିଛି । ଏହା ସହ ଭର୍ଚୁଆଲରେ ସେ ଏଏସଆଇ ଡିଜିଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ଜୁନ୍ ୨୨ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତୀ ଶୁଣାଣି ହେବ । ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏଏସଆଇ । ସରକାର ମଧ୍ୟ ଏଏସଆଇ ସତ୍ୟପାଠର ଜବାବ ରଖିବାକୁ ଯାଉଥିବାବେଳେ ପ୍ରକଳ୍ପର ଡିଜାଇନ ବଦଳାଇବାକୁ ନିଷ୍ପତି ନେବା ଚର୍ଚ୍ଚାର ବିଷୟ ହୋଇଛି ।