ରାଜରାସ୍ତାରେ ଶିକ୍ଷକ ! ବିପର୍ଯ୍ୟସ୍ତ ଶିକ୍ଷାକୁ ନେଇ ବିଜେପି ଟାର୍ଗେଟରେ ବିଜେଡି ।

51

କନକ ବ୍ୟୁରୋ : ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳୁଛନ୍ତି ଶିକ୍ଷକ । ଦାବି ପୂରଣ ପାଇଁ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ଅଧ୍ୟାପକ । କହିଛନ୍ତି, ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁନାହାଁନ୍ତି । ତେଣୁ ଶିକ୍ଷକ ତାଙ୍କ ନାର୍ଯ୍ୟ ଦାବି ପୂରଣ ପାଇଁ ଲଢେଇ ଜାରି ରଖିବେ । ଦାବି ପୂରଣ ନେଇ ରାଜ୍ୟ ସରକାର କୌଣସି ନିଷ୍ପତି ନେଉନଥିବାରୁ ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିବାକୁ ପୂର୍ବରୁ ଧମକ ଦେଇଥିଲେ ଆନ୍ଦୋଳନରତ ଶିକ୍ଷକ-ଅଧ୍ୟାପକ-କର୍ମଚାରୀ ମିଳିତ ମଂଚ । ଏପରିକି ଯଦି ସରକାର ଦାବି ପୂରଣ ନକରନ୍ତି ଆସନ୍ତାକାଲି ଠାରୁ ସ୍କୁଲରେ ତାଲା ପଡିବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି ।

ଅନ୍ୟପଟେ ଗୁରୁ ଦିବସକୁ କଳାଦିବସ ପାଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ଶିକ୍ଷକମାନେ କଣ, ଗୁରୁଦିବସ ପାଳନ କରନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି । କଳାଦିବସ ପାଳନ କଲେ ବି ଏହାର କୌଣସି ପ୍ରଭାବ ପଡ଼ିବନାହିଁ ଏବଂ ଶିକ୍ଷକଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ତେବେ ଶିକ୍ଷକମାନଙ୍କ ସମସ୍ୟାକୁ ନେଇ ଆଜି ବିଧାନସଭା ମୌସୁମୀ ଅଧିବେଶନରେ ହଙ୍ଗାମା କରିଛନ୍ତି ବିଜେପି ନେତା । ଗୃଦର ମଧ୍ୟଭାଗକୁ ଆସି ବିଜେପି ନେତାମାନେ ହଟ୍ଟଗୋଳ କରିଛନ୍ତି । ଏପରିକି ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏବଂ ରବି ନାଏକ ଲୋୟର ପିଏମଜି ଠାରେ ଚାଲିଥିବା ଶିକ୍ଷକ ମାନଙ୍କର ଏହି ପ୍ରତିବାଦରେ ସାମିଲ ମଧ୍ୟ ହୋଇଛନ୍ତି । ଗୃହ ଅଚଳ ହେବା ପରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ବିଧାୟକ ରବି ନାଏକ କହିଛନ୍ତି । ଏପରିକି ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ପକ୍ଷପାତିତାକୁ ସେ ନିନ୍ଦା କରିଛନ୍ତି ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, ସରକାର ଅତୀତରେ ଶିକ୍ଷକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ପ୍ରତିଶୃତି ଦେଇ ପାଳନ ନକରିବା ଏକ ଦୁର୍ଭାଗ୍ୟଜନକ ଘଟଣା । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିଥିବା ସେ କହିଛନ୍ତି । ତେବେ ରାଜ୍ୟ ସରକାର ତୁରନ୍ତ ଶିକ୍ଷକମାନଙ୍କର ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ସେପଟେ ଶିକ୍ଷକମାନଙ୍କୁ ସରକାର ଅବେହଳା କରିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ରବି ନାଏକ ।