କନକ ବ୍ୟୁରୋ: ସମ୍ବଲପୁରରେ କର୍ଫ୍ୟୁ କଟକଣା ବଳବତ୍ତର ଥିବାବେଳେ, ଝାରସୁଗୁଡା ପଟୁ ସମ୍ବଲପୁର ଅଭିମୁଖେ ବାହାରିଥିଲେ ବିଜେପିର ଏକ ପ୍ରତିନିଧି ଦଳ । ହେଲେ, ସମ୍ବଲପୁର-ଝାରସୁଗୁଡ଼ା ସୀମାନ୍ତ ଶ୍ରୀପୁରା ଛକରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍ । ଜିଲ୍ଲାରେ କର୍ଫ୍ୟୁ କଟକଣା ଲଗାଯାଇଥିବାରୁ ବିଜେପି ନେତାମାନଙ୍କୁ ଛାଡି ନଥିଲା ପୋଲିସ । ବିଜେପି ନେତାମାନଙ୍କୁ ସମ୍ବଲପୁର ଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ଦେଖାଇ ଆଗକୁ ଛାଡି ନଥିଲେ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ । ଯାହାକୁ ନେଇ ବିଜେପି ନେତା ଓ ପୋଲିସ ମଧ୍ୟରେ କଥା କଟାକଟି ହୋଇଥିଲା ।

Advertisment

ଯୁକ୍ତିତର୍କ ପରେ ସମ୍ବଲପୁର ଯିବାକୁ ବିଜେପି ନେତାମାନେ ଜିଦ୍ ଧରି ଆଗକୁ ଚାଲିଥିଲେ । ତାପରେ ସେମାନଙ୍କୁ ଗାଡିରେ ବସାଇ ଠେଲକୋଇ ଥାନାକୁ ନେଇ ଯାଇ, ଥାନାରେ ବସାଇ ଦେଇଥିଲା ପୋଲିସ । ଥାନାରେ ବସାଇ ଦେବା ପରେ, ବିଜେପି ନେତାମାନେ କହିଥିଲେ ସେମାନଙ୍କୁ ଗିରଫ କରାଯାଇଛି । କିନ୍ତୁ ପରେ ପୋଲିସ ଅଧିକାରୀ ସ୍ପଷ୍ଟ କରିଥିଲେ, ବିଜେପି ନେତାମାନଙ୍କୁ ଗିରଫ କରାଯାଇ ନାହିଁ, ଅଟକ ରଖାଯାଇଛି ।

ବିଜେପି ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ଜୁଏଲ ଓରାମ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିଧାୟକ ନାଉରୀ ନାୟକ, କୁସୁମ ଟେଟେ, ଶଙ୍କର ଓରାମଙ୍କ ସମେତ ପ୍ରାୟ ୧୫ଜଣ ବିଜେପି ନେତାଙ୍କୁ ଠେଲକୋଲେଇ ପୁଲିସ ଅଟକ ରଖିଥିଲା । ହେଲେ, ପ୍ରୋଟୋକଲ ଦୃଷ୍ଟିରୁ ବିଜେପି ପ୍ରତିନିଧି ଦଳରେ ଥିଲେ ବି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଅଟକ ରଖିନଥିଲା ପୋଲିସ । ବିଜେପି ନେତାଙ୍କ କହିବା କଥା, ଶୋଭାଯାତ୍ରା ବେଳେ ହିଂସାକାଣ୍ଡର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ହନୁମାନ ଜୟନ୍ତୀ ସମନ୍ୱୟ ସମିତିର ଅଧ୍ୟକ୍ଷ ଦାମୋଦର କରଙ୍କୁ ଭେଟିବାକୁ ଯାଉଥିଲେ । ସମ୍ବଲପୁରର ସ୍ଥିତି ନେଇ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଯାଉଥିଲେ । ଏଥିପାଇଁ ସୋମବାର ରାତିରେ ଆରଡିସି ସେମାନଙ୍କୁ ଅନୁମତି ଦେଇଥିଲେ । ହେଲେ, ସକାଳୁ ସକାଳୁ ମନା କରିଥିଲେ ।

ବିଜେପି ଟିମ୍ ସମ୍ବଲପୁର ଗଲେ ସ୍ଥିତି ବିଗିଡିବାର ଆଶଙ୍କା କରି ପୁଲିସ ସେମାନଙ୍କୁ ଅଟକାଇଥିବା ସୂଚନା ମିଳିଛି । ପରିସ୍ଥିିତି ନିୟନ୍ତ୍ରଣରେ ଥିଲେ ବି କୌଣସି ପ୍ରକାରର ଅପ୍ରିତିକର ପରିସ୍ଥତିକୁ ଏଡାଇବା ପାଇଁ ପୁଲିସ ବିଜେପି ନେତାଙ୍କୁ ଛାଡିନଥିବା କୁହାଯାଉଛି । ବିଜେଡି ନେତା କହିଛନ୍ତି, ସାମ୍ପ୍ରଦାୟିକ ସଦଭାବ ବଜାୟ ରଖିବା ଉଭୟ ଶାସକ ଓ ବିରୋଧୀ ଦଳର କର୍ତ୍ତବ୍ୟ । ଅନ୍ୟପଟେ କର୍ଫ୍ୟୁ ସମୟରେ, କୋହଳ ଅବଧିକୁ ବଢ଼ା ଯାଇଥିଲେ ବି, ସ୍ଥିତିକୁ ନଜରରେ ରଖି ଇଂଟରନେଟ୍ ସେବାକୁ ବୁଧବାର ୧୦ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।