ମଣ୍ଡି ଅବ୍ୟବସ୍ଥା ନେଇ ବିଜେପି ନେତାଙ୍କ ହଙ୍ଗାମା । ସମ୍ବଲପୁର ଆରଡିିସି ଅଫିସ ଘେରାଉ ବେଳେ ପୁଲିସ ସହ ବିଜେପି ନେତା, କର୍ମୀଙ୍କ ଧସ୍ତାଧସ୍ତି । ରାଜ୍ୟ ସଭାପତିଙ୍କ ସହ ଅନେକ ନେତା ଅଟକ ।

80

କନକ ବ୍ୟୁରୋ : ଭିତରେ ଭିତରେ ଗୁହୁଳୁଥିବା ଚାଷୀ ଅସନ୍ତୋଷର ନିଆଁରେ ଘିଅ ଢ଼ାଳିଲା ଭଳି କାମ କରିଛି ବିଜେପିର ଚାଷୀ ଅଧିକାର ରାଲି । ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ ନେଇ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଚାଷୀଙ୍କ ପ୍ରତିବାଦ ଭିତରେ ସମ୍ବଲପୁରରେ ଏକ ବିଶାଳ ପ୍ରତିବାଦ ରାଲି କହିଛି ବିଜେପି । ଆଉ ଆରଡିିସି ଅଫିସ ଘେରାଉ ବେଳେ ଦେଖିବାକୁ ମିଳିଛି ଉତ୍ତେଜନା । ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ବିଜେପି ନେତା ଓ କର୍ମୀ । ବିଜେପିର ତୁଙ୍ଗ ନେତାକୁ ପୁଲିସ୍ ଉଠାଇ ନେଇଥିବା ବେଳେ ନେତା ଥାନା ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଚାଷୀ ଅଧିକାର ନାଁରେ ବିଜେପି କରିଥିବା ପ୍ରତିବାଦରେ ସେହି ସବୁ ଅଭିଯୋଗ ଦୋହରାଯାଇଛି, ଯାହା ଚାଷୀ ବାରମ୍ବାର ଦାବି କରିଆସୁଛନ୍ତି । ମଣ୍ଡିରେ ଦିନ ଦିନ ଧରି ଧାନ ପଡ଼ି ରହୁଛି । ମଣ୍ଡିରୁ ଧାନ ଉଠୁନାହିଁ । ଧାନର ମାନକୁ ନେଇ ମଣ୍ଡିରେ କଟଣି କରାଯାଉଛି । ଟୋକନ୍ ଥାଇ ସୁଦ୍ଧା ମଣ୍ଡି ଧାନ ନେଉନାହାଁନ୍ତି ।

ମଣ୍ଡି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଟୋକନ୍ ଲାପ୍ସ କରିଯାଉଛି । ଏହି ସବୁ ଦାବି ତୁରନ୍ତ ସମାଧାନ ନହେଲେ ଆନ୍ଦୋଳନ ତିବ୍ରତର ହେବ ବୋଲି ବିଜେପି ଚେତାବନୀ ଦେଇଛି । ଆଉ ଏହାରି ଭିତରେ ଦିଲ୍ଲୀର ଚାଷୀ ଆନ୍ଦୋଳନକୁ ଇସାରା କରି କଂଗ୍ରେସ ବିଧାୟକ କହିଛନ୍ତି- ସଇତାନ କରୁଛି ବେଦପାଠ ।

ରାଜନୀତିର ଏହି ବୟାନବାଜୀ ଭିତରେ ଚଳିତବର୍ଷ ଓଡ଼ିଶାରେ ବମ୍ପର୍ କ୍ରପ୍ ହୋଇଛି । ଶେଷ ଖବର ସୁଦ୍ଧା ଓଡ଼ିଶାରେ ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଯାହା, ପୂର୍ବ ବର୍ଷ ତୁଳନାରେ ୨୨% ଅଧିକ । ବଡ଼ କଥା ହେଉଛି- ବରଗଡ଼ରେ ୧୩%, ବଲାଙ୍ଗୀର ୪୦%, କଳାହାଣ୍ଡିରେ ୧୬%, ସୋନପୁର ୧୭%, ସୁନ୍ଦରଗଡ଼ ୧୭% ଅଧିକ ଧାନ ସଂଗ୍ରହ ହୋଇଛି ।