‘ଏବେ ମୁଁ ଅବସର ନେଇପାରିବି’ । ରାଲିରେ ପୁଅ ଦୁଷ୍ୟନ୍ତର ଭାଷଣ ଶୁଣିବା ପରେ ରାଜନୀତି ଛାଡିବାକୁ ସଙ୍କେତ ଦେଲେ ବସୁନ୍ଧରା ରାଜେ

940

କନକ ବ୍ୟୁରୋ: ରାଜସ୍ଥାନରେ ଏବେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ଏଭଳି ସମୟରେ ରାଜନୀତି ଛାଡିବାକୁ ସଙ୍କେତ ଦେଇଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ବସୁନ୍ଧରା ରାଜେ । ଝାଲାୱାଡରେ ଆୟୋଜିତ ଏ ଜନସଭାରେ ନିଜ ସାଂସଦ ପୁଅ ଦୁଷ୍ୟନ୍ତ ସିଂହଙ୍କ ଭାଷଣ ଶୁଣିବା ପରେ ନିଜେ ଜନସଭାକୁ ସମ୍ବୋଧନ କରିଥିଲେ । ଏହି କ୍ରମରେ ବସୁନ୍ଧରା କହିଥିଲେ, ‘ମୋ ପୁଅ କଥା ଶୁଣିବା ପରେ ମୋତେ ଲାଗୁଛି ଏବେ ମୋତେ ରିଟାୟରମେଣ୍ଟ ନେବା ସମୟ ଆସିଛି । ଦଳର ବରିଷ୍ଠ ରାଜନେତାମାନେ ତାକୁ ଏତେ ଭଲ ଭାବେ ପ୍ରଶିକ୍ଷଣ ଦେଇଛନ୍ତି ଯେ, ମୋତେ ଆଉ କିଛି ବେଶି ପରିଶ୍ରମ କରିବାକୁ ପଡିବନି । ସେ ତା’ ଦମରେ ଆଗେଇପାରିବ ବୋଲି ମୋର ଦୃଢ ବିଶ୍ୱାସ’ ।

ରାଜସ୍ଥାନରେ ବିଧାନସଭା ନିବାଚନ ନଭେମ୍ବର ୨୫ ରେ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୩ରେ ଗଣତି ହେବାର ସୂଚୀ ରହିଛି । ତେବେ ଚଳିତ ଥର ରାଜସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନାହିଁ ବିଜେପି । ଏଭଳି ସ୍ଥିତିରେ କିଛି ମାସ ପୂର୍ବରୁ ବିଜେପି ନିର୍ବାଚନ ଜିତିବା ନେଇ ରାଜେଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି ।