କନକ ବ୍ୟୁରୋ : କେତେ ଅସଭ୍ୟ ହୋଇପାରେ ମଣିଷ । ଅର୍ଥବଳ, ବାହୁବଳର ଗର୍ବ ତାକୁ କେଉଁ ସ୍ତରରେ ପହଂଚାଇପାରେ ତାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବିଜେପି ନେତା ତଥା ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧୀ ପ୍ରବେଶ ଶୁକ୍ଳାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ପ୍ରବେଶ ଶୁକ୍ଳା ନିଶାରେ ଜଣେ ଆଦିବାସୀ ଯୁବକଙ୍କ ଉପରେ ପରିଶ୍ରା କରୁଛନ୍ତି । ହାତରେ ସିଗାରେଟ ଧରି ଜଣେ ମାଫିଆ ଭଳି ସେ ଜଣେ ଆଦିବାସୀ ଯୁବକଙ୍କ ଉପରେ ଯେଭଳି ପରିଶ୍ରା କରୁଛନ୍ତି ତାହା ସଭ୍ୟ ସମାଜ ଓ ଏକ ଗଣତନ୍ତ୍ର ରାଷ୍ଟ୍ରର ସରକାରଙ୍କ ଚରିତ୍ରକୁ କଳଙ୍କିତ କରିଛି । ହେଲେ ସବୁଠାରୁ ବଡ କଥା କି କଥା କଥାରେ ଦେଶପ୍ରେମ, ରାଷ୍ଟ୍ରବାଦ କଥା କହୁଥିବା ବିଜେପିର ସରକାର ମଧ୍ୟପ୍ରଦେଶରେ ରହିଛି । ହେଲେ ଏହି ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ବିଜେପି ନିଜକୁ ଏଥିରୁ ଅଲଗା କରିବାକୁ ଚେଷ୍ଟା କରିଛି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରିଛନ୍ତି । ସେ କହିଛନ୍ତି କି, ଅଭିଯୁକ୍ତଙ୍କ ଉପରେ ଦେଶଦ୍ରୋହ ବା ଏନଏସଏ ଧାରାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି ।

Advertisment

କୁହାଯାଉଛି କି ଅଭିଯୁକ୍ତ ପ୍ରବେଶ ଶୁକ୍ଳା ବିଜେପି ବିଧାୟକ କେଦାରନାଥ ଶୁକ୍ଳାଙ୍କ ପୂର୍ବ ପ୍ରତିନିଧି । ଏହି ଘଟଣା ୯ଦିନ ତଳର । ଭିଡିଓଟି ସିଦ୍ଧି ଜିଲ୍ଲାର କୁବେରୀ ବଜାରରେ ଘଟିଛି । ଏଠାରେ ମାନସିକ ଭାବେ ଦିବ୍ୟାଙ୍ଗ ଜଣେ ଆଦିବାସୀ ଯୁବକ ରାସ୍ତାକଡରେ ବସିଥିଲା । ପ୍ରବେଶ ଶୁକ୍ଳା ନିଶାରେ ଥାଇ ତାଙ୍କ ଉପରେ ପରିଶ୍ରା କରିଛନ୍ତି ।

ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ କଡା ପ୍ରତିକ୍ରିୟା ରଖିଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କମଲନାଥ କହିଛନ୍ତି କି, ଏହି ଘଟଣାକୁ ନେଇ ପୂରା ମଧ୍ୟପ୍ରଦେଶ ଲଜ୍ଜିତ । ଏହି ଘଟଣାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ । ଏହା ସହ ମଧ୍ୟପ୍ରଦେଶରେ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚରକୁ ନେଇ ସରକାର କଠୋର ଆଇନ ଆଣନ୍ତୁ ।