ଦଳରୁ ମିଳିଲା ନିର୍ଦ୍ଦେଶ । ନିଜ ନିଜ କ୍ଷେତ୍ରରେ ଟଙ୍କାଦେଇ ଟିକା ନେବେ ବିଜେପିର ବିଧାୟକ ଓ ସାଂସଦ

124

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ଭାରତର ପ୍ରଦର୍ଶନ ସବୁଠାରୁ ଆଗରେ ରହିଛି  । ଏନେଇ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜିଠାରୁ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ (ବ୍ୟାଧି ପୀଡିତ)ଙ୍କୁ ଟିକା ଦିଆଯାଉଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇ ଟିକାକୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ସନ୍ଦେହ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଏହାସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବି ଟିକା ନେଇଛନ୍ତି ।

ଗୋଟିଏ ପଟେ ସରକାରୀ ସ୍ଥରରେ ଏହି ଟିକା ମାଗଣା ଦିଆଯାଉଥିବା ବେଳେ ଯେଉଁ ଲୋକମାନେ ଚାହିଁବେ ଏହି ଟିକାକୁ ବେସରକାରୀ ମେଡିକାଲରୁ ବି କିଣିପାରିବେ ବୋଲି କୁହାଯାଇଛି । ହେଲେ ବେସରକାରୀ ମେଡିକାଲରୁ ଟିକା କିଣିଲେ ପ୍ରତି ଡୋଜକୁ ୨୫୦ ଟଙ୍କା ଦେବାକୁ ହେବ ବୋଲି କୁହାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ଟିକା ନେବା ପରେ ବିଜେପି ପକ୍ଷରୁ ଦଳୀୟ ବିଧାୟକ ଓ ସାଂସଦ ମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି କି ଦଳର ସମସ୍ତ ବିଧାୟକ ଓ ସାଂସଦ ମାନେ ମାଗଣା ଟିକା ନ ନେଇ ଘରୋଇ ହସ୍ପିଟାଲରୁ ଟଙ୍କା ଦେଇ ଟିକା ନିଅନ୍ତୁ । ଏହା ଫଳରେ ସାଧାରଣ ଲୋକଙ୍କ ପାଇଁ ଅଧିକ ଟିକା ଯୋଗାଇ ହେବ । ଅନ୍ୟପଟେ ଲୋକପ୍ରତିନିଧି ମାନେ ନିଜ ନିଜ କ୍ଷେତ୍ରରେ ଥିବା ହସ୍ପିଟାଲରୁ ଟିକା ନେଲେ ଏହା ସାଧାରଣ ଲୋକଙ୍କର ବିଶ୍ୱାସଭାଜନ ହୋଇପାରିବ ଓ ଲୋକମାନେ ଟିକା ପ୍ରତି ଆଗ୍ରହ ଦେଖାଇବେ ।
କହିରଖୁ କି ଭାରତ ଇତିହାସରେ ପ୍ରଥମଥର ପାଇଁ ଟିକା ବିକ୍ରି ହେଉଛି । ଭାରତରେ ଯେତେ ମହାମାରୀ ଦେଖା ଦେଇଛି ତାହା ଲାଗି ସରକାରୀ ଅନୁଦାନରେ ସାଧାରଣ ଲୋକଙ୍କୁ ମାଗଣା ଟିକା ଦିଆଯାଇଥାଏ । ହେଲେ ପ୍ରଥମଥର ପାଇଁ ଟଙ୍କାଦେଇ ଟିକା ନେବାକୁ ସରକାର ପରାମର୍ଶ ଦେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ ।