ଗାନ୍ଧୀନଗରରୁ ଭୁବନେଶ୍ୱର ଭାୟା ଦିଲ୍ଲୀ । ବିଜେପିର ନେତା ନମ୍ବର-ଟୁ ।

136

କନକ ବ୍ୟୁରୋ : ଗାନ୍ଧୀନଗରରୁ ଭୁବନେଶ୍ୱର ଭାୟା ଦିଲ୍ଲୀ । ବିଜେପିର ନେତା ନମ୍ବର-ଟୁ । ଅମିତ ଶାହା…କିଏ ରାଜନୀତିର ଚାଣକ୍ୟ କହୁଛି, ତ ଆଉ କିଏ ବିଜେପିର ମାଷ୍ଟର ମାଇଣ୍ଡ । ମୋଦି ସରକାରଙ୍କ ନମ୍ବର-ଟୁ ନେତା ଗୃହମନ୍ତ୍ରୀ ଅମିତ ଶାହା, ବର୍ତମାନ ସମୟରେ ଦେଶର ରାଜନୀତିରେ ଏବେ ସବଠୁ ଚର୍ଚ୍ଚାରେ ଅଛନ୍ତି, ଯେତେବେଳେ ନାଗରିକତା ଆଇନକୁ ନେଇ ଚାରିଆଡେ ପ୍ରତିବାଦର ସ୍ୱର ଶାଣିତ ହେଉଛି । ଦିଲ୍ଲୀରେ ହିଂସାର ନିଆଁ ଜଳୁଛି, ଭୁବନେଶ୍ୱରରେ ଅମିତ ଶାହାଙ୍କ ଗସ୍ତକୁ ନେଇ କୁଶପୁତଳିକା ପୋଡୁଛି । ଏଭଳି ଏକ ମୁହୂର୍ତରେ ନାଗରିକତା ଆଇନ ସମର୍ଥନରେ ଭୁବନେଶ୍ୱରରେ ଲୋକଙ୍କୁ ବୁଝାଇବାକୁ ଭରପୁର ଉଦ୍ୟମ କରିଛନ୍ତି ମୋଦି ସରକାରଙ୍କ ନମ୍ବର-ଟୁ ନେତା ।

ଟ୍ରିପଲ ତଲାକ୍ ବେଆଇନ୍ ହେବା, କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାମ ମନ୍ଦିର ରାୟ, ମୋଦି ସରକାର ଚାହୁଁଥିବା ଢ଼ଙ୍ଗରେ ଯିବା, ସତେ ଯେମିତି ଏନଡିଏ ସରକାରକୁ ଉତ୍ସାହିତ କରିଦେଇଥିଲା । ଆଉ କାଳ ବିଳମ୍ବ ନକରି, ନାଗରିକତା ଆଇନକୁ କାର୍ଯ୍ୟକାରୀ କରିବାକୁ ବଢ଼ିଥିଲେ ମୋଦି ସରକାର । ସଂସଦର ଉଭୟ ଗୃହରେ ବିଲ୍ ପାରିତ ହେବା ପରେ ନାଗରିକତା ଆଇନ୍ ଆସିଲା । ହେଲେ, ଆଇନ୍ ଆସିବା ଯେତିକି ସହଜ ଥିଲା, ତା’ର ପବରର୍ତୀ ସ୍ଥିତି ସମ୍ବାଳିବା ମୋଦି ସରକାରଙ୍କୁ ସେତିକି କଷ୍ଟକର ହୋଇପଡ଼ିଲା । ଯେଉଁଥି ପାଇଁ ବିଜେପି ନେତାଙ୍କୁ ବୁଲି ବୁଲି ଏବେ କସରତ କରିବାକୁ ପଡୁଛି ।

ନାଗରିକତା ଆଇନ୍ ବିରୋଧରେ ଶାହିନବାଗରେ ଚାଲିଥିବା ପ୍ରତିବାଦ ଏବଂ ଏହା ପରେ ପରେ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଦଙ୍ଗା, ମୋଦି ସରକାରଙ୍କୁ ଏବେ ଆହୁରି ହରଡ଼ଘଣାରେ ପକାଇ ଦେଇଛି । ଆଉ ଏଭଳି ସ୍ଥିତିକୁ ସାମ୍ନା କରିବା ପାଇଁ ବିଜେପିର ନମ୍ବର-ଟୁ ନେତାଙ୍କୁ ବେଶ କସରତ କରିବାକୁ ପଡୁଛି ।

ସଂଗଠନ ମଙ୍ଗଧରି ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତାଇଥିଲେ ଅମିତ ଶାହା, ଆଉ ଯେତେବେଳେ ଗାନ୍ଧୀନଗରରୁ ନିର୍ବାଚିତ ହୋଇ ସରକାରର ଅଂଶ ବନିଲେ ତାଙ୍କୁ ମିଳିଲା ଗୃହମନ୍ତ୍ରୀ ଭଳି ସବୁଠୁ ଆହ୍ୱାନପୂର୍ଣ୍ଣ ଦାୟିତ୍ୱ । ମିଳିବା ବି ସ୍ୱାଭାବିକ୍ ଥିଲା, କାରଣ ଅମିତ ଶାହା ହିଁ ମୋଦିଙ୍କ ସବୁଠୁ ବିଶ୍ୱସ୍ତ ବୋଲି ଚର୍ଚ୍ଚା ହୁଏ ।