ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀଙ୍କୁ ହତ୍ୟା କଲା କିଏ? ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମର ଛାନଭିନ୍, ୫ଟି ଟିମ୍ ଗଠନ କଲା ପୋଲିସ ।

170

କନକ ବ୍ୟୁରୋ : ମହାଙ୍ଗାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କୂଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହ ବାଇକ୍ରେ ଯଁକୋଟି ଗ୍ରାମ ଦେଇ ନୃତାଙ୍ଗକୁ ଫେରୁଥିଲେ । ଶୀତ ଦିନିଆ ସନ୍ଧ୍ୟା ଥିବାରୁ ଚାରିଆଡେ ଅନ୍ଧାର ଥିଲା । ଠିକ୍ ଏହି ସମୟରେ ଯଁକୋଟି ବ୍ରାହ୍ମଣସାହି ନିକଟରେ ହୋଇଥିଲା ଅତର୍କିତ ଆକ୍ରମଣ । ପ୍ରାୟ ୬ ଜଣ ଦୁବୃର୍ତ ଅଚାନକ୍ ଆକ୍ରମଣ କରିବାରୁ ରାସ୍ତା ଉପରେ ପଡ଼ିଯାଇଥିଲେ, କୁଳମଣି ଏବଂ ତାଙ୍କ ସହଯୋଗୀ । ଦୁଇ ଜଣ ଯାକ ତଳେ ପଡ଼ିଯିବା ପରେ ଉଭୟଙ୍କ ମୁହଁ ଓ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ ଦୁର୍ବୃତ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ମାହାଙ୍ଗା ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସଂକଟାପନ୍ନ ଅବସ୍ଥାରେ ଦିବ୍ୟସିଂହଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା, ହେଲେ ସେଠି ତାଙ୍କୁ ବି ମୃତ ଘୋଷଣା କରିଥିଲେ ଡାକ୍ତର । ବଡ଼ କଥା ହେଉଛି- ଘଟଣାସ୍ଥଳରୁ ହସ୍ପିଟାଲ ନେବା ରାସ୍ତାରେ କୂଳମଣି ବରାଳ, ଆକ୍ରମଣକାରୀଙ୍କ ନାଁ କହିଥିବା ଦାବି କରିଛନ୍ତି, ମୃତ କୂଳମଣୀଙ୍କ ପୁଅ ।

ଏହି ହତ୍ୟାକାଣ୍ଡକୁ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ମୃତ କୁଳମଣି ବରାଳଙ୍କ ପୁଅ । ଯେଉଁଥିରେ ମନ୍ତ୍ରୀଙ୍କ ସମେତ ୧୨ ଜଣଙ୍କ ନାଁ ରହିଛି । ଏପଟେ ଘଟଣାସ୍ଥଳରେ ସାଇନ୍ଟିଫିକ୍ ଟିମ୍ ପହଂଚି, ଛାନ୍ବିନ୍ ଆରମ୍ଭ କରିଛି । ଜଣେ ଲେଖାଏଁ ଇନ୍ସ୍ପେକ୍ଟରଙ୍କ ନେତୃତ୍ୱରେ ୫ଟି ଟିମ୍ ଗଠନ କରି ଛାନ୍ବିନ୍ କରୁଛି ପୁଲିସ୍ । କିଛି ସନ୍ଦିଗ୍ଧଙ୍କ ଉପରେ ପୁଲିସ୍ ନଜର ରଖିଥିବା କହିଛନ୍ତି କଟକ ଏସପି ।

ଏପଟେ ହତ୍ୟାକାଣ୍ଡ ପଛରେ ରାଜନୈତିକ ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ତେଜିଛି ରାଜନୀତି । ବିଜେପି ସିଧାସଳଖ ଶାସକ ବିଜେଡି ଦଳର ନେତାଙ୍କୁ ଇଙ୍ଗିତ କରିଥିବା ବେଳେ ଓଡ଼ିଶାର ଗାଁ ଗାଁରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।
ଏପଟେ ପିସିସି ସଭାପତି ଘଟଣାକୁ ନିନ୍ଦା କରିଥିବା ବେଳେ ହତ୍ୟାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ । ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଲାଗି ରହିଥିବା ବେଳେ ସ୍ଥିତିକୁ ନଜରରେ ରଖି ବ୍ୟାପକ ତିନି ପ୍ଲାଟୁନରୁ ଅଧିକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।