ପ୍ରଳୟ ପରେ ପଲିଟିକ୍ସ । ବାତ୍ୟା ମୁକାବିଲା ନେଇ ଓଡିଶାକୁ ପ୍ରଶଂସା କଲେ ଜାତିସଂଘ ଓ ପ୍ରଧାନମନ୍ତ୍ରୀ । ଲେଖାଶ୍ରୀଙ୍କୁ ହେଲାନି ହଜମ, ଟ୍ୱିଟ୍ କରି ନବୀନଙ୍କୁ କଲେ ସମାଲୋଚନା ।

1,692

କନକ ବ୍ୟୁରୋ : ଭୟଙ୍କର ସାମୁଦ୍ରିକ ଝଡ ‘ଫୋନି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରି ଇତିହାସ ରଚିଥିଲା ଓଡିଶା । ବାତ୍ୟା ‘ଫୋନି’ ପୂର୍ବରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ସାରା ବିଶ୍ୱରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ । ସାରା ଦୁନିଆ ପାଇଁ ଓଡିଶା ଏକ ଉଦାହରଣ ବୋଲି କହଥିଲେ ମିଳିତ ଜାତିସଂଘ । ଏପରିକି ନିକଟରେ ବାତ୍ୟାର ସମୀକ୍ଷା ପାଇଁ ଆସିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ତାରିଫ୍ କରିଥିଲେ । ହେଲେ ଏସବୁ ହଜମ ହେଲାନି ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ । ବାତ୍ୟା ପ୍ରସ୍ତୁତି ନେଇ ଓଡିଶାକୁ ପୁରା ବିଶ୍ୱର ପ୍ରଶଂସା ମିଳିଥିବା ବେଳେ ସମାଲୋଚନା କରିଛନ୍ତି ଲେଖାଶ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଟ୍ୱିଟ୍ କରି ଲେଖିଛନ୍ତି, ‘ଜିରୋ କାଜୁଆଲିଟିର ଅର୍ଥ ହେଉଛି, ୫୦ ଜଣଙ୍କର ମୃତ୍ୟୁ । ଓଡିଶାକୁ ମିଳିତ ଜାତିସଂଘ ପ୍ରଂଶସା କରିବାର ଅର୍ଥ, ରାଜଧାନୀରେ ପାଣି ନମିଳିବା । ଅମୁଲ, ଓଡିଶାକୁ ପ୍ରଂଶସା କରିବା ଅର୍ଥ ହେଉଛି, ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହେବା । ଏହିଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଲେଖାଶ୍ରୀ । ନବୀନ ବାବୁ ବାତ୍ୟା ପ୍ରସ୍ତୁତିର ଅର୍ଥ ବଦଳାଇ ଦେଇଛନ୍ତି ବୋଲି ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।’

୧୯୯୯ ମସିହା ମହାବାତ୍ୟା ସମୟରେ ଯେଉଁ କାରଣ ପାଇଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, ଏଥର ବାତ୍ୟା ବେଳେ ତାହା ଉପରେ ଫୋକସ କରିଥିଲେ ରାଜ୍ୟ ସରକାର । ବାତ୍ୟା ‘ଫୋନି’ ସ୍ଥଳଭାଗ ଛୁଇଁବା ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଫୋନି ଆସିଲା ଆଉ ସବୁ କିଛି ଉଜାଡି ଦେଇଗଲା । କିନ୍ତୁ ବଞ୍ଚିଗଲା ଲକ୍ଷ ଲକ୍ଷ ଜୀବନ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱରୁ ସାଉଁଟୁଛନ୍ତି ବାହାବା ।

ଓଡିଶାର ପ୍ରସ୍ତୁତି ନେଇ ମିଳିତ ଜାତିସଂଘ କହିଛନ୍ତି, ‘ଓଡିଶାର ଶୁନ୍ୟ ମୃତାହତ ନୀତି ବା ଜିରୋ କାଜୁଆଲିଟି ଏବଂ ବାତ୍ୟା ଆସିବା ପୂର୍ବରୁ ଓଡିଶାର ପ୍ରସ୍ତୁତି ଦେଶ ଓ ଦୁନିଆ ପାଇଁ ଏକ ଉଦାରହଣ ।’

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ସରକାରଙ୍କ ପ୍ରଂଶସା କରିଛନ୍ତି । ମୋଦି କହିଛନ୍ତି, ‘ନବୀନ ବାବୁ ବହୁତ ଭଲ କାମ କରିଛନ୍ତି । ଓଡିଶା ସମସ୍ତ ରାଜ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରିବା କିଛି କମ୍ କଥା ନୁହେଁ ।’

ଅନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୱର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ, ‘୧୨ ଲକ୍ଷ ଲୋକଙ୍କୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଉତ୍ତମ ଯୋଜନାନୁଯାୟୀ ସୁରକ୍ଷିତ ସ୍ଥାନାନ୍ତରଣ କରି ଓଡିଶା ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।’

ସେହିପରି ଜାତୀୟ ଗଣମାଧ୍ୟମ ଏନଡି ଟିଭିରେ ପ୍ରସାରିତ ଖବର ଅନୁସାରେ, ‘ଓଡିଶା ବାତ୍ୟା ‘ଫୋନି’କୁ ନିଜ ଆଖିରେ ଦେଖିଲା । ଆଉ ତାକୁ ଦୃଢତାର ସହ ମୁକାବିଲା କରି ବିଜୟ ଲାଭ କଲା ।’

କିଛି ଏହିଭଳି ଭାବେ ସାରା ବିଶ୍ୱରୁ ଓଡିଶାକୁ ମିଳୁଛି ପ୍ରଂଶସା । ଆଉ ଅନ୍ୟପଟେ ପ୍ରକୃତିର କରାଳ କାୟାରେ ଦୁର୍ଦ୍ଦଶା ଭୋଗୁଥିବା ଓଡିଶା କିଭଳି ପୁଣି ଥରେ ଅଣ୍ଟା ସଳଖିବ, ସେନେଇ ଚିନ୍ତା କରିବା ବଦଳରେ ଏଥିରେ ରାଜନୈତିକ ଲେପ ଲଗାଇଛନ୍ତି ଲେଖାଶ୍ରୀ । ଆଉ ଯାହାକୁ ନେଇ ଲେଖାଶ୍ରୀଙ୍କ ବିରୋଧରେ ବିଭିନ୍ନ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଶୁଣିବାକୁ ମିଳୁଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲେଖାଶ୍ରୀ ରାଜନୈତିକ ଉଦ୍ଦେଶ୍ୟରେ ନିଜ ମାନବିକତାର ପରିଚୟ କେଉଁ ସ୍ତରର ବୋଲି ପ୍ରମାଣିତ କରିଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ଜୋରଧରିଛି ।