ବାଜପେୟୀଙ୍କୁ ବିଜେପି ନେତା ଏମିତି ଦିଅନ୍ତି ସମ୍ମାନ! ଅସ୍ଥି କଳସ ଯାତ୍ରାରେ ହସୁଥିଲେ ବିଜେପି ନେତା

64

ଶୋକସଭାରେ ହସିଲେ ମନ୍ତ୍ରୀ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନିଧନ ପରେ ତାଙ୍କ ସମ୍ମାନରେ ପୂରା ଦେଶର ବିଭିନ୍ନ ନଦୀରେ ଅସ୍ଥି ବିସର୍ଜନ କରିବାକୁ ଘୋଷଣା କରିଥିଲା ବିଜେପି । ଆଉ ଏଥିପାଇଁ ବିଭିନ୍ନ ରାଜ୍ୟରେ ବିଜେପି ପକ୍ଷରୁ ଅସ୍ଥି କଳସ ଯାତ୍ରାରେ ବାଜପେୟୀଙ୍କ ଚିତାଭସ୍ମ ନିଆଯାଇ ନଦୀ କିମ୍ବା ସମୁଦ୍ରରେ ବିସର୍ଜନ କରାଯାଉଛି । ଦେଶ ନିଜର ପ୍ରିୟ ନେତାଙ୍କୁ ହରାଇ ଦୁଃଖରେ ଥିବା ବେଳେ ଛତିଶଗଡରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ବାଜପେୟୀଙ୍କ ଉଦ୍ଦେଶ୍ୟରେ ହେଉଥିବା ଅସ୍ଥି କଳସ ଯାତ୍ରାରେ ବିଜେପି ନେତା ମାନଙ୍କୁ ହସୁଥିବାର ଦେଖିବାକୁ ମିଳିଛି । ଶୋକସଭାରେ ଛତିଶଗଡର କୃଷି ମନ୍ତ୍ରୀ ବ୍ରଜମୋହନ ଅଗ୍ରୱାଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅଜୟ ଚନ୍ଦ୍ରାକାରଙ୍କୁ ହସୁଥିବାର ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଘଟଣା ଅନୁଯାୟୀ, ଛତିଶଗଡର ବିଜେପି କାର୍ଯ୍ୟାଳୟରେ ବାଜପେୟୀଙ୍କ ଚିତାଭସ୍ମ ପହଞ୍ଚିବା ପରେ ଶୋକସଭାର ଆୟୋଜନ କରାଯାଇଥିଲା । ଆଉ ଏହି ଶୋକସଭାରେ ରାଜ୍ୟ ବିଜେପିର ବଡ ବଡ ନେତା ସାମିଲ ହୋଇଥିଲେ । ତେବେ ଶୋକସଭାରେ ନିଜ ପ୍ରିୟ ନେତା ବାଜପେୟୀଙ୍କୁ କିଛି ନେତା ଝୁରୁଥିବା ବେଳେ ଆଉ କିଛି ବରିଷ୍ଠ ନେତାଙ୍କୁ ହସୁଥିବାର ଦେଖିବାକୁ ମିଳିଥିଲା । ତେବେ ଦୁଇ ମନ୍ତ୍ରୀଙ୍କୁ ହସୁଥିବାର ଦେଖି ଛତିଶଗଡ ବିଜେପି ଅଧ୍ୟକ୍ଷ ଧରମଲାଲ କୌଶିକ ପାଟି କରିବାରୁ ଦୁହେଁ ଚୁପ ହୋଇଥିଲେ । ଯାହା କ୍ୟାମେରାରେ କଏଦ ହୋଇଥିଲା । ଓ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ସ୍ପଷ୍ଟ ଦର୍ଶାଉଛି କିଭଳି ଭାବେ ବାଜପେୟୀଙ୍କୁ ସମ୍ମାନ ଜଣାଉଛନ୍ତି ବିଜେପି ନେତା ।

ଏହି ଘଟଣା ଭାଇରାଲ ହେବା ପରେ ଦୁଇ ମନ୍ତ୍ରୀଙ୍କୁ ନେଇ ସୋସିଆଲ ମିଡିଆରେ ଆଲୋଚନା ମଧ୍ୟ ଜୋର ଧରିଛି । ଛତିଶଗଡର ସମସ୍ତ ଜିଲ୍ଲାରେ ନଦୀ ଗୁଡିକରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ । ଏଥିପାଇଁ ବିଜେପି ପକ୍ଷରୁ ଅସ୍ଥି କଳସ ଯାତ୍ରାର ଆୟୋଜନ କରାଯାଉଛି ।