କନକ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ପ୍ରାର୍ଥୀ ଭାବେ ମମତା ମହନ୍ତ ନାମାଙ୍କନ ଭରିଛନ୍ତି। ଆଉ ମମତା ନାମାଙ୍କନ ପତ୍ର ଦାଖଲ କରିବାର କିଛି ସମୟ ମଧ୍ୟରେ ରୋଚକ ଘଟଣା ଦେଖିବାକୁ ମିଳିଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ରେସରେ ଏଣ୍ଟ୍ରି ମାରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ଜଗନ୍ନାଥ ନାମାଙ୍କନ ପତ୍ର ଦାଖଲ କରିବା ସଭିଙ୍କୁ ଚକିତ କରିଛି। ମମତାଙ୍କ ମହନ୍ତଙ୍କ ନାମାଙ୍କନ ବେଳେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଓ ଦଳର ପ୍ରଭାରୀ ଉପସ୍ଥିତ ରହିଥିଲେ। ଅନ୍ୟପଟେ ଜଗନ୍ନାଥ ମଧ୍ୟ ବିଜେପି ବିଧାୟକଙ୍କୁ ପ୍ରସ୍ତାବକ ରଖି ଭରିଛନ୍ତି ନାମାଙ୍କନ। ତେବେ ହଠାତ୍ ଜଗନ୍ନାଥଙ୍କ ନାମାଙ୍କନକୁ ନେଇ ଉଠିଛି ଅନେକ ପ୍ରଶ୍ନ,
- ଜଗନ୍ନାଥଙ୍କୁ ବ୍ୟାକଅପ୍ ପ୍ଲାନ ଭାବେ ଆଣିଛି କି ବିଜେପି?
- ମମତା ମହନ୍ତଙ୍କ ନାମାଙ୍କନ ପତ୍ରରେ ଅଛି କି କିଛି ତ୍ରୁଟି?
- ସ୍ବାଧୀନ ଭାବେ ନାମାଙ୍କନ ଭରିଥିଲେ ବି କେମିତି ବିଜେପି ବିଧାୟକ ରହିଲେ ପ୍ରସ୍ତାବକ?
- ରାଜ୍ୟସଭା ଆସନକୁ ନେଇ ଭିନ୍ନ ଅଙ୍କ କଷୁଛି କି ବିଜେପି?
ଜଗନ୍ନାଥଙ୍କ ନାମାଙ୍କନକୁ ନେଇ ବିଜେପି କହିଛି, ଅଧିକାଂଶ ନିର୍ବାଚନରେ ଡମି ପ୍ରାର୍ଥୀ ଦିଆଯାଏ। ଏହା ହିଁ ଉତ୍ତର। ଅନ୍ୟପଟେ ପ୍ରତିକ୍ରିୟାରେ ବିଜେଡି କହିଛି, ଏହା ବିଜେପିର ଦଳୀୟ ବ୍ୟାପାର। କିନ୍ତୁ ପ୍ରଶ୍ନ ଉଠୁଛି,
- କାହା ନିର୍ଦ୍ଦେଶରେ ଡମି ହେଲେ ଜଗନ୍ନାଥ?
- ସ୍ବାଧୀନ ଭାବେ ଭରିଲେ ନାମାଙ୍କନ, ହାତେଇ ପାରିବେ ତ ରାଜ୍ୟସଭା ଆସନ?
ବିଧାନସଭା ସଦସ୍ୟଙ୍କ ସଂଖ୍ୟା ଦୃଷ୍ଟିରୁ ଏହି ଆସନ ବିଜେପି ଖାତାକୁ ଯିବା ନିଶ୍ଚିତ। କିନ୍ତୁ ଜଗନ୍ନାଥଙ୍କ ନାମାଙ୍କନ ଏବେ ରାଜ୍ୟସଭା ନିର୍ବାଚନକୁ ରୋଚକ କରିଛି।