କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ କରିବାକୁ ନେଇ କେନ୍ଦ୍ର ଉପରେ ବିଜେଡି ବର୍ଷିଛି । ଏପରିକି କେନ୍ଦ୍ର ଗରିବ, ଚାଷୀ ବିରୋଧୀ ବୋଲି କହିଛି ବିଜେଡି । ଆଉ ବିଜେଡିକୁ ଜବାବ ଦେବାକୁ ଯାଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି । ବିଜେଡି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

Kanak News is now on WhatsApp
Join and get latest news updates delivered to you via WhatsApp
ସାମ୍ବାଦିକ ସମ୍ମିଳନୀରେ ଗୋଲକ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ଓଡ଼ିଶାର ହିତ ଦୃଷ୍ଟିରୁ ସହଯୋଗ କରି ଆସିଛନ୍ତି । କରୋନାରେ ମାଗଣା ଚାଉଳ ଠାରୁ ଆରମ୍ଭ କରି ଜନଧନ ଆକାଉଣ୍ଟରେ ଟଙ୍କା ପଠାଇବାର ବ୍ୟବସ୍ଥା କରିଛନ୍ତି । ସମସ୍ତ ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ମୋଦୀ ପଠାଉଥିବା ଜିନିଷକୁ ରାଜ୍ୟ ସରକାର ନିଜ ନାଁରେ ପଠାଉଥିବା କହି ଶ୍ରେୟ ନେବାର ସୁଯୋଗକୁ ହାତଛଡା କରୁନଥିଲେ । ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ପୂରା ଟଙ୍କା ପହଞ୍ଚୁଥିଲା କିନ୍ତୁ ରାଜ୍ୟ ସରକାରଙ୍କ ମାଧ୍ୟମରେ ଯାହା ଦିଆଯାଉଥିଲା ତାହା ବାଟମାରଣା ହେଉଥିଲା ।
ହନୁ ମଲା ବେଳକୁ ସତ କୁହେ । ଆଉ ବିଜେଡି ମଧ୍ୟ ଆଜି ସତ କହିଛି । ମୋଦୀ ଚାଉଳ ଦେଉଥିଲେ ବୋଲି ବିଜେଡି ଶେଷରେ ସତ ମାନିଛି । ମୋଦୀ ଯେତେବେଳେ ସମ୍ପୂର୍ଣ୍ଣ ମାଗଣାରେ ଚାଉଳ ଦେବାକୁ ଘୋଷଣା କଲେ ସେତେବେଳେ ବିଜେଡି ମନରେ ନିଜର ରାଜନୈତିକ ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠିଛି । ଚାଉଳର ସତ ଲୁଚାଇଥିଲା ବିଜେଡି । ଚାଉଳର ଦାମ ୩୭ ଟଙ୍କା ଥିବା ବେଳେ କେନ୍ଦ୍ର ୩୪ ଟଙ୍କା ଓ ରାଜ୍ୟ ୨ ଟଙ୍କା ଏବଂ ହିତାଧିକାରୀ ମାତ୍ର ୧ ଟଙ୍କା ଦେଇ ଚାଉଳ ନେଉଥିଲେ । କିନ୍ତୁ ଏବେ ସମ୍ପୂର୍ଣ୍ଣ ମାଗଣାରେ ଚାଉଳ କେନ୍ଦ୍ର ସରକାର ଦେବେ । ଏହାକୁ ଲୋକଙ୍କ ପାଖରେ ନ ପହଞ୍ଚାଇ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି ।
ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିଛନ୍ତି ଯେ, ଓଡ଼ିଶାରେ ୮ ଲକ୍ଷ ୮୦ ହଜାର ଲୋକଙ୍କୁ ରାଜ୍ୟ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଯୋଗାଉଥିଲା । ହାଇକୋର୍ଟରେ କହିଥିଲେ ୩୪ ଲକ୍ଷ ଲୋକଙ୍କୁ ଚାଉଳ ଦେବେ । କିନ୍ତୁ ବାସ୍ତବ ସତ ହେଲା ଓଡ଼ିଶାରେ ୮ ଲକ୍ଷ ୮୦ ହଜାର ଲୋକଙ୍କୁ ଚାଉଳ ଦେଉଛି । ଯଦି ଓଡ଼ିଶାବାସୀଙ୍କ ପାଇଁ ସତରେ ଦରଦ ଅଛି ତେବେ ବୋନସ ବାବଦକୁ ୧୦୦ ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ତାହା ଆଗ ପୂରା କରନ୍ତୁ । କେନ୍ଦ୍ର ସରକାରର ସବୁ ଯୋଜନାକୁ କପି-ପେଷ୍ଟ କରି ଓଡ଼ିଶା ସରକାର ଚଲାଉଛନ୍ତି । କେନ୍ଦ୍ର କେତେ ଦେଉଛି, ରାଜ୍ୟ କେତେ ଦେଉଛି ସେ ବାବଦରେ କହୁ ବିଜେଡି ।
କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଦେବାକୁ କହିଥିଲ ଏବେ ଦେଉଛ କେତେ? ଏବେ ଦେଉଛ ମାତ୍ର ୪ ହଜାର ବାକି ୬ ହଜାର ଗଲା କୁଆଡେ ବୋଲି ପ୍ରଶ୍ନ କରିଛି ବିଜେପି । ଓଡ଼ିଶାବାସୀଙ୍କ ସହ ସବୁବେଳେ ମୋଦୀ ସରକାର ଅଛନ୍ତି, ଆଗକୁ ମଧ୍ୟ ରହିବ । ମୋଦୀ ସରକାର ଗରିବଙ୍କ ସହ ସବୁବେଳେ ଛିଡା ହୋଇଛି । ମାଗିବା ପୂର୍ବରୁ ଓଡ଼ିଶାକୁ ସହାୟତା ଦେଇଛନ୍ତି ମୋଦୀ ସରକାର । ବିଜେଡି ଭଳି ରାଧୁଆ ମିଛୁଆ ସରକାର ନୁହେଁ ବୋଲି କହି କଟାକ୍ଷ କରିଛି ବିଜେପି ।