ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ପୁଣି ବିଜେପି ନେତାଙ୍କ ବିବାଦୀୟ ବୟାନ । କହିଲେ,ଦିଲ୍ଲୀରେ ଥିଲେ ପିନ୍ଧନ୍ତି ଜିନ୍ସ, ୟୁପିକୁ ଆସିଲେ ସିନ୍ଦୂର ସହ ଶାଢୀ ।

ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ଉପସ୍ଥିତି, କେଉଁଠି ନା କେଉଁଠି ବିଜେପିକୁ ବଡଧରଣର ଚ୍ୟାଲେଂଜ୍ ଭାବରେ ସାମ୍ନାକୁ ଆସିଛି ।

162

କନକ ବ୍ୟୁରୋ: ସକ୍ରିୟ ରାଜନୀତିକୁ ଆସିବା ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିଜେପି ନେତାଙ୍କ ଆକ୍ଷେପ ଥମିବାର ନାଁ ନେଉନିି । ବିଜେପି ସାଂସଦ ହରିଶ ଦ୍ୱିବେଦୀ, ପ୍ରିୟଙ୍କାଙ୍କୁ ଆକ୍ଷେପ କରି କହିଛନ୍ତି, ପ୍ରିୟଙ୍କା, ଦିଲ୍ଲୀରେ ଜିନ୍ସ ଆଉ ଟପ୍ ପିନ୍ଧନ୍ତି ଏବଂ ନିର୍ବାଚନ ମଣ୍ଡଳୀକୁ ଆସିଲେ ଶାଢୀ ପିନ୍ଧନ୍ତି,  ମଥାରେ ସିନ୍ଦୁର ଲଗାନ୍ତି ।

ପ୍ରିୟଙ୍କା ଗାନ୍ଧିଙ୍କୁ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଯେଉଁଥିରେ ୪୨ ଟି ଲୋକସଭା ସିଟ୍ ରହିଛି । ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ଉପସ୍ଥିତି, କେଉଁଠି ନା କେଉଁଠି ବିଜେପିକୁ ବଡଧରଣର ଚ୍ୟାଲେଂଜ୍ ଭାବରେ ସାମ୍ନାକୁ ଆସିଛି ।  ସୋମବାର ଲଷ୍ନୋରେ ରୋଡ୍ ସୋ କରିବାକୁ ଯାଉଛନ୍ତି ପ୍ରିୟଙ୍କା ଗାନ୍ଧି । ବିଶାଳ ରୋଡ୍ ସୋ ପରେ ପ୍ରିୟଙ୍କା ଲାଲବାଗରେ ଜନସଭାକୁ ସମ୍ବୋଧିତ ବି କରିବେ । ଆଉ ଏହାର ଦିନକ ପୂର୍ବରୁ ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିବାକୁ ଯାଇ ତାଙ୍କ ଡ୍ରେସକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ବିଜେପି ନେତା । ଖାଲି ସେତିକି ନୁହେଁ ରାଜନୀତିରେ ରାହୁଲ ବିଫଳ ଏବଂ ପ୍ରିୟଙ୍କା ବି ବିଫଳ ହେବେ ବୋଲି କହିଛନ୍ତି ବିଜେପି ସାଂସଦ ।

କଂଗ୍ରେସର ଦଳୀୟ ଦାୟିତ୍ୱ ନେବା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ସକ୍ରିୟ ରାଜନୀତିରେ ପ୍ରବେଶକୁ ନେଇ ଯେମିତି ଚର୍ଚ୍ଚା ହୋଇଥିଲା, ତାଠୁ ଅଧିକ ଚର୍ଚ୍ଚା ହେଉଛି, ତାଙ୍କ ସଂପର୍କରେ ବିଜେପି ନେତା ରଖୁଥିବା ବୟାନକୁ ନେଇ । କିଏ ପ୍ରିୟଙ୍କାଙ୍କୁ ଚକଲେଟ୍ ଚେହେରାର ଆଖ୍ୟା ଦେଇଥିଲେ ତ ଆଉ କିଏ କହିଥିଲେ, ସୁନ୍ଦରୀ ହେଲେ ଅଧିକ ସିଟ୍ ମିଳିବନାହିଁ । ଏପରିକି ବରିଷ୍ଠ ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଆଉ ଗୋଟିଏ ପାଦ ଆଗେଇ ଯାଇ, ପ୍ରିୟଙ୍କା ଗାନ୍ଧୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ଏବଂ ସେ ରୋଗିଣୀ ବୋଲି କହିବାକୁ ପଛାଇ ନଥିଲେ । ଏହାରି ଭିତରେ ରାଜନୀତିରେ ପ୍ରିୟଙ୍କା କେତେ ସଫଳ ହେଉଛନ୍ତି , ତାହା ସ୍ପଷ୍ଟ ହେବ ୨୦୧୯ ନିର୍ବାଚନରେ ।