ଉଦ୍ଧବଙ୍କୁ ନେଇ ବିଜେପି କଷୁଛି କି ଅଙ୍କ? ବିଜେପିର ବରିଷ୍ଠ ନେତା କହିଲେ, ପରିଶ୍ରମ କଲେ ଉଦ୍ଧବ, ଅଧିକ ଲାଭ ପାଇଲେ କଂଗ୍ରେସ ଓ ଶରଦଙ୍କ ଦଳ । 

430

କନକ ବ୍ୟୁରୋ : ଦେଶରେ ମୋଦୀ ସରକାର ୩.୦ ଆରମ୍ଭ ହୋଇଛି । ବିଜେପି ଏକାକୀ ବହୁମତ ପାଇନଥିଲେ ମଧ୍ୟ ଏନଡିଏ ବହୁମତ ପାଇବା ସହ ସରକାର ଗଢିଛି । ବିଜେପିକୁ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଶକ୍ତ ଧକ୍କା ଲାଗିଛି । ମହାରାଷ୍ଟ୍ରରେ ବିଜେପି ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଏସବୁ ଭିତରେ ଶିବସେନା ଉଦ୍ଧବ ଗୋଷ୍ଠୀକୁ ନେଇ ସ୍ୱର ନରମ କରିଛି ବିଜେପି । ଉଦ୍ଧବ ଠାକରେଙ୍କ ଦଳର ପ୍ରଦର୍ଶନକୁ ନେଇ ବିଜେପିର ବରିଷ୍ଠ ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ଚଳିତ ଲୋକସଭା ନିର୍ବାଚନରେ ଉଦ୍ଧବ ଠାକରେ ପ୍ରଚାର ସମୟରେ ଜୋରଦାର ପ୍ରୟାସ କରିଛନ୍ତି ଯାହାର ଫାଇଦା ଏନସିପି (ଏସ) ଓ କଂଗ୍ରେସକୁ ଅଧିକ ମିଳିଛି । ଏନସିପି ଓ କଂଗ୍ରେସ ତୁଳନାରେ ଉଦ୍ଧବଙ୍କ ଦଳକୁ କମ ଫାଇଦା ମିଳିଛି ।

ଚନ୍ଦ୍ରକାନ୍ତ କହିଛନ୍ତି, ପ୍ରଚାର ସମୟରେ ଉଦ୍ଧବଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କଠିନ ପରିଶ୍ରମ କରିଥିଲେ ଉଦ୍ଧବ । ଲଗାତାର ପ୍ରଚାର କରୁଥିଲେ । ତାଙ୍କ ସ୍ୱାସ୍ଥ୍ୟକୁ ନେଇ ମୁଁ ବହୁତ ଚିନ୍ତିତ ଥିଲି । ଉଦ୍ଧବଙ୍କ ପ୍ରୟାସ ପାଇଁ ତାଙ୍କ ଦଳ ଅପେକ୍ଷା କଂଗ୍ରେସ ଓ ଏନସିପି (ଏସ)କୁ ଅଧିକ ଫାଇଦା ମିଳିଥିଲା । ଚନ୍ଦ୍ରକାନ୍ତ ଏହା ମଧ୍ୟ କହିଛନ୍ତି ଯେ, ଉଦ୍ଧବ ଯେତେବେଳେ ବିଜେପି ସହ ଥିଲେ ସେତେବେଳେ ତାଙ୍କ ଦଳ ୧୮ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । କିନ୍ତୁ କଂଗ୍ରେସ ଓ ଏନସିପି (ଏସ) ସହ ମିଶି ଉଦ୍ଧବ ମାତ୍ର ୯ଟି ଆସନରେ ବିଜୟୀ ହୋଇଛନ୍ତି । ତେଣୁ ଉଦ୍ଧବଙ୍କୁ ଏବ ବାବଦରେ ଆତ୍ମମନ୍ଥନ କରିବାର ଆବଶ୍ୟକତା ରହିଛି ।

ଚଳିତ ନିର୍ବାଚନରେ ଉଦ୍ଧବଙ୍କ ଦଳ ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନରୁ ୨୧ଟିରେ ଲଢିଥିଲା । ତେବେ ଦଳ ମାତ୍ର ୯ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା । ସେହିଭଳି ଏନସିପି (ଏସ) ୧୦ଟି ସିଟରେ ନିର୍ବାଚନ ଲଢିଥିବା ବେଳେ ୮ଟିରେ ବିଜୟ ହାସଲ କରିଥିଲା ।