ବିଜୟ ଦେଲେ ବଡ଼ ବୟାନ: ପାଟକୁରା ପରାଜୟରୁ ପରଦା ଉଠାଇ ଆଗାମୀ ଭବିଷ୍ୟତ ନେଇ ଦେଲେ ବଡ଼ ସଙ୍କେତ

1,000

କନକ ବ୍ୟୁରୋ: ପାଟକୁରାରେ ପରାଜୟ ପରେ ମୁହଁ ଖୋଲିଛନ୍ତି ବିଜେପିର ପରାଜିତ ପ୍ରାର୍ଥୀ ବିଜୟ ମହାପାତ୍ର । ପାକୁରାରେ ପରାଜୟ ନେଇ ସିଧାସଳଖ ବିଜେଡିକୁ ଦାୟୀ କରିଛନ୍ତି । ନିଜ ପରାଜୟର ଦୋଷ ବିଜେଡି ମଥାରେ ଲଦି ଶାସକ ଦଳ ଉପରେ ଧୂମ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ।

ପରାଜୟ କଥା କହିବାକୁ ଯାଇ ଶାସକ ଦଳ ଉପରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ବିଜୟ । ଅଭିଯୋଗରେ ବିଜୟ ‘ଘେରାବନ୍ଦୀ’ର ଉପାଖ୍ୟାନ ପଢିଛନ୍ତି । ତେବେ ୨୨ଟି ପଞ୍ଚାୟତର ଫଳାଫଳକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ସାରା ନିର୍ବାଚନମଣ୍ଡଳୀକୁ ବିଜେଡି ଯେଭଳି କଳବଳ କୌଶଳ ଲଗାଇ ଘେରାବନ୍ଦୀ କରି ରଖିଥିଲା ତାହା କେତେ ଦୂର ଠିକ୍ ? ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀକୁ ଘେରାବନ୍ଦୀ କରିବା ଆଉ ଜଣକୁ ଜାଣିଶୁଣି ନିହତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବିଜୟ ।

ବିଜୟ ଆହୁରି କହିଛନ୍ତି, କେହି କାହା ରାଜନୈତିକ ଭବିଷ୍ୟତ ଉପରେ ରୋକ ଲଗାଇପାରିବେ ନାହିଁ । ସେ କେତେବେଳେ ପଛକୁ ଚାହିଁନାହାନ୍ତି । ଆଗକୁ ଯାଇଛନ୍ତି । ପାଟକୁରା ଫଳାଫଳକୁ ନେଇ ରେଜଲ୍ଟ ଦିନ ବିଜୟ ମହାପାତ୍ର ଆଶ୍ଚର୍ଯ୍ୟ ପ୍ରକଟ କରିଥିବା ବେଳେ ଆଜି ମଧ୍ୟ ସେହି ସମାନ କଥାକୁ ଦୋହରାଇଛନ୍ତି । । । ବିଜୟ କହିଛନ୍ତି, ପାଟକୁରରାରେ ବୁଲିଲା ବେଳେ ଯାହା ଲୋକଙ୍କ ମନୋଭାବ ଥିଲା ଫଳାଫଳରେ ତାହା ଆସିଲା ନାହିଁ । ଲୋକେ କହିଲେ ଗୋଟିଏ କଲେ ଗୋଟିଏ । ପାଟକୁରା କବଜା ପରେ ସବୁକିଛି ବଦଳିଗଲା ବୋଲି ସେ କହିଛନ୍ତି ।


ତେବେ ପରାଜୟ ପରେ ନିଜ ଆଗାମୀ ଭବିଷ୍ୟତ ନେଇ ସ୍ପଷ୍ଟ କରିଛନ୍ତି ବିଜୟ । ପରାଜୟ ପରେ ତାଙ୍କ ଆଗାମୀ ଭବିଷ୍ୟତ, ରାଜନୈତିକ କ୍ୟାରିୟର କଣ ହେବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଥିଲା । ପରାଜୟ ପରେ ବିଜୟଙ୍କ ଭବିଷ୍ୟତ ଭସାବାଦଲ ଭଳି ଭାସିବ ବୋଲି ଟୁପୁରୁ ଟାପୁରୁ ହେଉଥିଲେ । ହେଲେ ଆଜି ସେ ଚର୍ଚ୍ଚାକୁ ଫର୍ଚ୍ଚା କରିଛନ୍ତି ବିଜୟ । ପୂର୍ବରୁ ଯେମିତି ସେ ଲୋକଙ୍କ ସହ ବୁଲୁଥିଲେ, ଲୋକଙ୍କ କଥା ବୁଝୁଥିଲେ ଏବେ ବି ସେ ସେଇୟା କରିବେ । ରାଜନୀତିରୁ ସନ୍ୟାସ ନେବେନି କି ଦୂରେଇ ଯିବେନି ବୋଲି ବିଜୟ ବଡ ବୟାନ ଦେଇଛନ୍ତି ।


ତେବେ ବିଜୟଙ୍କ ଘେରାବନ୍ଦୀ କଥାକୁ ଖଣ୍ଡନ କରିଛି ବିଜେପି । ଆମେ ଘେରାବନ୍ଦୀ କରିନଥିଲୁ । କର୍ମୀ ହିସାବରେ ସେଠାରେ ନିଷ୍ଠାର ସହ କାମ କରିଥିଲୁ । ଖାଲି ଆମେ ନୁହେଁ ବିଜେପି ବି ସେଠାରେ ଡେରା ପକାଇଥିଲା । ହୋଟେଲରେ ରହି ବିଜେପିର ବଡ ବଡ ନେତାମାନେ ପ୍ରଚାର କରୁଥିଲେ । ହାରିବା ପରେ ଘେରାବନ୍ଦୀ ମନ୍ତବ୍ୟ ଅମୂଳକ ବୋଲି କେନ୍ଦ୍ରାପଡା ବିଧାୟକ ଶଶି ବେହେରା କହିଛନ୍ତି ।