କନକ ବ୍ୟୁରୋ: ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲିଛି, ହେଲେ ଓଡ଼ିଶାରେ ବନ୍ଦ ରହିଛି ଧର୍ମାନୁଷ୍ଠାନ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଅନ୍ଲାଇନରେ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ପାଇଁ ଆଲୋଚନା ହେଉଥିବା ବେଳେ ଆବଶ୍ୟକ କଟକଣା ଭିତରେ ମନ୍ଦିର ଖୋଲିବାକୁ ଯୁକ୍ତି ବାଢ଼ିଛନ୍ତି ବିରେଜପିର ବରିଷ୍ଠ ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ମନ୍ଦିର ଖୋଲିଲେ ଚାପଗ୍ରସ୍ତ ହୋଇପଡ଼ିଥିବା ଲୋକ ମାନସିକ ଶାନ୍ତି ପାଇବେ । କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ମଧ୍ୟ ମନ୍ଦିର ଖୋଲିବା ପାଇଁ ମତ ରଖିଛନ୍ତି । ହେଲେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ରାଜ୍ୟ ସରକାର ଯାହା କରିବା କଥା କରୁଛନ୍ତି ।
ସାରା ଦେଶରେ ଧର୍ମାନୁଷ୍ଠାନ ଖୋଲିଥିବା ବେଳେ ଓଡ଼ିଶାରେ କାହିଁକି ବନ୍ଦ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । କରୋନା ଯୋଗୁଁ ଲୋକେ ଚାପଗ୍ରସ୍ତ ହେଉଥିବାରୁ ମନ୍ଦିର ଗଲେ ସେମାନେ ମାନସିକ ଶାନ୍ତି ପାଇବେ ବୋଲି ଯୁକ୍ତି ବଢ଼ିଛନ୍ତି ବିଜୟ । କଟକଣା ଭିତରେ ରଥଯାତ୍ରା ହୋଇପାରିଲା, ସେହିଭଳି ଆକଶ୍ୟକ ଗାଇଡଲାଇନ ଭିତରେ ମନ୍ଦିର ଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି ।
ବିଜୟଙ୍କ ସହ ସ୍ୱର ମିଳାଇ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଆସନ୍ତା ସପ୍ତାହରେ ମନ୍ଦିର ଖୋଲିବାକକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଜଟଣୀ ବିଧାୟକ । ସେପଟେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କରୋନା ଦାଉରୁ ଲୋକଙ୍କ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଯାହା କରିବା କଥା କରୁଛନ୍ତି । କାହା ଜିଦ୍ରେ ସରକାର ନିଷ୍ପତି ନିଅନ୍ତି ନାହିଁ ।
କେବଳ ମନ୍ଦିର ଖୋଲିବା ପ୍ରସଙ୍ଗରେ ନୁହେଁ କରୋନା ମହାମାରୀ ପରିଚାଳନାରେ ରାଜ୍ୟ ସରକାରଙ୍କ ମଡେଲ ଉପରେ ମଧ୍ୟ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି, ଏହାକୁ ସ୍ୱୀକାର କରି ସରକାର ତାଙ୍କର ରଣନୀତି ପରିବର୍ତନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ବିଜୟ । ଦିନକୁ ଦିନ କରୋନା ସଂକ୍ରମଣ ରାଜ୍ୟରେ ବଢ଼ିଚାଲିଥିବା ବେଳେ ଶାସକ ଓ ବିରୋଧୀ ଦଳ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଛି ।