କିଛି ଦିନ ପୂର୍ବେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହରଥୀଙ୍କ ଝିଅ ବାହାଘରକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ହୋଇଥିଲା । ବିବାହ ମଣ୍ଡପକୁ ଏମିତି ସଜାଯାଇଥିଲା ଯେ, ଯିଏ ଦେଖୁଥିଲା ଘଡିଏ ଚାହିଁ ରହୁଥିଲା । ଆଉ ଏବେ କର୍ଣ୍ଣାଟକର ଏଭଳି ଏକ ବାହାଘର ହେବାକୁ ଯାଉଛି ଯାହାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ବାହାଘରର ବଜେଟ ହେଉଛି ୫୦୦ କୋଟି ଟଙ୍କା ।କର୍ଣ୍ଣାଟକ ବିଜେପିର ସଙ୍କଟମୋଚକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବି ଶ୍ରୀରାମୁଲୁ ଝିଅ ରକ୍ଷିତାଙ୍କ ଭବ୍ୟ ବିବାହକୁ ନେଇ ଏବେ କର୍ଣ୍ଣାଟକ ସମେତ ପୂରା ଦେଶରେ ଚର୍ଚ୍ଚା ।

Advertisment

ଆସନ୍ତା ୫ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ବି.ଶ୍ରୀରାମୁଲୁଙ୍କ ଝିଅ ରକ୍ଷିତା । ଆଉ ଏଥିପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି ବାପା ଶ୍ରୀରାମୁଲୁ । ତେବେ ଏହି ଭବ୍ୟ ବାହାଘରର ପ୍ରସ୍ତୁତି ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ୯ ଦିନ ଧରି ଏହି ବିବାହ ଉତ୍ସବ ଚାଲିବ । ଗତ ଫେବ୍ରୁଆରୀ ୨୭ରୁ ଏହି ଉତ୍ସବ ଆରମ୍ଭ ହୋଇଛି । ୫୦୦ କୋଟିର ଏହି ବାହାଘରରେ ଜଣେ କି ଦୁଇଜଣ ପଣ୍ଡିତ ନୁହେଁ ବରଂ ୫୦୦ ଜଣ ପଣ୍ଡିତ ଏହି ବାହାଘରକୁ ସମ୍ପନ୍ନ କରିବେ ।ହାଇଦ୍ରାବାଦ ଉଦ୍ୟୋଗପତି ରବି କୁମାରଙ୍କୁ ବିବାହ କରିବେ ରକ୍ଷିତା ।

ଯଦି ବାହାଘରରେ ଅତିଥିଙ୍କ କଥା କହିବା ତେବେ, ଏହି ଭବ୍ୟ ଉତ୍ସବରେ ସାମିଲ ହେବାକୁ ପ୍ରାୟ ୧ ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏପରିକି ସମସ୍ତ ଅତିଥିଙ୍କ ରହିବା ପାଇଁ ବିଳାସମୟ ହୋଟେଲରେ ବ୍ୟବସ୍ଥା କରାଯାଇଛି । ସେହିଭଳି ଆଖି ଝଲସିଯିବା ଭଳି ବିବାହ ମଣ୍ଡପ ନିର୍ମାଣ ହୋଇଛି । ପ୍ରାୟ ୪୦ ଏକର ଜମିରେ ଏହି ଭବ୍ୟ ବିବାହର ଆୟୋଜନ କରାଯାଇଛି । ଯେଉଁଠି ୧୫ ଏକର ଜମିରେ ପାର୍କିଂ ବ୍ୟବସ୍ଥା ଥିବା ବେଳେ ୬ ଏକର ଜମିରେ ଖାଇବା ବ୍ୟବସ୍ଥା କରାଯାଇଛି । ସେହିଭଳି ୪ ଏକର ଜମିରେ ଭବ୍ୟ ମଣ୍ଡପ ନିର୍ମାଣ ହୋଇଛି । ବଲିଉଡର ସେଟ୍ ଡିଜାଇନର ମଣ୍ଡପକୁ ହାମ୍ପିର ବୀରୁପାକ୍ଷ ମନ୍ଦିର ଶୈଳୀରେ ନିର୍ମାଣ କରିଛନ୍ତି । ୩୦୦ ଲୋକଙ୍କୁ ଏହି ମଣ୍ଡପ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏହାଛଡା ମଣ୍ଡପକୁ ଫୁଲରେ ସଜାଇବା ପାଇଁ ୨୦୦ ଲୋକଙ୍କୁ ନିୟୋଜିତ କରାଯାଇଛି ।

publive-imageଏହାବାଦ୍ ରକ୍ଷିତା ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ବଧୂ ବେଶରେ ସଜାଇବାକୁ ବଲିଉଡ ଷ୍ଟାର ଦୀପିକା ପାଦୁକୋଣଙ୍କ ମେକଅପ ଆଟିଷ୍ଟଙ୍କୁ ଡକାଯାଇଛି । ଯିଏ ଦୀପିକାଙ୍କୁ ବିବାହରେ ବଧୂ ବେଶରେ ସଜାଇଥିଲେ । ସେହିଭଳି ଫଟୋ ଓ ଭିଡିଓଗ୍ରାଫି ପାଇଁ ଜୟରାମନ ପିଲ୍ଲାଇ ଓ ଦିଲୀପଙ୍କ ଟିମକୁ ଡକାଯାଇଛି। ଏହି ଟିମ୍ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ଶାହି ବିବାହରେ ଫଟୋ ଉତ୍ତୋଳନ ସହିତ ଭିଡିଓଗ୍ରାଫି କରିଥିଲେ ।

publive-imageରକ୍ଷିତାଙ୍କ ବିବାହ ପାଇଁ ଏକ ଲକ୍ଷ ଟଙ୍କାର ସ୍ଵତନ୍ତ୍ର କାର୍ଡ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଉପରେ ଏହି କାର୍ଡର ଥିମ୍ ରହିଛି । ନିମନ୍ତ୍ରଣ କାର୍ଡ ଭିତରେ କେସର, ଗୁଜୁରାତି, ସିନ୍ଦୂର, ହଳଦି ପାଉଡର ଓ ଅକ୍ଷତ ରଖାଯାଇଛି। ଶ୍ରୀରାମୁଲୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପାର୍ଟିର ଅନ୍ୟ ବରିଷ୍ଠ ନେତା ଓ କର୍ଣ୍ଣାଟକର ବିଭିନ୍ନ ଦଳର ନେତାଙ୍କୁ ବ୍ୟକ୍ତିଗତ ଭାବେ ଆମନ୍ତ୍ରିତ କରିଛନ୍ତି। ଏହାପୂର୍ବରୁ କର୍ଣ୍ଣାଟକର ବିଜେପି ନେତା ଜନାର୍ଦ୍ଦନ ରେଡ୍ଡିଙ୍କ ଝିଅ ବାହାଘରକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା । ସେତେବେଳେ ଜନାର୍ଦ୍ଦନ ଏଭଳି ଆଡମ୍ବରପୂର୍ଣ୍ଣ ଭାବେ ଝିଅର ବାହାଘର କରିଥିଲେ ଯେ ପୂରା କର୍ଣ୍ଣାଟକ ସହରରେ ଚର୍ଚ୍ଚା ହୋଇଥିଲା ।