ଅଶୋକଙ୍କ ବିଜେପୁର ଅଭିମାନ: ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିବ କି ବଡ ଝଟକା ? ଅଣଦେଖା ଅଭିଯୋଗ ଆଣିଲେ ଅଶୋକ ପାଣିଗ୍ରାହୀ

1,210

କନକ ବ୍ୟୁରୋ: ବିଜେପୁର ଉପ ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ବିଜେପୁର ମୈଦାନରୁ ଆସିଛି ଏକ ହଟଚମଟ ସୃଷ୍ଟି କଲା ଭଳି ଖବର । ବିଜେପି ଉପରେ ଅସନ୍ତୋଷ ଜାହିର କରିଛନ୍ତି ଅଶୋକ ପାଣିଗ୍ରାହୀ । ବିଜେପି ନେତା ଅଶୋକ ପାଣିଗ୍ରାହୀଙ୍କ ବହୁ ସମର୍ଥକ ଏନେଇ ଏକ ବୈଠକ ବି କରିଥିବା ଜଣାପଡିଛି । ତେବେ ବିଜେପି ଅଶୋକ ପାଣିଗ୍ରାହୀ ଓ ତାଙ୍କ ସମର୍ଥକଙ୍କୁ ଅଣଦେଖା କରୁଥିବା ଖୋଦ ଅଶୋକ ଅଭିଯୋଗ କରିଛନ୍ତି ।

ତେବେ ଅଶୋକ ପାଣିଗ୍ରାହୀ ୨୦୦୦ ମସିହାରେ ବିଜେଡିରୁ ବିଜେପୁରର ବିଧାୟକ ହୋଇଥିଲେ । ହେଲେ ୨୦୧୪ରେ ବିଜେଡି ଟିକେଟ ନ ମିଳିବା ପରେ ବିଜେଡି ଠାରୁ ତାଙ୍କ ଦୂରତା ବଢିଥିଲା । ଆଉ ୨୦୧୮ରେ ବିଜେପୁର ଉପ-ନିର୍ବାଚନ ବେଳେ ସେ ବିଜେପିରେ ସାମିଲ ହେବା ସହ ଦଳୀୟ ଟିକେଟ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ଠାରୁ ପରାସ୍ତ ହୋଇଥିଲେ ଅଶୋକ । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ଅଶୋକ ପାଣିଗ୍ରାହୀଙ୍କୁ ଟିକେଟ ମିଳିନଥିବା ବେଳେ ଚଳିତ ମାସରେ ପୁଣି ଥରେ ବିଜେପୁର ଆଉ ଏକ ଉପନିର୍ବାଚନକୁ ସାମ୍ନା କରିବାକୁ ଯାଉଛି । ଆଉ ଠିକ ଏତିକି ବେଳେ ବିଜେପିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅଶୋକ ପାଣିଗ୍ରାହୀ ।

ଅଶୋକଙ୍କ ସମର୍ଥକମାନେ ବିଜେପୁର ବ୍ଲକରେ ଏକଜୁଟ ହେବା ସହ ବିଜେପି ଅଶୋକ ପାଣିଗ୍ରାହୀ ଓ ତାଙ୍କ ସମର୍ଥକଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏହା ସହ ବିଜେପୁର ରାଜନୀତିରେ ବିଜେଡି ସକ୍ରିୟ ହେଉଥିବା ବେଳେ ବିଜେପି ତତ୍ପରତା ପ୍ରକାଶ କରୁ ନଥିବା ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଅଶୋକ ପାଣିଗ୍ରାହୀ । ସେପଟେ ବିଜେପୁରରେ ଅଶୋକଙ୍କର ଗୋଟିଏ ବଡ ସଙ୍ଗଠନ ଥିବାରୁ ଏଭଳି ଅସନ୍ତୋଷର ପ୍ରଭାବ ବିଜେପୁର ଉପନିର୍ବାଚନରେ କଣ ରହିବ ତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି ।

ବିଜେପୁର ଉପନିର୍ବାଚନ ପୂର୍ବରୁ ଅଶୋକ ପାଣିଗ୍ରାହୀଙ୍କ ଏହି ମନ୍ତବ୍ୟ ଓ ସମର୍ଥକଙ୍କ ବିଦ୍ରୋହର ସ୍ୱର ରାଜନୀତିରେ ଏକ ରୋଚକ ପରିସ୍ଥିତି ସୃଷ୍ଟି କରିଛି । ତେବେ ଅଶୋକ କହିଛନ୍ତି ଯେ ୨୦୧୮ ଉପନିର୍ବାଚନ ହାରିବା ପରେ ବିଜେପି ୨୦୧୯ରେ ତାଙ୍କୁ ଟିକେଟ ଦେବା ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଦଳ ନିଜ ପ୍ରତିଶ୍ରୁତି ପାଳନ କରି ନଥିବା ଅଶୋକ କ୍ଷୋଭର ସହ କହିଛନ୍ତି । ଏମିତିକି ଆବଶ୍ୟକ ହେଲେ ଅଶୋକଙ୍କ ସମର୍ଥକମାନେ ଚରମ ନିଷ୍ପତ୍ତି ନେବେ ବୋଲି ଚେତାବନୀ ଦେଇଛନ୍ତି ଅଶୋକ ।

ତେବେ ତାଙ୍କ ସମର୍ଥକମାନେ ଯେଉଁ ପରାମର୍ଶ ଦେବେ ତାରି ଆଧାରରେ ସେ ପରବର୍ତ୍ତୀ ନିଷ୍ପତ୍ତି ନେବେ ଆଉ ଭୁବନେଶ୍ୱର ଆସି ଗଣମାଧ୍ୟମକୁ ଅବଗତ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅଶୋକ । ତେବେ ଅଶୋକଙ୍କ ଏ ଖୁଲମଖୁଲା ଚେତାବନୀ ପରେ ସଫା ସଫା ଦିଶୁଛି କି ବିଜେପି ଉପରେ ଅସନ୍ତୁଷ୍ଟ ଅଛନ୍ତି ଅଶୋକ । ଆଉ ଅଶୋକଙ୍କ ଏ ଅବତାରରୁ ସେ ବିଜେପି ଛାଡୁଥିବା ନେଇ ଆଶଙ୍କା କରାଯାଉଛି । ଯଦି ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିର ହାତ ଦିଅନ୍ତି ଅଶୋକ ତେବେ କଣ ହେବ ବିଜେପୁରରେ ବିଜେପିର ଭାଗ୍ୟ ? ଯଦି ଅଶୋକ ବିଜେପି ଛାଡି ଦିଅନ୍ତି ତେବେ କଣ ସେ ପୁଣି ଥରେ ବିଜେଡିକୁ ଫେରିବା ପାଇଁ ମନବଳାଇବେ? ନା ନିଜେ ସଙ୍ଗଠନ କରି ଉଭୟ ବିଜେପି, ବିଜେଡି ବିରୋଧରେ ଲଢିବେ ତାହା ଅପେକ୍ଷା ରହିଲା ।