କନକ ବ୍ୟୁରୋ : ମହାରାଷ୍ଟ୍ରର ବିଜେପି ନେତ୍ରୀ ସାଇନା ଏନ ସି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶଂସା କରିଛନ୍ତି। ମହିଳାଙ୍କୁ ଅଧିକ ଆସନରୁ ମୁଖ୍ୟମନ୍ତ୍ରୀ ଛିଡ଼ା କରାଇଥିବାରୁ ସେ ଏହାର ଢେର୍ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ବିଜେପି ସମେତ ଆଗଧାଡ଼ିର ଅଧିକାଂଶ ରାଜନୈତିକ ଦଳ ମହିଳାଙ୍କୁ ପର୍ଯ୍ୟାପ୍ତ ସଂଖ୍ୟାରେ ପ୍ରତିନିଧିତ୍ବ ଦେଇ ନଥିବାରୁ ସେ ଏହାର ସମାଲୋଚନା କରିଛନ୍ତି। ମହାରାଷ୍ଟ୍ର ବିଜେପିର ପ୍ରବକ୍ତା ଥିବା ସାଇନା କହିଛନ୍ତି, ଏହା ତାଙ୍କୁ ବ୍ୟଥିତ କରିଛି। ମୋଟ ଭୋଟରଙ୍କ ମଧ୍ୟରୁ ମହିଳାମାନେ ୫୦% ହୋଇଥିବାବେଳେ କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।
କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଯଥାକ୍ରମେ ୪୧% ଓ ୩୩% ଆସନ ଦେଇଥିବାରୁ ସେ ଏହାର ଉଚ୍ଚ ପ୍ରଶଂସା କରିଛନ୍ତି। ଅନ୍ୟସବୁ ଦଳ ଗୁଡ଼ିକ କେବଳ ମୁହଁରେ ଏକଥା ନକହି କାର୍ଯ୍ୟ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି। ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନରୁ ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ କେବଳ ୧୩ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ଏଥର ବିଜେପି ୭ ଜଣଙ୍କୁ ପ୍ରାର୍ଥୀ କରିଥିବାବେଳେ କଂଗ୍ରେସ ୩, ଏନସିପି ଏବଂ ଶିବସେନା ଜଣେ ଲେଖାଏଁ ପ୍ରାର୍ଥୀ କରିଛି। ସବୁ ଦଳର ନେତାମାନେ ମହିଳାଙ୍କୁ ପ୍ରାର୍ଥୀ କରିବା ସହିତ ସେମାନଙ୍କ ପ୍ରତିଭାର ପ୍ରମାଣ ଦେବା ଲାଗି ସୁଯୋଗ ଦେବା ଉଚିତ। ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ନିମନ୍ତେ ସବୁ ଦଳର ମହିଳାମାନେ ଦାବି କରିବା ଉଚିତ ବୋଲି ସାଇନା ଆହ୍ବାନ କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Shaina-NC-750x430.jpg)