ଆଜି ଦିଲ୍ଲୀରୁ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା: ମୋଦି ସରକାରଙ୍କ ଦ୍ୱିତୀୟ ପାଳି ପ୍ରଥମବର୍ଷ ପୂର୍ତ୍ତିରେ ବିଜେପି କରୁଛି ଭର୍ଚୁଆଲ ରାଲି

ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ୩୭ ହଜାର ବୁଥ ଯୋଡିବାକୁ ପ୍ରୟାସ

149

କନକ ବ୍ୟୁରୋ: ଆଜି ଅପରାହ୍ନ ସାଢେ ୩ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ହେଲେ ପ୍ରଥମଥର ପାଇଁ ଡିଜିଟାଲ ଫ୍ଲାଟଫର୍ମରେ ଏଭଳି ସମ୍ବୋଧନର ଆୟୋଜନ କରିଛି ବିଜେପି । ଭର୍ଚୁଆଲ ରାଲି ଜରିଆରେ ପ୍ରାୟ ୩୭ ହଜାର ବୁଥକୁ ଯୋଡିବା ପାଇଁ ପ୍ରୟାସ କରାଯାଉଥିବା ରାଜ୍ୟ ବିଜେପି କହିଛି । କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂର୍ତି ହୋଇସାରିଛି । ମୋଦି ୨.୦ରେ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଂଚାଇବ ଦଳ । ହେଲେ କରୋନା ମହାମାରୀର ସଂକ୍ରମଣ କାରଣରୁ ଏହାକୁ ଡିଜିଟାଲ ଫ୍ଲାଟଫର୍ମରେ କରାଯାଉଛି । ବୁଥ ସ୍ତରରେ ଶାହାଙ୍କ ଭାଷଣର ଲାଇଭ ଷ୍ଟ୍ରିମିଂ ପାଇଁ ପ୍ରସ୍ତୁତି କରିଛି ଦଳ ।

ଦିଲ୍ଲୀରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରହିବେ ଅମିତ ଶାହା । କିନ୍ତୁ ରାଜ୍ୟର ସମସ୍ତ ବୁଥ ସ୍ତରରେ ଏହାକୁ ଶୁଣିବେ ଓ ଦେଖିବେ ବିଜେପି କର୍ମୀ ଓ ସାଧାରଣ ଲୋକ । ଗତ ଫେବ୍ରୁଆରୀରେ ଶେଷଥର ପାଇଁ ଓଡିଶା ଆସି ସିଏଏ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ରାଲି କରିଥିଲେ ଅମିତ ଶାହା । ହେଲେ ଏଥରର ଭର୍ଚୁଆଲ ରାଲିକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାରଣ ନିକଟରେ ଓଡିଶା ଆସି, ମହାବାତ୍ୟା ଅମ୍ଫାନ ଓ କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ପାଳିର ପ୍ରଥମ ବର୍ଷରେ ରାଜ୍ୟକୁ କେନ୍ଦ୍ରୀୟ ଅନୁଦାନରୁ ଆରମ୍ଭ କରି ମୋଦି ସରକାରଙ୍କ ସାମାଜିକ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇପାରିନ୍ତି ଶାହା । ଆଗକୁ ଜିଲ୍ଲା ସ୍ତରରେ ଏହିଭଳି ଅଧିକ ଭର୍ଚୁଆଲ ରାଲି କରିବାକୁ ମଧ୍ୟ ଯୋଜନା ରଖିଛି ରାଜ୍ୟ ବିଜେପି ।