ସୋନପୁରରେ ଅମିତ ଶାହାଙ୍କ ବିଶାଳ ସମାବେଶ । ବିଜେଡି ଓ କଂଗ୍ରେସକୁ ସମାନ୍ତରାଳ ଭାବେ କଲେ ଟାର୍ଗେଟ୍

133

କନକ ବ୍ୟୁରୋ : ସୋନପୁରରେ ବିଜେପିର ଚାଣକ୍ୟ ଅମିତ ଶାହା ଏକ ବିରାଟ ସଭା କରିଛନ୍ତି । ଏହି ନିର୍ବାଚନୀ ସଭାରେ ସେ ସମାନ୍ତରାଳ ଭାବେ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି । ଅମିତ୍ ଶାହା ସୋନପୁର ମଞ୍ଚରୁ ବିଜେଡିକୁ ଟାର୍ଗେଟ୍ କରି ଖଣି, ପାଣି ଓ ଅଫିସର ରାଜ କଥା ଉଠାଇଛନ୍ତି । ଶାହା ପରୋକ୍ଷରେ ନବୀନ ପଟ୍ଟନାୟକ ଓଡିଆ କହିପାରୁ ନଥିବା କଥାକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, ଯେଉଁ ସରକାର ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର ଗୌରବ ବୃଦ୍ଧି କରି ନପାରିବ ସେ ସରକାର ଓଡିଶାକୁ ଆଗକୁ ନେଇ ପାରିବ ନାହିଁ । ତେଣୁ ଓଡିଶାର ଭାଷା, ସଂସ୍କୃତି ଓ ଧର୍ମର ରକ୍ଷା ପାଇଁ ଓଡିଶାବାସୀ ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ କରନ୍ତୁ । ସେ ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ଓଡିଶା ସରକାର ରାଜ୍ୟକୁ ବିକାଶ ଠାରୁ ଦୂରେଇ ରଖିଛି । ରାଜ୍ୟରେ ୨୫ ବର୍ଷ ହେବ ଅଫିସରମାନଙ୍କ ରାଜ୍ ଚାଲିଥିବା ଶାହା ଅଭିଯୋଗ କରିଛନ୍ତି । ଏହାସହ ରାଜ୍ୟ ସରକାର ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଥିବା ଶାହା କହିଛନ୍ତି ।

ଅନ୍ୟପଟେ ବିଜେପି ଶାସିତ ରାଜ୍ୟକୁ ପ୍ରଶଂସାରେ ପୋତି ପକାଇଛନ୍ତି ଅମିତ ଶାହା । ସେ କହିଛନ୍ତି କି ଯେଉଁ ରାଜ୍ୟରେ ଡବଲ ଇଂଜିନ ସରକାର ଚାଲିଛି , ସେହି ରାଜ୍ୟରେ ବିକାଶର ଗଙ୍ଗା ବହୁଛି । ଓଡିଶାରେ ସବୁଠାରୁ ଅଧିକ ପାଣି ରହିଥିବା ବେଳେ ଏହାକୁ ବ୍ୟବହାର କରି ଓଡିଶାବାସୀଙ୍କ ଭାଗ୍ୟବଦଳାଇବାରେ ବିଜେଡି ସରକାର ବିଫଳ ହୋଇଛି । ଦାଦନ ଦୁôଃଖକୁ ମଧ୍ୟ ଉପଲବ୍ଧି କରିଛନ୍ତି ଶାହା । ସେ କହିଛନ୍ତି କି, ଲକ୍ଷ ଲକ୍ଷ ଓଡିଆ ଅନ୍ୟ ରାଜ୍ୟ କିମ୍ବା ବିଦେଶକୁ ଦାଦନ ଖଟିବାକୁ ଯାଉଛନ୍ତି । ନବୀନ ସରକାର ଭାଙ୍ଗି ଡବଲ ଇଂଜିନ ସରକାର ହେଲେ ରାଜ୍ୟରେ ଦାଦନ ଦୁଃଖ ରହିବ ନାହିଁ । ଓଡିଶାର ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ ନାହିଁ ବରଂ ବାହାର ଦେଶ ଓ ବାହାର ରାଜ୍ୟର କମ୍ପାନୀ ମାନେ ଓଡିଶା ଆସିବେ । ମାଗଣା ରାସନ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ମଧ୍ୟ ବିଜେଡିକୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି, କେନ୍ଦ୍ର ସରକାର ଓଡିଶାବାସୀଙ୍କୁ ମାଗଣା ରାସନ ଓ ପକ୍କାଘର ଯୋଗାଇ ଦେଉଥିବା ବେଳେ ଏହି ଯୋଜନାରେ ନବୀନ ପଟ୍ଟନାୟକ ତାଙ୍କ ଫଟୋ ରଖି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ବିଜେପିର ସଫାଳତା ବାବଦରେ ଶାହା କହିଛନ୍ତି କି, ମୋଦୀଙ୍କ ନେତତ୍ୱାଧୀନ ବିଜେପି ସରକାର ଗଠନ ହେବା ପରେ ଦେଶର ୧୨ କୋଟି ଲୋକଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ୪ କୋଟି ଲୋକଙ୍କୁ ପକ୍କା ଘର ଦିଆଯାଇଛି । ୧୦ କୋଟି ଗରିବ ମହିଳା ଉଜ୍ୱଳା ଯୋଜନାର ଲାଭ ପାଇଛନ୍ତି । ୧୪ କୋଟି ଲୋକଙ୍କୁ ନଳ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି । ହେଲେ କେନ୍ଦ୍ର ସରକାର ନଳ ଯୋଗେ ଜଳ ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ୧୦ ହଜାର କୋଟି ଟଙ୍କା ଦେଇଥିଲେ ବି ରାଜ୍ୟ ସରକାର ତା ମଧ୍ୟରୁ ୫ ହଜାର କୋଟି ଟଙ୍କା ଆତ୍ମସାତ କରିଛନ୍ତି ।

ସେହିଭଳି ଆୟୁଷ୍ମାନ ଭାରତ ଯୋଜନା ବାବଦରେ ବିଜେଡିକୁ ଟାର୍ଗେଟ୍ କରି ଶାହା କହିଛନ୍ତି କି, ନବୀନ ସରକାର ଭୟରେ ରାଜ୍ୟରେ ଆୟୂଷ୍ମାନ ଭାରତ ଯୋଜନା ଲାଗୁ କରୁନାହାଁନ୍ତି । ସାରା ଦେଶରେ ୬୦ କୋଟି ଲୋକ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଉଛନ୍ତି । ରାଜ୍ୟରେ ଡବଲ ଇଂଜିନ ସରକାର ଗଠନ ହେଲେ ଏଠାରେ ବି ଆୟୁଷ୍ମାନ ଭାରତ ଯୋଜନାର ଲାଭ ରାଜ୍ୟବାସୀ ପାଇବେ । ରାଜ୍ୟରେ ବିପୁଳ ପରିମାଣର କପା ଉତ୍ପାଦନ ହେଉଥିବାରୁ ବିଜେପି ସରକାର ଆସିଲେ ଟେକ୍ସଟାଇଲ ମିଲ୍ ନିର୍ମାଣ କରାଯିବ । ଶ୍ରୀମନ୍ଦିର ପରିକ୍ରମା ନାମରେ ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ଗୌରବକୁ ନଷ୍ଟ କରିଛନ୍ତି । ହେଲେ ବିଜେପି ସରକାର ଆସିଲେ, କାଶୀ ବିଶ୍ୱନାଥ କରିଡର ଭଳି ଶ୍ରୀକ୍ଷେତ୍ରର ବିକାଶ କରାଯିବ । ଯଦି ରାଜ୍ୟବାସୀ ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତି ତେବେ ଦେଶରେ ଓଡିଶାକୁ ୧ ନମ୍ବର ରାଜ୍ୟ କରାଯିବ ବୋଲି ଶାହା ପ୍ରତିଶ୍ରୁତି ଦେଇଛନ୍ତି ।

ଏହାସହ ରାମ ମନ୍ଦିର ଧାରା ୩୭୦ ଓ ଆତଙ୍କବାଦକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଶାହା କହିଛନ୍ତି କି, ୧୦ ବର୍ଷତଳେ ଦେଶର ମୁଖ୍ୟ ସମସ୍ୟା ଆତଙ୍କବାଦ ଓ ନକ୍ସଲବାଦକୁ ବଞ୍ଚାଇ ରଖିଥିଲା କଂଗ୍ରେସ ସରକାର । ହେଲେ ମୋଦୀଜୀଙ୍କ ସରକାର ଆସିବା ପରେ ଦେଶରୁ ନକ୍ସଲବାଦ ଓ ଆତଙ୍କବାଦ ସମାପ୍ତ ହୋଇଛି ।