ବିଜେପି ଓ ଜେଡିୟୁ ମଧ୍ୟରେ ବଢୁଛି ଦୂରତା । ନିତୀଶଙ୍କ ସାମ୍ନାରେ ଜେଡିୟୁ ନେତା କହିଲେ ବିଜେପି ଆମ ପିଠିରେ ପଛରୁ ଛୁରୀ ମାରିଲା । ସେପଟେ ବିଜେପି କହିଲା ନିତୀଶଙ୍କ ବିନା ଚାଲିବନି ସରକାର

393

କନକ ବ୍ୟୁରୋ : ବିହାରରେ ବିଜେପି ଓ ଜେଡିୟୁ ମଧ୍ୟରେ ଚାଲିଛି କଡା ବୟାନ ବାଜି । ଏହି କ୍ରମରେ ଜେଡିୟୁ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ସମସ୍ତ ନେତାମାନେ ଏକ ସ୍ୱରରେ କହିବା ଆରମ୍ଭ କରିଛନ୍ତି କି ଜେଡିୟୁକୁ ଏଷତ କମ୍ ସଂଖ୍ୟକ ଆସନରେ ବିଜୟ ମିଳିବା ପଛରେ ରହିଛି ବିଜେପିର ଅସହଯୋଗ ଓ ଷଡଯନ୍ତ୍ର । ଶନିବାର ଦିନ ଜେଡିୟୁର ରାଜ୍ୟପରିଷଦ ବୈଠକରେ ପରାଜିତ ହୋଇଥିବା ସମସ୍ତ ନେତା ମାନେ ବିଜେପି ଉପରେ ବର୍ଷିଛନ୍ତି । ସେମାନଙ୍କ ପରାଜୟ ପାଇଁ ବିଜେପି ଦାୟୀ ବୋଲି ମତ ଦେଇଛନ୍ତି ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତୀଶ କୁମାରଙ୍କ ଉପସ୍ଥିତିରେ ପରାଜିତ ବିଧାୟକ ମାନେ କହିଥିଲେ କି ଚିରାଗ ପାଶୱାନକୁ ବିଜେପି ମୋହରା କରି ଜେଡିୟୁକୁ ଶେଷ କରିଦେବାକୁ ଯୋଜନା କରିଥିଲା । ଫଳରେ ନିର୍ବାଚନ ବେଳେ ବିଜେପି ଭୋଟର ମାନେ ଜେଡିୟୁ ପ୍ରାର୍ଥୀଙ୍କୁ ଭୋଟ ଦେଲେ ନାହିଁ, ବିଜେପି କର୍ମକର୍ତ୍ତା ମାନେ ନିର୍ବାଚନ ପ୍ରଚାରରେ ଜେଡିୟୁକୁ ସହଯୋଗ କଲେ ନାହିଁ । ଅନ୍ୟପଟେ ସୀମାଞ୍ଚଳରେ ପରାଜିତ ଜେଡିୟୁ ପ୍ରାର୍ଥୀମାନେ କହିଛନ୍ତି କି ଏନଆରସିକୁ ନେଇ ଜେଡିୟୁର ଷ୍ଟାଣ୍ଡ ସହ ବିଜେପିର ଷ୍ଟାଣ୍ଟ ସମାନ ରହିଲା ନାହିଁ । ଏହାସହ ବିଜେପିର ପୂର୍ବତନ ମନ୍ତ୍ରୀଙ୍କ ବୟାନ ଭୋଟରଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କଲା । ଯାହାର ପରିଣାମ ଜେଡିୟୁକୁ ପରାଜୟ ସ୍ୱିକାର କରିବାକୁ ବାଧ୍ୟ କଲା ।

ଏହି ରାଜ୍ୟପରିଷଦ ବୈଠକରେ ଯେତେବେଳେ ବରିଷ୍ଠ ନେତା ମାନଙ୍କ ଭାଷଣ ଦେବାର ପାଳି ଆସିଲା ସେତେବେଳେ ନିତୀଶ କୁମାର ସ୍ୱିକାର କରିଥିଲେ କି ଆସନ ବୁଝାମଣା ଠିକ୍ ସମୟରେ ହୋଇପାରିଲା ନାହିଁ । ଏହାସହ ନିତୀଶ ତାଙ୍କ ଦଳର ଖରାପ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆକୁ ଦାୟି କରିଛନ୍ତି । ସେ କହିଛନ୍ତି କି ମୁଁ ଜାଣିନାହିଁ କାହାର ଚାପରେ ସୋସିଆଲ ମିଡିଆ ବାରମ୍ବାର ତାଙ୍କ ସରକାର ବିରୋଧରେ ଅପପ୍ରଚାର କରୁଥିଲା । ଅନ୍ୟପଟେ ପୁଣି ସମାନ କଥାକୁ ନିତୀଶ ଦୋହରାଇ କହିଛନ୍ତି କି ଦଳର ଖରାପ ପ୍ରଦର୍ଶନ ପରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ରାଜି ହେଉନଥିଲେ । ମାତ୍ର ବିଜେପି ଓ ସହାଯୋଗୀ ଦଳମାନଙ୍କ ଚାପରେ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଅନ୍ୟପଟେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆର.ପି ସିଂ କହିଛନ୍ତି କି କିଛି ଲୋକ ଜେଡିୟୁର ଭୋଟର ମାନଙ୍କୁ ବିପରିତ ଦିଗକୁ ନେଇଯିବାକୁ ସଫଳ ହୋଇଥିଲେ । ଏହା ସହ ସେ କହିଛନ୍ତି କି କରୋନା କାଳରେ ତାଙ୍କ ସରକାର ଲୋକମାନଙ୍କ ପାଇଁ ଯେତିକି କାମ କରିଛି ଭାରତ ବର୍ଷରେ ଅନ୍ୟ କୌଣସି ରାଜ୍ୟ ସରକାର ତାହା କରିପାରି ନାହାନ୍ତି । ଏହା ବ୍ୟତିତ ଜେଡିୟୁର ବରିଷ୍ଠ ନେତା ନାରାୟଣ ସିଂ କହିଛନ୍ତି କି ଜେଡିୟୁ ଏମିତି ଏକ ଦଳ ସେ ବାରମ୍ବାର ଧୋକା ଖାଇପାରେ କିନ୍ତୁ କାହାକୁ ଧୋକା ଦେବା ଦଳର ସମ୍ବିଧାନ ବାହାରେ ।