ବିଜେପି ଧନୀ ନମ୍ବର-୧! ଜାଣନ୍ତୁ କେଉଁ ଦଳ ପାଖରେ ରହିଛି କେତେ କୋଟି ଟଙ୍କା

50

କନକ ବ୍ୟୁରୋ : ସମଗ୍ର ଦେଶରେ ଏବେ ବିଜେପି ଦଳକୁ ନେଇ ଚର୍ଚ୍ଚା । ଭାରତୀୟ ଜନତା ପାର୍ଟି ଏବେ ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ଭାବେ ଉଭା ହୋଇଛି । ଭାରତର ୭ଟି ଜାତୀୟ ରାଜନୈତିକ ଦଳ ମଧ୍ୟରୁ ବିଜେପି ଏବେ ଧନୀ ତାଲିକାରେ ଏକ ନମ୍ବର । ଏହା ପଛକୁ ରହିଛି ଭାରତର ସର୍ବପୁରାତନ ଦଳ କଂଗ୍ରେସ । ଗତକାଲି ଆସୋସିଏସନ ଅଫ୍ ଡେମୋକ୍ରାଟିକ ରିଫର୍ମସ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରେ ବିଜେପିର ୮୯୪ କୋଟି ଟଙ୍କା ସମ୍ପତ୍ତି ଥିବା ବେଳେ କଂଗ୍ରେସର ମୋଟ ସମ୍ପତ୍ତିର ପରିମାଣ ୭୫୯ କୋଟି ଟଙ୍କା ବୋଲି ଜଣାପଡିଛି । ସେହିପରି ବିଜେପିର ମୋଟ ସମ୍ପତ୍ତିରୁ ଘୋଷିତ ଋଣର ପରିମାଣ ୨୫ କୋଟି ଥିବା ବେଳେ କଂଗ୍ରେସର ଋଣ ପରିମାଣ ୩୨୯ କୋଟି ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ୨୦୦୫-୦୫ରୁ ୨୦୧୫-୧୬ ମଧ୍ୟରେ ଘୋଷଣା କରାଯାଇଥିବା ସେମାନଙ୍କ ସମ୍ପତ୍ତି ଓ ଋଣ ପରିମାଣ ସମ୍ପର୍କିତ ତଥ୍ୟକୁ ଆଧାର କରି ଏଡିଆର ଏହି ରିପୋର୍ଟ ପ୍ରକାଶ କରିଛି।

୨୦୦୪-୦୫ରୁ ୨୦୧୫-୧୬ ପର୍ୟ୍ୟନ୍ତ , ଏହି ଏଗାର ବର୍ଷ ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ଘୋଷଣା କରିଥିବା ସେମାନଙ୍କ ସମ୍ପତ୍ତି ତଥ୍ୟକୁ ଏଡିଆର ତର୍ଜମା କରି କହିଛି ଯେ ୨୦୧୪-୧୫ ମସିହା ପର୍ୟ୍ୟନ୍ତ ବିଜେପି ଠାରୁ କଂଗ୍ରେସର ସମ୍ପତ୍ତି ପରିମାଣ ଅଧିକ ଥିଲା। ୨୦୧୪ ରେ କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଠାରୁ ଅଧିକ ଟଙ୍କା ହାତେଇବାରେ ସକ୍ଷମ ହୋଇଛି ।

Congress_PTI୨୦୦୪-୨୦୦୫ରେ କଂଗ୍ରେସର ସମ୍ପତ୍ତି ପରିମାଣ ୧୬୭.୩୫ ଥିବା ବେଳେ ୨୦୧୫-୧୬ରେ ଏହା ୭୫୮.୭୯ କୋଟିରେ ପହଞ୍ଚିଥିଲା। ୨୦୦୪-୦୫ରେ ବିଜେପିର ସମ୍ପତ୍ତି ପରିମାଣ ୧୨୨.୯୯ କୋଟି ରହିଥିବା ବେଳେ ୨୦୧୫-୧୬ରେ ଏହା ୮୯୩.୮୮ କୋଟିରେ ପହଞ୍ଚିଥିଲା। ୨୦୧୪ ନିର୍ବାଚନରେ କଂଗ୍ରେସର ବଡ଼ ଧରଣର ପରାଜୟ ଏବଂ ବିଭିନ୍ନ ରାଜ୍ୟରେ ବିପର୍ୟ୍ୟୟ ସତ୍ତ୍ୱେ ଏହାର ସମ୍ପତ୍ତିରେ ବିଶେଷ ହ୍ରାସ ହୋଇନାହିଁ। ୨୦୧୩-୧୪ରେ କଂଗ୍ରେସର ମୋଟ ସମ୍ପତ୍ତି ପରିମାଣ ୭୬୭ କୋଟି ଥିବା ବେଳେ ୨୦୧୪-୧୫ରେ ମାତ୍ର ୬୨ କୋଟି ହ୍ରାସ ପାଇ ୭୦୨ କୋଟିରେ ପହଞ୍ଚି ଥିଲା। ପୁଣି ୨୦୧୫-୧୬ରେ ଏହାର ସମ୍ପତ୍ତି ପରିମାଣ ବୃଦ୍ଧି ପାଇ ୭୫୮.୭୯ କୋଟିରେ ପହଞ୍ଚିଥିଲା।

bjp 1୨୦୧୫-୧୬ରେ ଗଚ୍ଛିତ ପାଣ୍ଠି କ୍ଷେତ୍ରରେ ମଧ୍ୟ ବିଜେପି ଆଗରେ ରହିଛି । ଗତ ୧୧ ବର୍ଷ ମଧ୍ୟରେ ବିଜେପିର ଗଛିତ ପାଣ୍ଠି ୭୦୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଏହି ସମୟରେ କଂଗ୍ରେସର ମାତ୍ର ୧୬୯ ପ୍ରତିଶତ ବୃଦ୍ଧି ଘଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗଛିତ ପାଣ୍ଠି କ୍ଷେତ୍ରରେ ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସର ୧୩ହଜାର ୪୪୭ ପ୍ରତିଶତ ବୃଦ୍ଧି ଘଟି ଥିବା ବେଳେ ବିଏସପିର ୧୧୯୪ ପ୍ରତିଶତ ବୃଦ୍ଧି ଘଟିଛି। ଗଛିତ ପାଣ୍ଠି କ୍ଷେତ୍ରରେ ବିଜେପି ୮୬୯ କୋଟି ଟଙ୍କା ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୫୫୭ କୋଟି ଗଚ୍ଛିତ ପାଣ୍ଠି ସହ ବିଏସପି ଦ୍ୱିତୀୟ ଏବଂ ୪୩୨ କୋଟି ସହ ସିପିଏମ୍ ତୃତୀୟ ସ୍ଥାନରେ ରହିଛି। ୨୦୦୪-୦୫ରେର ବିଜେପିର ମୋଟ ସମ୍ପତ୍ତି ପରିମାଣ ୧୨୩ କୋଟି ଥିବା ବେଳେ ଗତ ୧୧ ବର୍ଷ ମଧ୍ୟରେ ଏହାର ପରିମାଣ ୬୨୭.୧୫ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ କଂଗ୍ରେସର ୩୫୩.୪୧ ପ୍ରତିଶତ ବୃଦ୍ଧି ଘଟିଛି। ଯଦି ଆମେ ସମସ୍ତ ଦଳର ସମ୍ପତ୍ତିକୁ ହିସାବକୁ ନେବା ତେବେ ୨୦୦୪-୦୫ ମସିହାରେ ପ୍ରତି ଦଳର ହାରାହାରି ୬୧.୬୨କୋଟି ଟଙ୍କାର ସମ୍ପତ୍ତି ଥିଲା । କିନ୍ତୁ ୨୦୧୫-୧୬ ମସିହାରେ ଏହି ସମ୍ପତ୍ତିର ମୂଲ୍ୟ ବୃଦ୍ଧି ପାଇ ୩୮୮.୪୫ କୋଟିରେ ପହଞ୍ଚିଛି ।

ଏ ସମ୍ପର୍କରେ ବିଜେପି ମୁଖପାତ୍ର ଗୋପାଲ ଅଗ୍ରଓ୍ଵାଲ କହିଛନ୍ତି ଯେ ଆମେ ସମସ୍ତ ଡୋନେସନ ଚେକ୍ ଆକାରରେ ନେଇଛୁ। ଆମେ ସମଗ୍ର ଦେଶର ପ୍ରତି ଜିଲ୍ଲାରେ ଦଳୀୟ ଅଫିସ ଖୋଲିବାକୁ ଯାଉଛୁ। ଆମର ଟ୍ୟାକ୍ସ ରିଟର୍ଣ୍ଣ ଠିକ ସମୟରେ ଦିଆଯାଇଛି ଏବଂ ସ୍ୱଚ୍ଛତା ପାଇଁ ଖୁବ୍ ଶୀଘ୍ର ଆମେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ଦଳୀୟ ପାଣ୍ଠି ପରିଚାଳନା କରିବାକୁ ଯାଉଛୁ ବୋଲି ଶ୍ରୀ ଅଗ୍ରଓ୍ଵାଲ କହିଛନ୍ତି।