କନକ ବ୍ୟୁରୋ : ହିମାଚଳପ୍ରଦେଶ ରାଜନୀତିରେ ହଟଚମଟ ଲାଗି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦରୁ ସୁଖବିନ୍ଦର ସିଂ ସୁଖୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚାର କିଛି ସମୟ ମଧ୍ୟରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇନଥିବା କହିଛନ୍ତି ସୁଖବିନ୍ଦର । ଏହାସହ ୫ ବର୍ଷ ସରକାର ଚାଲିବ ବୋଲି ଦମ୍ଭୋକ୍ତି ମଧ୍ୟ ପ୍ରକାଶ କରିଛନ୍ତି । ସବୁଠୁ ବଡ କଥା ହେଲା, ଗତକାଲି ୬ କଂଗ୍ରେସ ବିଧାୟକ ବିଜେପି ରାଜ୍ୟସଭା ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ କରିଥିବା ବେଳେ ଆଜି ସୁଖୁ କହିଛନ୍ତି, କିଛି ବିଜେପି ବିଧାୟକ ଏବେ ମୋ ସମ୍ପର୍କରେ ରହିଛନ୍ତି । ସବୁପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ କଂଗ୍ରେସ ପ୍ରସ୍ତୁତ ବୋଲି କହିଛନ୍ତି ସୁଖୁ ।

Advertisment

ହିମାଚଳପ୍ରଦେଶରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ କଂଗ୍ରେସ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡା ପର୍ଯ୍ୟବେକ୍ଷକ ଭାବେ ବିଧାୟକଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ସମସ୍ତ ବିଧାୟକଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ଉଭୟ ପର୍ଯ୍ୟବେକ୍ଷକ । ଗତକାଲି କଂଗ୍ରେସର ୬ ବିଧାୟକ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ କରିବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସେହିଭଳି ଆଜି ସୁଖୁ ସରକାରରୁ ବିକ୍ରମାଦିତ୍ୟ ସିଂ ମନ୍ତ୍ରୀପଦରୁ ଇସ୍ତଫା ଦେବା ପରେ ହିମାଚଳପ୍ରଦେଶ ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଥିଲା । ଏପରିକି କଂଗ୍ରେସ ସରକାର ଭାଙ୍ଗିଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

ଏସବୁ ଭିତରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ସମସ୍ତ ବିଧାୟକଙ୍କ ସହ ପର୍ଯ୍ୟବେକ୍ଷକ ଆଲୋଚନା କରିବେ । ହିମାଚଳପ୍ରଦେଶରେ କ୍ରସ ଭୋଟିଂ ହୋଇଛି ଏହା ଦୁଃଖଦପୂର୍ଣ୍ଣ । ବିଧାୟକଙ୍କ ସହ ଆଲୋଚନା ପରେ ପର୍ଯ୍ୟବେକ୍ଷକ ରିପୋର୍ଟ ଦେବେ । ଏହାପରେ କିଛି କଠୋର ନିଷ୍ପତ୍ତି ନିଆଯିବ । କିନ୍ତୁ ଆମେ ପଛକୁ ହଟିବୁ ନାହିଁ । ସଙ୍ଗଠନ ଆମ ପାଇଁ ସର୍ବୋପରି । କଂଗ୍ରେସର ୩ ଜଣ ବରିଷ୍ଠ ନେତା ସିମଲାରେ ଅଛନ୍ତି । ଆମକୁ ଜନାଦେଶ ମିଳିଛି, ସେହି ଅନୁଯାୟୀ କାମ କରିବୁ ।