ବିହାରରେ କ୍ଷମତା ପରିବର୍ତ୍ତନ ପରେ ଉତ୍ସାହିତ ବିଜେପି । ଆରଜେଡି ଓ କଂଗ୍ରେସ ଶିବିରରେ ନିରବତା । ଏପଟେ ବିହାରରେ ପହଞ୍ଚିଲା ରାହୁଲଙ୍କ ନ୍ୟାୟ ଯାତ୍ରା

119

କନକ ବ୍ୟୁରୋ: ୧୮ ମାସ ପରେ ପୁଣିଥରେ ପଟ୍ଟ ପରିବର୍ତନ ବିହାର ରାଜନୀତିରେ ମୋଡ ବଦଳାଇଛି । ଗୋଟିଏ ପଟେ ବିଜେପି ଜେଡିୟୁ ସହ କ୍ଷମତାରେ ଆସି ଉତ୍ସାହିତ ରହିଛି । ଅନ୍ୟପଟେ ଆରଜେଡି ଓ କଂଗ୍ରେସ କ୍ଷମତାରେ ଯିବା ପରେ ମୁହଁ ଶୁଖାଇଛି । କ୍ଷମତାରୁ ଯିବା ପରେ ଆରଜେଡି ଓ କଂଗ୍ରେସ ନିରବ ରହିଛି । କିନ୍ତୁ ରାଜନୀତିରେ ପଲଟୁରାମ ଭାବେ ପରିଚିତ ନୀତୀଶ କୁମାର ହଠାତ୍ ମୋହ ଭାଙ୍ଗି ବିଜେପି ସହ ଦୋସ୍ତି କରିବା ସମସ୍ତଙ୍କୁ ଚକମା ଦେଇଛି ।

  • ବିହାରରେ ଉତ୍ସାହିତ ବିଜେପି ଶିବିର
  • ମୁହଁ ଶୁଖାଇଛି ଆରଜେଡି ଓ କଂଗ୍ରେସ!

ବିଜେପିର ନେତା ଓ କର୍ମୀମାନେ ଜୟ ଶ୍ରୀରାମ ନାରା ଦେଇଛନ୍ତି । ରାଜଭବନ ନିକଟରେ ଗେରୁଆ ପୋଷାକ ପିନ୍ଧି ଥିବା ବିଜେପି କର୍ମୀମାନେ କହିଛନ୍ତି, “ବିହାରରେ ରାମ ରାଜ୍ୟ ଆସିଛି’ । ଅନ୍ୟପଟେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବଙ୍ଗଳା ବାହାରେ ନିରବତା ଦେଖିବାକୁ ମିଳିଛି । ସେପଟେ ସାଧାରଣ ନିର୍ବାଚନରେ ଏନଡିଏ ସମସ୍ତ ଆସନରେ ବିଜୟୀ ହେବ ବୋଲି ନେତା ବିଶ୍ୱାସ ରଖିଛନ୍ତି ।

  • ନିର୍ବାଚନ ପୂର୍ବରୁ ଆରଜେଡି-କଂଗ୍ରେସକୁ ଝଟକା
  • ବିହାରରେ ପ୍ରବେଶ କଲା ରାହୁଲଙ୍କ ‘ନ୍ୟାୟ ଯାତ୍ରା’

ମହାମେଣ୍ଟ ସରକାର କ୍ଷମତାରୁ ଯିବାର ଦିନକ ପରେ ବିହାରରେ ପ୍ରବେଶ କରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ୨୦୨୦ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ରାହୁଲ ବିହାର ଆସିଛନ୍ତି । ଦୁଇ ଦିନ ପୂର୍ବରୁ ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବାରୁ ଉତ୍ସାହିତ ଥିଲେ ଦଳୀୟ କର୍ମୀ । କିନ୍ତୁ ଯେଉଁ ସମୟରେ ଭାରତ ଯୋଡ ନ୍ୟାୟ ଯାତ୍ରା ପ୍ରବେଶ କରିଛି ଏବେ ଦଳୀୟ କର୍ମୀଙ୍କ ନିକଟରେ ପୂର୍ବଭଳି ଆଉ ଜୋଶ ଦେଖିବାକୁ ମିଳିନାହିଁ । କିନ୍ତୁ ବିଜେପିକୁ ଟାର୍ଗେଟ କରି ରାହୁଲ ଗାନ୍ଧୀ ଘୃଣା ରାଜନୀତି କଥା ଉଠାଇଛନ୍ତି ।

ସାଧାରଣ ନିର୍ବାଚନକୁ ହାତରେ ଆଉ ଅଳ୍ପ ମାସ ରହିଛି । ଏପରି ସ୍ଥିତିରେ ବିହାରରେ ମହାମେଣ୍ଟ ଭଲ ପ୍ରଦର୍ଶନ କରିବ ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ଯେଉଁଭଳି ଭାବେ ନୀତୀଶ କୁମାର ପଟ ପରିବର୍ତନ କଲେ ତାହା ବିରୋଧୀ ଆରଜେଡି ଓ କଂଗ୍ରେସକୁ ବଡ ଝଟକା ଦେଇଛି ।