ମହାରାଷ୍ଟ୍ରରେ ବାଜିମାରିଲା ବିଜେପି । ଫଡନବିସଙ୍କ ଆଗରେ ଫେଲ ମାରିଲା ପାୱାରଙ୍କ ପାୱାର ।

664

କନକ ବ୍ୟୁରୋ: ରାଜ୍ୟସଭା ନିର୍ବାଚନରେ ମହାରାଷ୍ଟ୍ରର ମେଣ୍ଟ ସରକାର ମହାବିକାଶ ଅଘାଡିକୁ ଲାଗିଛି ଜୋରଦାର ଝଟକା । ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରଙ୍କ ରଣନୀତି ଆଗରେ ଫେଲ ମାରିଛି ଏନସିପି, କଂଗ୍ରେସ ଓ ଶିବସେନାର ସବୁ ଚାଲ । ମହାରାଷ୍ଟ୍ରର ୬ଟି ଆସନ ପାଇଁ ୭ଜଣ ପ୍ରାର୍ଥୀ ରହିଥିଲେ । ଏଥିରୁ ୩ଟି ଆସନରେ ବିଜେପି ଏବଂ ଏନସିପି, ଶିବସେନା ଓ କଂଗ୍ରେସରୁ ଜଣେ ଲେଖାଏଁ ସାଂସଦ ନିର୍ବାଚିତ ହୋଇଛନ୍ତି । ସେପଟେ ରାଜସ୍ଥାନରେ ବିଜେପି ବିଧାୟକଙ୍କ କ୍ରସ ଭୋଟିଂ ପାଇଁ ସରକାରୀ ଦଳ କଂଗ୍ରେସକୁ ମିଳିଛି ଜବରଦସ୍ତ ବିଜୟ ।

  • ମହାରାଷ୍ଟ୍ରରେ ବାଜିମାରିଲା ବିଜେପି
  • ଫଡନବିସଙ୍କ ଆଗରେ ଫେଲ ମାରିଲା ପୱାରଙ୍କ ପାୱାର 

ଏନସିପି ଅଧ୍ୟକ୍ଷ ଶରଦ ପୱରଙ୍କ ପାୱାରକୁ ଶକ୍ତ ଧକ୍କା ଦେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନବିସ ରାଜ୍ୟସଭା ନିର୍ବାଚନରେ ଯାଦୁକର ସାବ୍ୟସ୍ତ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ତିନି ବିଜେପି ପ୍ରାର୍ଥୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ପ୍ରାର୍ଥୀ ପିୟୁଷ ଗୋଏଲ, ଅନୀଲ ବୋଂଡେ ଏବଂ ଧନଞ୍ଜୟ ମହାଡିକ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେପଟେ ଶିବସେନାର ସଂଜୟ ରାଉତ, ଏନସିପିର ପ୍ରଫୁଲ୍ଲ ପଟେଲ ଏବଂ କଂଗ୍ରେସର ଇମରାନ ପ୍ରତାପଗଢ଼ୀ ବାଜି ମାରିଛନ୍ତି ।

  • ମହାରାଷ୍ଟ୍ରର ୬ଟି ରାଜ୍ୟସଭା ସିଟ୍ ପାଇଁ ୭ଜଣ ପ୍ରାର୍ଥୀ ଥିଲେ
  • ଷଷ୍ଠ ଆସନ ପାଇଁ ଶିବସେନାର ସଂଜୟ ପୱାର ଏବଂ ବିଜେପିର ଧନଞ୍ଜୟ ମହାଡିକଙ୍କ ମଧ୍ୟରେ ହୋଇଥିଲା କଡା ଟକ୍କର 

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଏହି ନିର୍ବାଚନ ପ୍ରତିଷ୍ଠାର ଲଢେଇ ଥିଲା । ହେଲେ ସେ ନିଜ ପ୍ରାର୍ଥୀଙ୍କୁ ଜିତାଇବାରେ ଅସଫଳ ହୋଇଛନ୍ତି । ଦେବେନ୍ଦ୍ର ଫଡନବିସ୍ଙ୍କ ରଣନୀତି ପାଇଁ ମହାବିକାଶ ଅଗାଡି ସରକାରଙ୍କ ୧୦ ଟି କ୍ରସ ଭୋଟିଂ ଫଳରେ ବିଜେପିକୁ ଏହି ବିଜୟ ମିଳିଛି ।

ଭୋଟିଂ ପରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଥିଲା ଜବରଦସ୍ତ ହଙ୍ଗାମା । କଂଗ୍ରେସ ବିଜେପି ଓ ନିର୍ଦଳୀୟ ବିଧାୟକଙ୍କ ଭୋଟ ଖାରଜ କରିବାକୁ ନିର୍ବାଚନ ଆୟୋଗ ପାଖରେ କରିଥିଲା ଅପିଲ । ସେପଟେ ବିଜେପି ମଧ୍ୟ କଂଗ୍ରେସ, ଏନସିପି ଓ ଶିବସେନାର ବିଧାୟକଙ୍କ ଭୋଟ ରଦ୍ଦ କରିବାକୁ କରିଥିଲା ଆବେଦନ । ଶୁକ୍ରବାର ମଧ୍ୟ ରାତ୍ରି ପାଖାପାଖି ଗୋଟାଏ ପରେ ପୁନଃ ଭୋଟ ଗଣତି ହୋଇଥିଲା । ଆଉ ଶନିବାର ସକାଳୁ ଯେତେବେଳେ ଫଳାଫଳ ଆସିଲା ବାଜି ପୁରା ପଲଟି ଯାଇଥିଲା । ନିର୍ଦଳୀୟ ବିଧାୟକଙ୍କ ଭୋଟ ବଳରେ ବିଜେପିକୁ ମିଳିଲା ବିପୁଳ ବିଜୟ । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ-୪୩ଟି ଭୋଟ, ଅନିଲ ବୋଂଡେ-୪୮ଟି ଭୋଟ, ଧନଞ୍ଜୟ ମହାଡିକ- ୪୧.୫୬ ଭୋଟ ମିଳିଛି । ସେପଟେ ଶିବାସେନାର ସଂଜୟ ରାଉତ- ୪୧ଟି ଭୋଟ, ଏନସିପିର ପ୍ରଫୁଲ୍ଲ ପଟେଲ – ୪୩ଟି ଭୋଟ ମିଳିଛି । ୧୦ ବିଧାୟକଙ୍କ କ୍ରସ ଭୋଟିଂ ଫଳରେ ଶିବସେନାର ଦ୍ୱିତୀୟ ପ୍ରାର୍ଥୀ ସଂଜୟ ପୱାର ହାରି ଯାଇଛନ୍ତି ।

  • ରାଜସ୍ଥାନରେ କଂଗ୍ରେସକୁ ବଡ଼ ସଫଳତା
  • ଜିତାଇ ଦେଲା ବିଜେପିର କ୍ରସ ଭୋଟିଂ

ରାଜସ୍ଥାନରେ ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ବିଧାୟକ କ୍ରସ ଭୋଟିଂ କରିବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଏହାର ଠିକ୍ ଓଲଟା ହେଲା । ବିଜେପି ପକ୍ଷରୁ କ୍ରସ୍ ଭୋଟିଂ ହେବାରୁ ବାଜି ମାରିନେଇଛି କଂଗ୍ରେସ । ବିଜେପି ବିଧାୟକ ଶୋଭାରାଣୀ କୁସୱାଙ୍କ କ୍ରସ ଭୋଟିଂ ପାଇଁ ବିଜେପିକୁ ଲାଗିଛି ବଡ ଝଟକା । କ୍ରସ ଭୋଟିଂ ପାଇଁ ହରିୟାଣାରୁ ରାଜ୍ୟସଭା ସାଂସଦ ରହିଥିବା ସୁବାଷ ଚନ୍ଦ୍ରା ନିର୍ବାଚନ ହାରି ଯାଇଛନ୍ତି । ବିଜେପି ସମର୍ଥନରେ ରାଜସଭା ରେସକୁ ଓହ୍ଲାଇଥିବା ସୁବାଷ ଚନ୍ଦ୍ରାଙ୍କୁ ଭୋଟ ନଦେଇ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଭୋଟ ଦେଇଥିଲେ ଶୋଭାରାଣୀ ।

  • ରାଜସ୍ଥାନରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହୋଇଛି 
  • କଂଗ୍ରେସର ୩ ପ୍ରାର୍ଥୀ ରଣଦୀପ ସୂର୍ଯ୍ୟେୱାଲା, ମୁକୁଲ ବାସନିକ ଓ ପ୍ରମୋଦ ତିୱାରୀ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି 
  • ବିଜେପିରେ ଜଣେ ପ୍ରାର୍ଥୀ ଘନଶ୍ୟାମ ତିୱାଡ଼ି ବିଜୟୀ ହୋଇଛନ୍ତି 
  • ନିର୍ବାଚନକେ କଂଗ୍ରେସ ପକ୍ଷରୁ କ୍ରସ ଭୋଟିଂ ନେଇ ଅନୁମାନ କରାଯାଉଥିଲା 
  • ଶୋଭାରାଣୀଙ୍କ କ୍ରସ୍ ଭୋଟିଂ ପାଇଁ ହାରିଗଲେ ସୁବାଷ ଚନ୍ଦ୍ରା

ବିଜେପି ସମର୍ଥନରେ ନିର୍ବାଚନ ଲଢୁଥିବା ସୁବାଷ ଚନ୍ଦ୍ରାଙ୍କୁ ଚକମା ଦେଇ କଂଗ୍ରେସକୁ ଭୋଟ ଦେବା ଶୋଭାରାଣୀଙ୍କୁ ପଡିଛି ଭାରି । ଦଳ ଶୋଭାରାଣୀଙ୍କୁ ନିଲମ୍ବିତ କରିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି । ସେପଟେ ବିଜେପିର ୫ଜଣ ବିଧାୟକଙ୍କ ଭୋଟ ମକ୍ ପୋଲିଂ ପାଇଁ ଖାରଜ ହୋଇ ଯାଇଛି । ଫଳରେ ବିଜେପି ସମର୍ଥନରେ ନିର୍ବାଚନ ଲଢୁଥିବା ନିର୍ଦଳୀୟ ସୁବାଷ ଚନ୍ଦ୍ରା ହାରି ଯାଇଛନ୍ତି । ଏହାର ଫାଏଦା କଂଗ୍ରେସକୁ ମିଳିଛି । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଆଉ ନିର୍ଦଳୀୟ ବିଧାୟକଙ୍କୁ ନେଇ ଟଣାଓଟରଣା ଭିତରେ ରାଜସ୍ଥାନରେ ବାଜି ମାରିନେଇଛି କଂଗ୍ରେସ । ଆଉ ଏହାପଛରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ରଣନୀତିକୁ କରାଯାଉଛି ଜବରଦସ୍ତ ପ୍ରଶଂସା ।