ବିବାଦୀୟ ହେଉଛି ଝାରପଡା ହିଂସାକାଣ୍ଡ ମାମଲା । ଲକ୍ଷ୍ମୀସାଗର ଥାନା ଘେରାଉ କଲା ବିଜେପି ।

126

କନକ ବ୍ୟୁରୋ : ଝାରପଡା ରାଜନୈତିକ ହିଂସାକାଣ୍ଡ ଘଟଣା ବିବାଦୀୟ ହୋଇପଡିଛି । ପୁଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ଜିଲ୍ଲା ବିଜେପି ଲକ୍ଷ୍ମୀସାଗର ଥାନା ଘେରାଉ କରିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ଥାନା ଆଗରେ ଧାରଣା ଦେଇଛନ୍ତି । ଭୁବନେଶ୍ୱର ଜିଲ୍ଲା ବିଜେପିର ସଂପାଦକ ରାକେଶ ଜେନାଙ୍କ ଗିରଫଦାରିକୁ ବିରୋଧ କରିଛି ଦଳ ।

ବିଜେପିର ଅଭିଯୋଗ, ଗତ ଶୁକ୍ରବାର ହୋଇଥିବା ଗଣ୍ଡଗୋଳରେ ପୁଲିସ ଚାପରେ ଆସି ବିଜେପିର ଯୁବ ନେତାଙ୍କୁ ଗିରଫ କରିଛି । କିନ୍ତୁ ପୁଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । କିନ୍ତୁ ଗଣ୍ଡଗୋଳ ନେଇ ଥାନାରେ ଅଭିଯୋଗ କରିଥିବା ବିଜେପି କର୍ପୋରେଟର ପ୍ରାର୍ଥୀଙ୍କ ଦିଅର ରାକେଶ ଜେନାଙ୍କୁ ପୁଲିସ ଉଠାଇ ଆଣିଛି । ତେଣୁ ରାକେଶ ଜେନାଙ୍କୁ ନଛାଡିବା ଯାଏଁ ଧାରଣା ଜାରି ରହିବ ବୋଲି ବିଜେପି କର୍ମୀ ଚେତାବନୀ ଦେଇଛନ୍ତି । ପୌର ନିର୍ବାଚନରେ ଶାସକ ଦଳକୁ ସୁହାଇଲା ଭଳି କାମ ପୁଲିସ କରୁଥିବା ଅଭିଯୋଗ କରିଛି ବିଜେପି ।