କନକ ବ୍ୟୁରୋ: ଭତ୍ତା ପ୍ରସଙ୍ଗରେ ଟୁଇଟ୍ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ, ଅଗଷ୍ଟ ୧୬ରୁ ବିଜେଡି ଏହି ପ୍ରସଙ୍ଗରେ ଜନ ଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି ନବୀନ ।

ସୋମବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ ସେୟାର କରି ନବୀନ ଲେଖିଛନ୍ତି, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩ ହଜାର ତଥା ୩,୫୦୦ ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଉଛି ଯେ କେବଳ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ । ତେବେ ୪୫,୦୦୦ କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ ବୋଲି ନବୀନ ଏହି ପୋଷ୍ଟରେ ଲେଖିଛନ୍ତି ।

ଅନ୍ୟପଟେ ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି ବୋଲି ନବୀନ କହିଛନ୍ତି । ତା ସହ ଏନେଇ ଅଗଷ୍ଟ ୧୬ରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବ । ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ। ପ୍ରତିଟି କର୍ମୀ ତଥା ସଚେତନ ନାଗରିକ ଏଥିରେ ସାମିଲ ହୋଇ ଲୋକଙ୍କୁ ବିଜେପିର ପ୍ରତାରଣା ବିଷୟରେ ଜାଗ୍ରତ କରିବେ ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ବିଜେଡି ସୁପ୍ରିମୋ।

ଖାଲି ସେତିକି ନୁହେଁ, ନିଜ ପୋଷ୍ଟର ଶେଷରେ ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଆଶା କରୁଛନ୍ତି, ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ । ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ।

ସୂଚନାଯୋଗ୍ୟ ଯେ, ଏଥର ସାଧାରଣ ନିର୍ବାଚନ ସମୟରେ ଲୋକଙ୍କୁ 3 ହଜାର ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ଆଉ କ୍ଷମତାକୁ ଆସିବା ପରେ ଏଥର ବଜେଟରେ ମୋହନ ସରକାର ୮୦ ବର୍ଷ ବୟସରୁ ଅଧିକ ବୟସ୍କ ଏବଂ ୮୦% ଅକ୍ଷମତା ଥିବା ଭିନ୍ନକ୍ଷମଙ୍କ ପାଇଁ ଭତ୍ତା ପରିମାଣକୁ ୩,୫୦୦ ଟଙ୍କାକୁ ବୃଦ୍ଧି କରିଥିଲେ ।