କର୍ଣ୍ଣାଟକରେ ‘ବିଜେପି ସରକାର’ ନା ‘କଂଗ୍ରେସ ସରକାର’? କାହା ହାତକୁ ଯିବ ଶାସନ କ୍ଷମତା? ନା ପୁଣି କିଙ୍ଗମେକର ହେବ ଜେଡିଏସ୍? କଣ କହୁଛି ଏକଜିଟ୍ ପୋଲ….
କନକ ବ୍ୟୁରୋ: କର୍ଣ୍ଣାଟକର ସମସ୍ତ ୨୨୪ ଆସନ ପାଇଁ ଶେଷ ହୋଇସାରିଛି ମତଦାନ । ଆସନ୍ତା ୧୩ ତାରିଖରେ ଆସିବ କର୍ଣ୍ଣାଟକ ଫଳାଫଳ । ତେବେ ଏହା ପୂର୍ବରୁ କର୍ଣ୍ଣାଟକରୁ ଆସିଛି ବୁଥ୍ ବାହୁଡା ମତ । ତେବେ ଦକ୍ଷିଣ ଭାରତର ଏହି ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳକୁ ୧୧୩ ବିଧାୟକଙ୍କ ସମର୍ଥନ ଦରକାର ଥିବାବେଳେ, କିଏ ରାଜ୍ୟରେ ଆଗାମୀ ସରକାର ଗଠନ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

Kanak News is now on WhatsApp
Join and get latest news updates delivered to you via WhatsApp
ଭିନ୍ନ ଭିନ୍ନ ଏକଜିଟ୍ ପୋଲରେ ଭିନ୍ନ ଭିନ୍ନ ତଥ୍ୟ ପ୍ରକାଶ ପାଇଛି । ତେବେ ଏକାଧିକ ଏକଜିଟ୍ ପୋଲରେ କଂଗ୍ରେସକୁ ଏଥର ଅଧିକ ସିଟ୍ ମିଳିବା ନେଇ ଅନୁମାନ କରାଯାଇଥିବାବେଳେ, କିଛି ଏକଜିଟ୍ ପୋଲରେ ବିଜେପିକୁ ମଧ୍ୟ ବହୁମତ ମିଳିବା ନେଇ ଅନୁମାନ କରାଯାଉଛି । ତେବେ କର୍ଣ୍ଣାଟକ କାହାର ହେବ? କର୍ଣ୍ଣାଟକରେ କିଏ ସରକାର ଗଢିବ ତା ଆସନ୍ତା ୧୩ ତାରିଖ ଦିନ କିନ୍ତୁ ପକ୍କା ହେଇଯିବ ।
ଏବିପି ସି-ଭୋଟର ଏକଜିଟ୍ ପୋଲର ଆକଳନ ମୁତାବକ, ଏଥର କର୍ଣ୍ଣାଟକରେ ବିଜେପିକୁ ୬୬ହୁ ୮୬ ସିଟ୍ ମିଳିବାକୁ ଥିବାବେଳେ, ବିଜେପିକୁ ୮୧ରୁ ୧୦୧ ସିଟ୍ ମିଳିପାରେ । ଅର୍ଥାତ ବହୁମତ ହାସଲ କରିବାରୁ କଂଗ୍ରେସ ଅଳ୍ପ ଦୂରରେ ରହିବ । ସେହିପରି ଜେଡିଏସକୁ ୨୦ରୁ ୨୭ ଆସନ ମିଳିବା ନେଇ ସି-ଭୋଟର ସର୍ଭେରୁ ଅନୁମାନ କରାଯାଇଥିବାରୁ, କୁମାରସ୍ୱାମୀ ପୁଣିଥରେ କର୍ଣ୍ଣାଟକରେ କିଙ୍ଗମେକର ହୋଇପାରନ୍ତି ।ସେପଟେ ଜନ୍ କି ବାତ୍ ଏକଜିଟ୍ ପୋଲରେ ମଧ୍ୟ ସେହି ସମାନ କଥା ଦେଖିବାକୁ ମିଳିଛି । କୌଣସି ବି ଦଳକୁ ବହୁମତ ନ ମିଳିବା ନେଇ ଅନୁମାନ କରିଛି ଜନ୍ କି ବାତ୍ । ଆକଳନ ମୁତାବକ ଏଥର କଂଗ୍ରେସକୁ ୯୧ରୁ ୧୦୬ ଆସନ ମିଳିବାକୁ ଥିବାବେଳେ, ବିଜେପିକୁ ୯୪ରୁ ୧୧୭ ସିଟ୍ ମିଳିପାରେ । ତା ସହିତ ଜେଡିଏସକୁ ୧୪ରୁ ୨୪ଟି ସିଟ୍ ମିଳିବା ନେଇ ଆକଳନ କରିଛି ଜନ୍ କି ବାତ୍ । ତେଣୁ ଏଥିରେ ମଧ୍ୟ ଜେଡିଏସ୍ କିଙ୍ଗ ମେକର ହୋଇପାରେ ବୋଲି କୁହାଯାଉଛି । ତେବେ ଖାଲି ଏହି ଦୁଇଟି ଏକଜିଟ୍ ପୋଲ ନୁହେଁ, ଏକାଧିକ ଏକଜିଟ୍ ପୋଲରେ କଂଗ୍ରେସକୁ ଅଧିକ ସିଟ୍ ମିଳିବାକୁ ଯାଉଥିବା କୁହାଯାଉଥିଲେ ବି କୌଣସି ଦଳ ବହୁମତ ହାସଲ କରିନପାରନ୍ତି ବୋଲି କୁହାଯାଉଛି । ଏପରି ସ୍ଥିତିରେ ଜେଡିଏସ୍ କର୍ଣ୍ଣାଟକରେ କିଙ୍ଗ୍ ମେକର ହୋଇପାରେ ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରିବା ଆରମ୍ଭ କଲେଣି ।
ସୂଚନାଯୋଗ୍ୟ ଯେ, ଏଥର ଯଦି କର୍ଣ୍ଣାଟକରେ ବିଜେପି ସରକାର ଗଠନ କରେ । ତେବେ ୩୮ ବର୍ଷ ତଳର ରେକର୍ଡ ଭାଙ୍ଗିବ । ତେବେ କଂଗ୍ରେସ କିନ୍ତୁ ବିଜେପିକୁ ହଟେଇ, ପୁଣିଥରେ କର୍ଣ୍ଣାଟକର ଶାସନ ଡୋରି ନିଜ ହାତକୁ ନେବ ବୋଲି ଦାବି କରୁଛି । ସେପଟେ ଜେଡିଏସ୍ କିନ୍ତୁ ୨୦୧୮ ଭଳି ଏଥର ବି କିଙ୍ଗ୍ ମେକର ଭୂମିକା ତୁଲାଇବ ବୋଲି କୁହାଯାଉଛି । ତେଣ ଏହାରି ଭିତରେ ଆଗାମୀ ଦିନରେ କର୍ଣ୍ଣାଟକ ରାଜନୀତି କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।
ନଜର ପକାନ୍ତୁ, ଏଥର କର୍ଣ୍ଣାଟକ ନିର୍ବାଚନର କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ…
କର୍ଣ୍ଣାଟକ
- କର୍ଣ୍ଣାଟକରେ ମୋଟ୍ ୨୨୪ ବିଧାନସଭା ସିଟ୍
- ୫୮ ହଜାର ୨୮୨ ମତଦାନ କେନ୍ଦ୍ର
- ମୋଟ୍ ୫ କୋଟି ୨୧ ଲକ୍ଷ ଭୋଟର ଅଛନ୍ତି
- ୨ କୋଟି ୫୯ ଲକ୍ଷ ମହିଳା ଭୋଟର
- ୨ କୋଟି ୬୨ ଲକ୍ଷ ପୁରୁଷ ଭୋଟର
- ୯ ଲକ୍ଷ ୧୭ ହଜାର ପ୍ରଥମଥର ଭୋଟ୍ ଦେଉଛନ୍ତି
- ୪ ହଜାର ୬୯୯ ଜଣ ତୃତୀୟ ଲିଙ୍ଗ ଭୋଟର
- ୮୦ ବର୍ଷରୁ ଅଧିକ ବୟସ୍କ ଓ ଦିବ୍ୟାଙ୍ଗ ଘରୁ ଭୋଟ୍ ଦେଇଛନ୍ତି
କାହିଁକି ଫୋକସରେ କର୍ଣ୍ଣାଟକ?
- କର୍ଣ୍ଣାଟକ ଫଳାଫଳ ଉପରେ ନିର୍ଭର କରିବ ଅନ୍ୟ ରାଜ୍ୟର ବିଧାନସଭା ନିର୍ବାଚନ
- ଲୋକସଭା ନିର୍ବାଚନକୁ ଆଉ ବର୍ଷଟିଏ ଥିବାରୁ କର୍ଣ୍ଣାଟକ ବିଜୟ ବେସ୍ ଗୁରୁତ୍ୱପୂର୍ଣ୍ଣ
- ଗୋଟିଏ ସପ୍ତାହରେ ୧୭ ରାଲି ଓ ୫ ରୋଡ୍ ସୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
- ୧୯୮୫ରୁ ଗୋଟିଏ ରାଜନୈତିକ ଦଳ ଲଗାତର ୨ଥର କ୍ଷମତାରେ ରହିନାହାନ୍ତି
- ବିଜେପିର ସବୁଠୁ ବଡ ଚେହେରା ୟେଦୁୁରପ୍ପା ନିର୍ବାଚନର ନେତୃତ୍ୱ ନେଉନାହାନ୍ତି
- ୨୦୦୮ରେ ବିଜେପିକୁ କ୍ଷମତାକୁ ଆଣିବାରେ ୟେଦୁୁରପ୍ପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା
- ୨୦୧୮ରେ ତ୍ରିଶଙ୍କୁ ବିଧାନସଭା ପରେ ସେ ୨୦୧୯ରେ ବିଜେପିକୁ କ୍ଷମତାକୁ ଆଣିଥିଲେ
- ଦୁଇ ଥରଯାକ ସଂଖ୍ୟା ଗରିଷ୍ଠତାଠାରୁ ଅଳ୍ପ ଦୂରରେ ରହିଯାଇଥିଲା ବିଜେପି
- ଚଳିତଥର କର୍ଣ୍ଣାଟକରେ ସରକାର ବିରୋଧୀ ସ୍ୱର ଖୁବ ଜୋରରେ ରହିଛି
- ସରକାର ବିରୋଧରେ ଦୁର୍ନୀତିକୁ ପ୍ରସଙ୍ଗ କରି ଜୋରଦାର ଆକ୍ରମଣ କରିଛି କଂଗ୍ରେସ
- କଂଗ୍ରେସକୁ କାଉଣ୍ଟର କରିବା ପାଇଁ ସ୍ୱତନ୍ତ୍ର ରଣନୀତି କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ
- ‘ବିଷଧର ସାପ’ ‘ଅପାରଗ ପୁଅ’ ଭଳି ବ୍ୟକ୍ତିଗତ ଆକ୍ଷେପକୁ ପ୍ରସଙ୍ଗ କରିଛନ୍ତି ମୋଦୀ
- କଂଗ୍ରେସ କିଭଳି ତାଙ୍କୁ ଗାଳି ଦେଉଛି ତାକୁ ଲୋକଙ୍କ ଆଗରେ ବାରମ୍ବାର କହିଛନ୍ତି
- କଂଗ୍ରେସ କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ୍ କରିବ ବୋଲି କହିଥିଲା
- ‘ବଜରଙ୍ଗ ଦଳ’କୁ ‘ବଜରଙ୍ଗ ବଲି’ଙ୍କ ଅପମାନ କହି କଂଗ୍ରେସକୁ ଘେରିଛନ୍ତି ମୋଦୀ
କଣ ଥିଲା ନିର୍ବାଚନ ପ୍ରତିଶ୍ରୁତି ?
କଂଗ୍ରେସ
- ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ଯାଏଁ ମାଗଣା ବିଜୁଳି
- ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ମାସିକ ୧୦ କିଲୋ ମାଗଣା ଚାଉଳ
- ଗରିବ ପରିବାରର ମହିଳା ମୁଖିଆଙ୍କୁ ପ୍ରତି ମାସ ୨ ହଜାର ଟଙ୍କାର ଆର୍ଥିକ ସହାୟତା
- ସ୍ନାତକ ଓ ଡିପ୍ଲୋମାଧାରୀ ବେକାର ଯୁବକ, ଯୁବତୀଙ୍କୁ ୨ ବର୍ଷ ଯାଏଁ ବେକାରୀ ଭତ୍ତା
- ପ୍ରତ୍ୟେକ ମହିଳାଙ୍କ ପାଇଁ ମାଗଣା ବସ୍ ପାସ୍
- ‘ପିଏଫଆଇ’ ଭଲି ରାଜ୍ୟରେ ବ୍ୟାନ୍ ହେବ ‘ବଜରଙ୍ଗ ଦଳ’
ବିଜେପି
- ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବର୍ଷକୁ ୩ଟି ମାଗଣା ଗ୍ୟାସ୍ ସିଲିଣ୍ଡର
- ଗରିବ ପରିବାରକୁ ପ୍ରତିଦିନ ଅଧ ଲିଟର ମାଗଣା କ୍ଷୀର, ମାସକୁ ୫ କିଲୋ ଖାଦ୍ୟଶସ୍ୟ
- ସମସ୍ତ ସହରାଞ୍ଚଳ ୱାର୍ଡ ଗୁଡିକରେ ‘ଅଟଳ ଆହାର କେନ୍ଦ୍ର’ ପ୍ରତିଷ୍ଠା
- ବାସହୀନ ଗରିବ ପରିବାରକୁ ୧୦ ଲକ୍ଷ ‘ପ୍ରଧାନମନ୍ତ୍ରୀ ଆବାସ’ ପ୍ରଦାନ
- ଦେଶର ଇଲେକଟ୍ରିକ ହବ୍ ହେବ କର୍ଣ୍ଣାଟକ, ବିଏମଟିସିରେ ଇଲେକଟ୍ରିକ୍ ବସ ଚାଲିବ
- କ୍ଷମତାକୁ ଫେରିଲେ ‘ୟୁନିଫର୍ମ ସିଭିଲ କୋଡ୍’ ଏବଂ ‘ଏନଆରସି’ ଲାଗୁ ହେବ