ଲୋକସଭା ନିର୍ବାଚନ ୨୦୧୯: ଓଡ଼ିଶା ଦେଲା ୮ ସାଂସଦ, ମନ୍ତ୍ରୀ ମିଳିବ କେତେ?

5,829

କନକ ବ୍ୟୁରୋ: ଏଥର ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କେତେ ଓଡ଼ିଆଙ୍କୁ ମିଳିବ ମନ୍ତ୍ରୀ ହେବାର ଭାଗ୍ୟ? ଏ ପ୍ରଶ୍ନ ଏବେ ଏଥିପାଇଁ ଉଠିଛି କାରଣ, ୧୯ ଯୁଦ୍ଧର ଫଳାଫଳରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ଖାତାକୁ ଯାଇଛି ୮ଟି ଲୋକସଭା ସିଟ୍ । ଯେଉଁଥିରେ ଅନେକ ହେଭିୱେଟଙ୍କ ନାଁ ମଧ୍ୟ ସାମିଲ ହୋଇ ରହିଛି । ସୁନ୍ଦରଗଡ଼ରୁ- ଜୁଏଲ ଓରାମ, ବାଲେଶ୍ୱରରୁ- ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବରଗଡ଼ରୁ, ସୁରେଶ ପୂଜାରୀ, ବଲାଙ୍ଗୀରରୁ ସଙ୍ଗୀତା କୁମାରୀ ସିଂହଦେଓ, କଳାହାଣ୍ଡିରୁ- ବସନ୍ତ ପଣ୍ଡା, ମୟୁରଭଞ୍ଜରୁ- ବିଶେଶ୍ୱର ଟୁଡୁ ଏବଂ ସମ୍ବଲପୁରରୁ- ନୀତିଶ ଗଙ୍ଗଦେବ ବିଜେପି ପାଇଁ ପାର୍ଲାମେଣ୍ଟ ସିଟ୍ ଅକ୍ତିଆର କରିଛନ୍ତି । ତେଣୁ ବର୍ତ୍ତମାନ ଏହି ୮ ଜଣଙ୍କ ମଧ୍ୟରୁ କିଏ ଏବଂ କେତେଜଣଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ମିଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି ।

ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଗତ ନିର୍ବାଚନ ପରେ ପରେ ଦୁଇ ଓଡ଼ିଆଙ୍କୁ ମନ୍ତ୍ରୀପଦ ସୁଯୋଗ ମିଳିଥିଲା । ଯେଉଁଥିରେ ଓଡ଼ିଶାରୁ ନିର୍ବାଚିତ ହୋଇ ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ପଦ ପାଇଥିଲେ । ସେହିଭଳି ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭା ସଦସ୍ୟଭାବେ ମନୋନୀତ ହୋଇ କେନ୍ଦ୍ରମନ୍ତ୍ରୀ ପଦ ପାଇବାର ସୁଯୋଗ ମଧ୍ୟ ମିଳିଛି । ହେଲେ ଗତ ନିର୍ବାଚନ ତୁଳନାରେ ଓଡ଼ିଶାରୁ ମାତ୍ର ଗୋଟିଏ ଲୋକସଭା ସିଟ୍ ପାଇଥିବାବେଳେ ଚଳିତ ଥର ବିଜେପିକୁ ମିଳିଛି ୮ଟି ଆସନ । ତେଣୁ ଏଥର କାହାକୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ମିଳିବ ବୋଲି ଅଙ୍କ କଷା ହେଉଥିବାବେଳେ ସର୍ବାଗ୍ରେ ରହିଛନ୍ତି ସୁନ୍ଦରଗଡ଼ ଲୋକସଭାର ବିଜୟୀ ପ୍ରାର୍ଥୀ ଜୁଏଲ ଓରାମ । କାରଣ ଗତ ନିର୍ବାଚନରେ ବିଜେପି ଯେଉଁ ଗୋଟିଏ ଆସନ ଜିତିଥିଲା ତାହାର ନାୟକ ସାଜିଥିଲେ ଜୁଏଲ ଓରାମ । ତେଣୁ ତାଙ୍କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ପଦରେ ବସାଇଥିଲେ ମୋଦି । ଏଥର ମଧ୍ୟ ମୋଦି ତାଙ୍କ ମନ୍ତ୍ରୀ ମଣ୍ଡଳରେ ଜୁଏଲଙ୍କୁ ରିପିଟ୍ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପଟେ ମୋଦି-ଶାହାଙ୍କ ବିଶ୍ୱାସ ଜିତି ବାଲେଶ୍ୱର ବିଜେଡି ଗଡ଼ରେ ‘ପଦ୍ମ’ ଫୁଟାଇବାରେ ସକ୍ଷମ ହୋଇଥିବା ବିଜେପି ପୁରୁଖା ନେତା ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ମୋଦି ଅଣଦେଖା କରିପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି । ଏପରିକି ଦୀର୍ଘ ବର୍ଷ ଧରି ସଂଘ ପରିବାରର ସଦସ୍ୟ ଭାବେ ନିବିଡ଼ ସମ୍ପର୍କ ରଖିଥିବା ପ୍ରତାପ ଏବେ ମୋଦିଙ୍କ ପ୍ରିୟ ପାତ୍ରଭାବେ ନିଜକୁ ପ୍ରମାଣିତ କରିଛନ୍ତି ଯାହା ତାଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଏଥର ସୁଯୋଗ ଦେଇପାରେ ବୋଲି ପ୍ରତାପଙ୍କ ସମର୍ଥକମାନେ ଆଶାୟୀ ରହିଛନ୍ତି ।

ସେହିଭଳି ପ୍ରଶାସିକାରୁ ପ୍ରଥମ କରି ପଲିଟିକ୍ସରେ ପାଦ ଥାପିଥିବା ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବିଜେଡି ଦୁର୍ଗକୁ ଭେଦିବାରେ ସମର୍ଥ ହୋଇଛନ୍ତି । ଆଉ ମୋଦିଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣିତ କରି ପ୍ରଥମଥର ପାଇଁ ପାର୍ଲାମେଣ୍ଟ ସିଟ୍ ଅକ୍ତିଆର କରିଛନ୍ତି ଅପରାଜିତା । ପୂର୍ବରୁ ମଧ୍ୟ କେନ୍ଦ୍ର ପ୍ରଶାସନିକସ୍ତରରେ ଅଭିଜ୍ଞତା ରଖିଥିବା ଏହି ନେତ୍ରୀଙ୍କୁ ରାଜନୀତି ମୈଦାନକୁ ଓହ୍ଲାଇ ଯେଉଁ ଫଳ ଆଶା କରୁଥିଲା ବିଜେପି ତାକୁ ପୂରଣ କରିଛନ୍ତି ଅପରାଜିତା । ଆଉ ଏବେ ପାର୍ଲାମେଣ୍ଟ ସିଟ୍ ତାଙ୍କୁ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ଦେବଇପାରିବ କି ? ଯାହାକୁ ନେଇ ଏବେ ସସପେନ୍ସ ଲାଗି ରହିଛି ।

ଏସମସ୍ତଙ୍କ ବାଦ୍ ବିଜେପିର ଜଣେ ପୁରୁଖା ନେତା ତଥା ବରଗଡ଼ ଲୋକସଭା ବିଜେତା ସୁରେଶ ପୂଜାରୀଙ୍କୁ ମଧ୍ୟ ମୋଦି ଅଣଦେଖା ନକରିପାରନ୍ତି । କାରଣ ସୁରେଶ ଛାତ୍ର ଜୀବନରୁ ଆରଏସଏସର ସଦସ୍ୟ ଥିଲେ । ଏହାପରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦ ମଧ୍ୟ ତୁଲାଇଛନ୍ତି । କେବଳ ଏତିକି ନୁହେଁ ରାଜ୍ୟ ବିଜେପିର ସ୍ଥିତି ମଜବୁତ କରିବା ସହ ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ଭଳି କାର୍ଯ୍ୟ ଦକ୍ଷତା ମୋଦିଙ୍କୁ ବେଶ୍ ପ୍ରଭାବିତ କରିଛି । ତେଣୁ ଏଥର ସୁରେଶଙ୍କୁ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ଯଦି ନମିଳେ ତାଙ୍କୁ ଥଇଥାନ୍ କରାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏସମସ୍ତଙ୍କ ବାଦ୍ ଏବେ ସମସ୍ତଙ୍କ ନଜର ରାଜ୍ୟ ବିଜେପିର ସଂଗଠକ ତଥା ହେଭିୱେଟ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ରହିଛି । ମେଣ୍ଟ ଭାଙ୍ଗିବାପରେ ତୃତୀୟ ସ୍ଥାନରେ ରହିଥିବା ଦଳକୁ ଆଜି ରାଜ୍ୟର ଦ୍ୱିତୀୟ ସ୍ଥାନ ବା ବିରୋଧୀ ଦଳଭାବେ ଛିଡ଼ା କରିବାରେ ଧର୍ମେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ଉପରେ ପୂର୍ବ ଭଳି ଭରସା ରଖିବେ ନା ଧର୍ମେନ୍ଦ୍ରଙ୍କୁ ବଦଳାଇ ତାଙ୍କ ସ୍ଥାନରେ ଆଉ କେଉଁ ନୂଆ ମୁହଁ ବା ଓଡ଼ିଆଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।