ବିଜେପି ଯୁବ ମୋର୍ଚ୍ଚାର ଶକ୍ତି ପ୍ରଦର୍ଶନ : ପୋଲିସ ସହ ଧସ୍ତାଧସ୍ତି ବେଳେ ଫାଟିଲା ସୁରକ୍ଷାକର୍ମୀ ଓ ସାମ୍ବାଦିକଙ୍କ ମୁଣ୍ଡ

ପ୍ରତିବାଦକାରୀଙ୍କୁ ଘୋଉଡାଇବା ପାଇଁ ମୁତୟନ ହେଲେ ଅଧିକ ଫୋର୍ସ

185

କନକ ବ୍ୟୁରୋ : ଲୋୟର ପିଏମଜିରେ ଆଜି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ମମିତା ମେହେର ହତ୍ୟା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା ଚାଲିଥିବା ବେଳେ, ଉତ୍ତ୍ୟକ୍ତ କର୍ମୀଙ୍କ ଉପରେ ପୁଲିସ ଲାଠିଚାର୍ଜ କରିଥିବାର ଖବର ମିଳିଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଯାଏ ହଜାର ହଜାର ବିଜେପି ଯୁବମୋର୍ଚ୍ଚା କର୍ମୀ ଲୋୟର ପିଏମଜି ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ଧାରଣାରେ ବସିଲେ ।

ଏହାପରେ ପୁଲିସ୍ ବ୍ୟାରିକେଡ ଭାଙ୍ଗି ବିଧାନସଭାକୁ ଅଗ୍ରସର ହେବାକୁ ଉଦ୍ୟମ ହେଉଥିବା ବେଳେ କେତେକ ବିଜେପି କର୍ମୀଙ୍କୁ ପୁଲିସ ଗିରଫ କରିଥିଲା। ଏହାଛଡ଼ା ପୁଲିସ ଲାଠିଚାର୍ଜ କରିଥିଲା। ପୁଲିସ ସହ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ପ୍ରତିବାଦ ଶୋଭାଯାତ୍ରା ବେଳେ ଲୋୟର ପିଏମଜିରେ ପୁଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେପି କର୍ମୀମାନେ ପୁଲିସ ଭ୍ୟାନକୁ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏଥରେ ଆରଆରବି ଯବାନ ଓ କିଛି ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି। ଏଥିରେ କେତେକ ବିଜେପି କର୍ମୀଙ୍କ ସମେତ ସାମ୍ବାଦିକଙ୍କ ମୁଣ୍ଡ ଫାଟିଥିବାର ସୂଚନା ମିଳିଛି।

ଏଣେ ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ସରକାର ବିଜେପିର ଦାବି ନ ମାନିଛନ୍ତି, ସେଯାଏଁ ଏହି ପ୍ରତିବାଦ ଜାରି ରହିବ । ଏହାକୁ ଅଆହୁରି ତୀବ୍ରତର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।