ଧାନ କିଣାକୁ ନେଇ ହଙ୍ଗାମା । ୭୨ ଘଣ୍ଟାର ମହଲତ ଦେଲା ବିଜେପି

57

କନକ ବ୍ୟୁରୋ: ମଣ୍ଡିରେ ଧାନ ଉଠାଣକୁ ନେଇ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିବା ବିଜେପି ନେତା ଓ କର୍ମୀ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ଆଜି ପୁଣି ପୁଲିସ ସହ ଠେଲାପେଲା ହୋଇଥିଲା । ଏହାପରେ ବରିଷ୍ଠ ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ଆରଡିସି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଛି ବିଜେପି । ଅନ୍ୟ ସମସ୍ୟାର ସମାଧାନ ସହ ମଣ୍ଡିରୁ ଧାନ ନଉଠିଲେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ଦଳ ।

ବିଜେପିର ହଙ୍ଗାମା ପରେ ପ୍ରେସମିଟ କରି ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଚଳିତ ବର୍ଷ ରାଜ୍ୟରେ ବମ୍ପର କ୍ରପ ହୋଇଥିବା ବେଳେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରୁ ଦୃଷ୍ଟି ହଟାଇବା ପାଇଁ ଓଡିଶାରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ରରେ ଶାସନରେ ଥିବା ଦଳ ଆନ୍ଦୋଳନ କରିବା ହାସ୍ୟାସ୍ପଦ ।
ମଣ୍ଡିରୁ ଧାନ ଉଠିବା ଦାବିରେ ଗୁରୁବାର ଦିନ ଆରଡିସି ଅଫିସ ଘେରାଉ କରିଥିଲେ ପଶ୍ଚିମ ଓଡ଼ିଶାର ବିଜେପି ସାଂସଦ ଓ ବିଧାୟକଙ୍କ ସମେତ ଦଳୀୟ ନେତା ଓ କର୍ମୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ୩ ଜଣ ସାଂସଦ ଓ ୭ ଜଣ ବିଧାୟକଙ୍କୁ ଗିରଫ କରିଥିଲା ପୋଲିସ । ଅପରାହ୍ଣରେ ସେମାନଙ୍କୁ ଛାଡି ଦିଆଯାଇଥିବା ବେଳେ ସମସ୍ୟାର ସମାଧାନ ନହେଲେ ଥାନାରୁ ବାହାରିବାକୁ ମନା କରି ଦେଇଥିଲେ ବିଜେପି ନେତା । ଏହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ଆଜି ଆରଡିସିଙ୍କ ସହ ଆଲୋଚନା ପରେ ସରକାରଙ୍କୁ ୭୨ ଘଂଟାର ମହଲତ ଦେଇଛି ବିଜେପି ।