କନକ ବ୍ୟୁରୋ : ହୋଲି ପରେ ଉତ୍ତରପ୍ରଦେଶରେ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତି କରୁଥିବା ବେଳେ ଆପ୍ ଆସନ୍ତା ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରିଛି । ପ୍ରଥମଥର ପଞ୍ଜାବରେ ସରକାର ଗଠନ କରିବାକୁ ଯାଉଥିବା ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ୍ ଆଜି ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ସହ ବିଶାଳ ରୋଡ୍ ଶୋ’ କରିଛନ୍ତି । ସେପଟେ ପୁଣିଥରେ କ୍ଷମତାକୁ ଫେରିଥିବା ଯୋଗୀ ଉତ୍ତର ପ୍ରଦେଶରେ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହ ଦଳର ବଡ଼ ବଡ଼ ନେତାକୁ ଭେଟିଛନ୍ତି ।

Advertisment

ଦେଶର ସବୁଠୁ ବଡ ରାଜ୍ୟ ୟୁପିରେ ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ରାଜ୍ୟରେ ନୂଆ କ୍ୟାବିନେଟ୍ ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଯୋଗୀ ଆଦିତ୍ୟନାଥ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । କ୍ୟାବିନେଟରେ ଏଥର ବହୁ ନୂଆ ମୁହଁକୁ ସ୍ଥାନ ମିଳିପାରେ ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଦୌଡ଼ରେ ବ୍ରାହ୍ମଣ ମୁହଁ ଭାବେ ବ୍ରିଜେଶ ପାଠକ, ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂ ଏବଂ ଆଗ୍ରାରୁ ନିର୍ବାଚନ ଜିତିଥିବା ବେବି ରାଣୀ ରହିଥିବା ଜଣାପଡ଼ିଛି । ହେଲେ ନିର୍ବାଚନରେ ହାରିବା ସତ୍ୱେ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ୟୁପି ବିଧାନସଭା ନିର୍ବାଚନରେ ବିଜେପି ୨୭୩ ଆସନରେ ବିଜୟୀ ହୋଇଛି ।

୫ଟି ରାଜ୍ୟରେ ସରକାର ଗଢିବାକୁ ଥିବା ବିଜେପି ଓ ଆମ ଆଦମୀ ପାର୍ଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଉପରେ ରହିଛି ସମସ୍ତଙ୍କ ନଜର । ଦ୍ୱିତୀୟ ଇଂନିସ ପାଇଁ ଯୋଗୀ, ପ୍ରସ୍ତୁତ ହେଉଥିବା ବେଳେ ପଂଜାବରେ ନୂଆ ସରକାର ଗଠନ ପାଇଁ ଆପ୍ ତତ୍ପର ହୋଇ ଉଠିଛି । ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପଞ୍ଜାବରେ ରୋଡ ଶୋ’ କରି ଶକ୍ତି ପଦର୍ଶନ କରିଛି ଆମ ଆଦମୀ ପାର୍ଟି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ଭଗୱନ୍ତ ମାନ ଏବଂ ଆପ୍ ମୁଖ୍ୟ ଅରବିନ୍ଦ କେଜରୀୱାଲ ଅମୃତସରରେ ରୋଡ ସୋ କରି ବିଜୟ ଦିବସ ପାଳନ କରିଛନ୍ତିି । ଏହା ପୂର୍ବରୁ ମାନ୍ ଏବଂ କେଜରିୱାଲ ଗୋଲଡେନ୍ ମନ୍ଦିର ପରିଦର୍ଶନ କରିଥିଲେ । ମାନ୍ କହିଛନ୍ତି, ଆମେ ପଞ୍ଜାବବାସୀଙ୍କୁ ଯାହା କଥା ଦେଇଥିଲୁ ସେସବୁ ପୂରଣ ପାଇଁ ଆମେ ଗୁରୁ ସାହେବଙ୍କ ଆଶୀର୍ବାଦ ନେଇଛୁ । ପଞ୍ଜାବ ଲୋକଙ୍କୁ ଆଉ ରାଜଧାନୀ ଚଣ୍ଡିଗଡ଼କୁ ଦୌଡିବାକୁ ପଡିବ ନାହିଁ ।

ମାନ୍ ତାଙ୍କ ଗାଁ ତଥା ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ପାଖ ଗାଁ ଖତକରକଲନରେ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଶପଥ ଗ୍ରହଣ କରିବେ । ୨୦୨୨ ପଂଜାବ ବିଧାନସଭା ନିର୍ବାଚନରେ ଆପ୍ ପଞ୍ଜାବର ୧୧୭ ଆସନରୁ ୯୨ଟି ଆସନରେ ବିଜୟୀ ହୋଇଛି । କ୍ୟାବିନେଟରେ ଶିକ୍ଷିତ ନେତାଙ୍କୁ ସ୍ଥାନ ମିଳିପାରେ ବୋଲି କୁହାଯାଉଛି ।