ଓଡ଼ିଶା ରାଜନୀତିରେ ବଡ ଓଲଟପାଲଟ । ୨୪ ବର୍ଷ ପରେ ବଦଳିଲା ସରକାର, ସ୍ପଷ୍ଟ ବହୁମତ ସହ ରାଜ୍ୟରେ ବିଜେପି ଯୁଗର ଆରମ୍ଭ ।

447

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ବଡ ଧରଣର ଓଲଟପାଲଟ ହୋଇଛି । ୨୪ ବର୍ଷ ପରେ ପ୍ରଥମ ଥର ପାଇଁ ରାଜ୍ୟରେ ପଟ୍ଟ ପରିବର୍ତନ ହୋଇଛି । ବିଜେଡି ହାରିଥିବାବେଳେ ପ୍ରଥମ ଥର ଲାଗି ରାଜ୍ୟରେ ବିଜେପି ଯୁଗର ଆରମ୍ଭ ହୋଇଛି । ନିର୍ବାଚନରେ ବିଜେପି ସ୍ପଷ୍ଟ ବହୁମତ ପାଇଛି । ଅନ୍ୟପଟେ ୨୪ ବର୍ଷ ପରେ ବିଜେଡିର ବଡ ପରାଜୟ ହୋଇଛି । ଉପକୂଳରୁ ଆରମ୍ଭ କରି ଦକ୍ଷିଣ, ପଶ୍ଚିମ ଓ ଉତ୍ତରରେ ଉଡିଛି ବିଜେପିର ବିଜୟ ଧ୍ୱଜା । ତେବେ ବିଜେପିର ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ତୁଙ୍ଗ ନେତା ପୂର୍ବରୁ କହି ସାରିଛନ୍ତି ।

ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଓଡିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହେଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଓଡିଶାରେ ପ୍ରଥମ ଥର ଲାଗି ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ।

ଓଡିଶାର ବିଜେପିର ବିଜୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି , ଏ ବିଜୟ କେବଳ ବିଜେପିର ନୁହେଁ ବରଂ ସାଢେ ୪ କୋଟି ଓଡ଼ିଆଙ୍କ ବିଜୟ । ଏହି ବିଜୟ ଓଡ଼ିଆ ଅସ୍ମିତା, ଭାଷା, ସଂସ୍କୃତି ଓ ପରିଚୟର ବଡ ବିଜୟ । ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।