ମହିଳା ଭୋଟ ଉପରେ ବିଜେପି ଫୋକସ୍: ବିଜେପି କରିବ ବିଶାଳ ମହିଳା ସମାବେଶ

122

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଏବେ ସାରା ଦେଶରେ ସଫେଇ ଅଭିଯାନ କରୁଛନ୍ତି ବିଜେପି ନେତା, ମନ୍ତ୍ରୀ ଓ କର୍ମକର୍ତା । ନିଜ ନିଜ ନିର୍ବାଚନ ମଣ୍ଡଳି ବୁଲି ସେଠାକାର ପ୍ରସିଦ୍ଧ ମନ୍ଦିରଗୁଡିକର ସଫେଇ କାମ ନିଜେ କରୁଛନ୍ତି । ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶର ସବୁ ମନ୍ଦିର ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୋଦୀ । ଆଉ ଏହାକୁ ପାଳନ କରିବାକୁ ଯାଇ, ହାତରେ ଛାଡୁ-ପୋଛା ଧରି ସଫେଇ କାମରେ ଲାଗି ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ବିଜେପି ନେତା ।

ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳୀୟ ଭୋଟ୍ ବ୍ୟାଙ୍କ୍ ବଢ଼ାଇବା ପାଇଁ ସେତିକି କସରତ ହେଉଛି । ଆଉ ସବୁ ରାଜନୈତିକ ଦଳର କେନ୍ଦ୍ରରେ ୩ଟି ବର୍ଗ । ମହିଳା, ଯୁବ ଏବଂ ନୂଆ ଭୋଟର୍ । ହେଲେ ସମସ୍ତଙ୍କ ଆଖିରେ ପ୍ରାୟ ଅଧା ଭୋଟର୍ । ଅର୍ଥାତ୍ ମହିଳା ଭୋଟ୍ । ଦେଶରେ ଥିବା ପ୍ରାୟ ୩୭ କୋଟି ମହିଳା ଭୋଟର୍, କୌଣସି ଦଳର ବି ସଂଖ୍ୟା ଗଡ଼ବଡ଼ କରିବାକୁ ସକ୍ଷମ ଓ ସମର୍ଥ । ସେଥିପାଇଁ ଏବେ ବିଜେପି ଫୋକସ୍୍ରେ ଓଡ଼ିଶାର ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ମହିଳା ଭୋଟର୍ । ମହିଳା ଭୋଟ୍କୁ ହାତେଇବା ପାଇଁ ଗେରୁଆ ଦଳ କରୁଛି ବଡ଼ ଯୋଜନା । ଏହାକୁ ଲକ୍ଷ୍ୟରେ ରଖି ଓଡ଼ିଶାରେ ଏକ ଜାତୀୟସ୍ତରୀୟ ମହିଳା ସମାବେଶ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ଆଉ ନାରୀ ଶକ୍ତିକୁ ନିଜ ଆଡୁକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ରୂପରେଖ ।

– ନାରୀ ଶକ୍ତି ମହିଳା ବନ୍ଦନ ବା’ ମହିଳା ସଂରକ୍ଷଣ
– ଉଜ୍ଜଳା ଯୋଜନା ବା’ ଗରିବ ମହିଳାଙ୍କ ପାଇଁ ଗ୍ୟାସ୍
– ପରିମଳ ଯୋଜନା ବା’ ଗାଁ ମହିଳାଙ୍କ ପାଇଁ ପାଇଖାନା
– ମହିଳା ସ୍ୱାବଲମ୍ବୀ ଲକ୍ଷ୍ୟ ବା’ ଋଣ ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସହାୟତା

ମହିଳା କେନ୍ଦ୍ରୀତ ଯୋଜନାକୁ ଅଧିକ ଗୁରୁତ୍ୱ ଦେବା ଲକ୍ଷ୍ୟ ରଖିଛି ଭାରତୀୟ ଜନତା ପାର୍ଟି । ଏହା ସହିତ ମହିଳାଙ୍କ ପାଇଁ ହୋଇଥିବା କେନ୍ଦ୍ର ଯୋଜାନକୁ କେମିତି ରାଜ୍ୟ ସରକାର ହାଇଜାକ କରୁଛନ୍ତି, ତାଉପରେ ଜାଗରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ରାଜ୍ୟ ବିଜେପି ।

ଏପଟେ ମହିଳା ଭୋଟ୍କୁ ନିଜର ଶକ୍ତି ବୋଲି ଧରି ଆସିଥିବା ବିଜେଡି, ବିଜେପିର କୌଣସି ରଣନୀତି ଓଡ଼ିଶାରେ କାମ ଦେବ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ମିଶନ ଶକ୍ତି ମାଧ୍ୟମରେ ରାଜ୍ୟ ସରକାର ୭୦ ଲକ୍ଷ ମହିଳାଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣି ପାରିଛନ୍ତି ବୋଲି ବିଜେଡି କହିଛି । ଏପଟେ ରାଜ୍ୟରେ ମହିଳା ଭୋଟ୍ ସବୁବେଳେ ଶାସକ ଦଳ ସପକ୍ଷରେ ରହିଥିବାରୁ ଏହାକୁ ଭାଙ୍ଗିବା ବିଜେପି ପାଇଁ ବହୁ କଷ୍ଟକର ହେବ ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ ।

ମହିଳା ଭୋଟ୍ ଯେହେତୁ ଗଣତନ୍ତ୍ରର ଗଣିତ ବିଗାଡ଼ିବାର ସାମର୍ଥ୍ୟ ରଖୁଛି, ସେଥିପାଇଁ ଉଭୟ ବିଜେପି ଓ ବିଜେଡି ୩୩% ମହିଳା ସଂରକ୍ଷଣ କଥା ଉଠାଇପାରନ୍ତି ଉଭୟ ଦଳ । ହେଲେ ଦେଖିବାକୁ ବାକି ରହିଛି- ମହିଳାଙ୍କ ପସନ୍ଦ କେଉଁ ଦଳ? ବିଜେଡି ନା’ ବିଜେପି?