ପାଟକୁରା ପାଇଁ ଆରମ୍ଭ ହେଲାଣି ପାଗଭିଡା । ପାଟକୁରା ପଡିଆରେ ଛକା ମାରିବାକୁ ଚାଲିଲାଣି ଜୋରଦାର ପ୍ରସ୍ତୁତି । ବ୍ୟାଟ୍ସମ୍ୟାନ ରେଡ୍ଡି ଥିବାବେଳେ ଦୁର୍ବଳ ସ୍ଥାନରେ ଫିଲ୍ଡର ଜଗାଇବାରେ ବ୍ୟସ୍ତ ଉଭୟ ବିଜେପି ଓ ବିଜେଡି । ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିର ହାୱା ବହିଥିବା ବେଳେ ଏଥର ପାଟକୁରା ପବନ କୁଆଡ଼େ ଯାଉଛି ତାହାରି ଉପରେ ସମସ୍ତଙ୍କ ନଜର । ଆଉ ଏତିକି ବେଳେ ବିଜେଡି ଗଡ଼ ଭେଦିବାକୁ ଦମ୍ଭ ଦେଖାଇଛି ବିଜେପି । ବିଜେଡି ପରି ବିଜେପି ବି ରଣନୀତି ପ୍ରସ୍ତୁତ କରିବାରେ ପଛରେ ପଡିନି । ପାଟକୁରା ଯାଇ ଯୋଜନା ବୈଠକ କରିଛି ବିଜେପି । କର୍ମୀଙ୍କୁ ଆକ୍ଟିଭ କରିବା ସହ ଏଥର ପାଟକୁରାରେ ବିଜେପି ବିଜୟବାନା ଉଡ଼ାଇବ ବୋଲି ଛାତି ବାଡେଇ କହିଛି । ପାଟକୁରାରେ ବିଜେପି ଜିତିବ ଆଉ ବିଜୟ ମହାପାତ୍ରଙ୍କୁ ବିଧାନସଭାକୁ ପଠାଇବ ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି । ବିଜେପି ଏଥର ନିର୍ବାଚନରେ ୨୩ଟି ଆସନ ଅକ୍ତିଆର କରିଛି ଆଉ ପାଟକୁରା ଜିତି ୨୩ରୁ ୨୪ ହେବୁ ବୋଲି ଭୃଗୁ କହିଛନ୍ତି ।

Advertisment

publive-image
ସେପଟେ ବିଜେଡି ବି ପାଟକୁରା ବିଜୟ ପାଇଁ ବଡ ପ୍ରସ୍ତୁତି ଆରମ୍ଭ କରିଛି । ପାଟକୁରା ବିଧାୟକ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରି ପଡିଆକୁ ଛାଡିଛି । ଆଉ ସାବିତ୍ରୀଙ୍କୁ ପାଟକୁରା ପାଟରାଣୀ କରିବାକୁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଫୋନି ପରେ ମେ ୧୯ରୁ ୬୦ ଦିନ ନିର୍ବାଚନ ଘୁଂଚିଥିବା ବେଳେ ଏଯାଏଁ ତାରିଖ ଘୋଷଣା ହୋଇନି । ଆଉ ତାରିଖ ଘୋଷଣା ପୂର୍ବରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଦୁଇ ଦଳ । ଖାଲି ଦେଖିବାର ବାକି ଏଥର ପାଟକୁରା କାହା ପକେଟରେ ପଡୁଛି ।