କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶା ପରିଷଦ ଗଢ଼ିବାକୁ ଅଂଟା ଭିଡ଼ିଛନ୍ତି ମୋହନ ସରକାର। ବିଶେଷ କରି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏନେଇ ସୂଚନା ଦେବା ପରେ ଚର୍ଚ୍ଚା ବଢ଼ିଛି। କିନ୍ତୁ ଏସବୁ ବିକାଶ ପରିଷଦ ଦଳୀୟ ନେତାଙ୍କ ଥଇଥାନ କେନ୍ଦ୍ର ନପାଲଟୁ। କାରଣ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଏଭିତରେ ୨୫ବର୍ଷପୂରିଛି। ହେଲେ ପରିଷଦ ତାର ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି।
ଉତ୍ତର ଓଡିଶା ବିକାଶ ପରିଷଦ ପରି ଖୁବଶୀଘ୍ର ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ ହେବ। ଏଥିପାଇଁ କମିଟି ଗଠନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଧାନସଭାରେ ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ବିକାଶ ପରିଷଦ ଗଠନ ନେଇ ନୂଆ ବିତର୍କ ଆରମ୍ଭ ହୋଇଛି । କୁହାଯାଉଛି, ବିଜେଡି ଛାଡିଥିବା ଉତର ଓଡିଶାର ଚେହେରା ମମତା ମହନ୍ତଙ୍କୁ ଉତର ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇପାରେ । ସେ କୁଡୁମୀ ସଂପ୍ରଦାୟର ହୋଇଥିବାରୁ ଏହି ସଂପ୍ରଦାୟକୁ ଟାର୍ଗେଟ କରି ବିଜେପି ତାଙ୍କୁ ଥଇଥାନ କରିପାରେ। ସେହିଭଳି ଦକ୍ଷିଣ ଓଡିଶାରେ ଦଳୀୟ ନେତାଙ୍କୁ ବି ଥଇଥାନ କରିବା କଥା ଚିନ୍ତା କରାଯାଉଛି ।
ଲକ୍ଷ୍ୟଠାରୁ ବହୁ ଦୂରରେ ପଶ୍ଚିମ ପରିଷଦ
ଥଇଥାନ କେନ୍ଦ୍ର ହେବ କି ନୂଆ ପରିଷଦ ?
ପଶ୍ଚିମ ଓଡିଶାର ବିକାଶ ପାଇଁ ୧୯୯୮ରେ ତତକାଳୀନ ସରକାର ପଶ୍ଚିମଓଡ଼ିଶା ବିକାଶ ପରିଷଦ, ଡବ୍ଲୁଓଡିସି ଗଠନ କରିଥିଲେ ।
-ଡବ୍ଲୁଓଡିସି ଅଧିନରେ ୧୦ଟି ଜିଲ୍ଲାର ବିକାଶ ଦାୟିତ୍ବ
- କେବଳ ଅଧ୍ୟକ୍ଷ ଅଛନ୍ତି, ସଦସ୍ୟ ଚୟନ ଠିକ ହେଉନାହିଁ
-ଥଇଥାନ କେନ୍ଦ୍ର ପାଲଟିଛି ଅଧ୍ୟକ୍ଷ ପଦ
-ପଶ୍ଚିମରେ ନ ରହି ଭୁବନେଶ୍ୱରରେ ଚାଲିଛି ମୁଖ୍ୟ କାର୍ଯ୍ୟାଳୟ
-ବଜେଟ ବଢୁଛି କିନ୍ତୁ ବିକାଶ ଠପ୍
ତେଣୁ ଉତ୍ତର ଓ ଦକ୍ଷିଣ ଓଡିଶା ବିକାଶ ପରିଷଦ ଯେଭଳି ଥଇଥାନ କେନ୍ଦ୍ର ନ ପାଲଟିବ ତାହା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ
ସରକାରଙ୍କ ଯୁକ୍ତି ହେଲା, ବିକାଶ ପରିଷଦ ଗଠନ ହେଲେ ଆଂଚଳିକ ବୈଷମ୍ୟ ଦୂର ହେବ । ଏବେ କମିଟି ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପରିଷଦର ସ୍ୱରୂପ ନେଇ ବିଚାର ବିମର୍ଷ ଚାଲିଛି ।