ପରବିନ୍ଦରଙ୍କ ଘରକୁ ଅନ୍ଧାରୀ ବିଜେ ଘଟଣା : ମଧ୍ୟ ବିଧାୟକ ଅନନ୍ତ ଓ ଖୋର୍ଦ୍ଧା ଡିଏସପି ଅନୁପଙ୍କ ନାଁରେ ଥାନାରେ ଅଭିଯୋଗ କଲା ବିଜେପି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ।

291

କନକ ବ୍ୟୁରୋ : ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଓ ଡିଏସପି ଅନୁପ କାନୁନଗୋଙ୍କୁ ବିରୋଧରେ ଥାନାକୁ ଗଲା ବିଜେପି । ରାତି ଅଧରେ ପରବିନ୍ଦର ପାଲସିଂଙ୍କ ଘରକୁ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଡିଏସପି ଅନୁପ କାନୁନଗୋ ଯିବାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛି ବିଜେପି। ରାତି ଅଧରେ ବିଧାୟକ ଓ ଡିଏସପି ପରବିନ୍ଦରଙ୍କ ଘରକୁ ଯାଇ ଯେଉଁଭଳି କବାଟ ବାଡେଇଛନ୍ତି ସେଥିରେ ତାଙ୍କ ପରିବାର ପୂରା ଆତଙ୍କିତ ଅଛନ୍ତି । ଯାହାର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଏପରିକି ବିଧାୟକ ଅନନ୍ତ ନାରାୟଣ ଜେନା ମାଡ ମାରିଥିବା ଅଭିଯୁକ୍ତଙ୍କ ଜାମିନ ପାଇଁ ସହଯୋଗ କରିଥିବା ବେଳେ ତାଙ୍କ ସହ ସେଲିବ୍ରେସନ ମଧ୍ୟ କରିଥିବା ନେଇ ଅଭିଯୋଗ ଆଣିଛି ବିଜେପି ।

ଏହାଛଡା କମିଶନରେଟ ପୋଲିସ ଅଧୀନରେ କାମ କରୁନଥିଲେ ମଧ୍ୟ କାହିଁକି ଖୋର୍ଦ୍ଧା ଡିଏସପି ଅନୁପ କାନୁନଗୋଙ୍କୁ ସାଥୀରେ ଆଣିଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ପରବିନ୍ଦରଙ୍କୁ ଭୟଭୀତ କରି ମାମଲା ରଫାଦଫା କରିବାକୁ ଅନନ୍ତ ଓ ଅନୁପ ଚାପ ପକାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ତେଣୁ ଅନନ୍ତ ଓ ଅନୁପଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି ।

କଣ ଥିଲା ପୂରା ଘଟଣା :

ମଙ୍ଗଳବାର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ୍ ଯୁବକଙ୍କୁ ଦିନ ଦ୍ୱିପହରରେ ମରଣାନ୍ତକ ଆକ୍ରମଣ ହେଲା । ପଥରରେ ମୁହଁକୁ ଛେଚିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା । ଆଉ ଏସବୁ ହେଉଥିଲା ପୋଲସିର ଉପସ୍ଥିତିରେ । କିନ୍ତୁ ସବୁ ଦେଖି ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା ପୋଲିସ । ତେବେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସିସିଟିଭିର ଫୁଟେଜକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ସେଭଳି କଠୋର ଦଫା ଲଗାଇନଥିଲା । ଯେଉଁଥିପାଇଁ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଅନାୟସରେ ମିଳିଥିଲା ଜାମିନ । ଆଉ ଏହି ଘଟଣାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । ଏପରିକି କାହିଁକି କଠୋର ଦଫା ଲଗାଇଲା ନାହିଁ ପୋଲିସ ଓ ୨୪ ଘଣ୍ଟା ମଧ୍ୟରେ କିଭଳି ଅଭିଯୁକ୍ତଙ୍କୁ ମିଳିଗଲା ଜାମିନ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଏହାଛଡା ବିଧାୟକ ଓ ଡିଏସପି କାହିଁକି ରାତି ଅଧରେ ପରବିନ୍ଦରଙ୍କ ଘରକୁ ଯାଇଥିଲେ ତାହାକୁ ଶାସକଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ । ତେବେ ବିଧାୟକ ଅନନ୍ତ ଜେନା କହିଛନ୍ତି, ସ୍ଥାନୀୟ ଲୋକପ୍ରତିନିଧି ହିସାବରେ ସାନ୍ତ୍ୱନା ଦେବାକୁ ପରବିନ୍ଦରଙ୍କ ଘରକୁ ଯାଇଥିଲି ।

ପୋଲିସ ଆଗରେ ବେଧଡ଼କ ଭାବେ ଆକ୍ରମଣ କରିବା, କମିସନରେଟ୍ ପୋଲିସର ଭାବମୂର୍ତିକୁ କ୍ଷୁର୍ଣ୍ଣ କରିଥିବା ବେଳେ, ଏ ବାବଦରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ କମିସନରେଟ୍ ପୋଲିସ । ଜଣେ ପୋଲିସ ଅଧିକାରୀ ରାତି ଅଧରେ ପୀଡ଼ିତ ରହୁଥିବା ଅପାର୍ଟମେଂଟକୁ ଯିବା ଅନେକ ପ୍ରଶ୍ନ ଲଗାଇଛି ।