ସରଗରମ ହେଉଛି ପଞ୍ଚାୟତ ମଇଦାନ । ହେଲେ, ଦେଖାନାହାଁନ୍ତି ତିନି କେନ୍ଦ୍ର ମନ୍ତ୍ରୀ, କାହାକୁ ନେଇ ଲଢ଼ିବେ ବିଜେପି ପ୍ରାର୍ଥୀ?

259

କନକ ବ୍ୟୁରୋ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ବିଜେପିର ପ୍ରମୁଖ ଚେହରା ପ୍ରଚାର ମଇଦାନକୁ ଆସିବେ କି ନାହିଁ ତାକୁ ନେଇ କର୍ମୀ ମହଲରେ ସନ୍ଦେହ ସୃଷ୍ଟି ହୋଇଛି । ୩ କେନ୍ଦ୍ରମନ୍ତ୍ରୀଙ୍କ ଭିତରୁ ଧର୍ମେନ୍ଦ୍ର ପ୍ରଧାନ ଉତରପ୍ରଦେଶ ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ବିଶ୍ୱେଶ୍ୱର ଟୁଡୁ ଅଫିସରଙ୍କୁ ମାଡ ମାରିବା ଅଭିଯୋଗ ଆସିବା ପରେ ଏବେ ନୂଆଦିଲ୍ଲୀରେ ଡେରା ପକାଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ, ବିଜେଡି ସହାୟତାରେ ରାଜ୍ୟସଭା ଯାଇ ମନ୍ତ୍ରୀ ହୋଇଥିବାରୁ ରାଜ୍ୟ ସରକାରଙ୍କ ପ୍ରତି ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇପାରୁନାହିଁ ।

ବିଜେପି ପାଇଁ ଭାରି ପଡିବ କି ତିନି କେନ୍ଦ୍ରମନ୍ତ୍ରୀଙ୍କ ଅଭାବ ? ପଞ୍ଚାୟତ ନିର୍ବାଚନରେ ଦଳର ମଙ୍ଗ ଧରିବାକୁ ରାଜ୍ୟ ନେତୃତ୍ୱ ସକ୍ଷମ ତ ? ଏହି ପ୍ରଶ୍ନ ସେତେବେଳେ ଉଠିଛି, ଯେତେବେଳେ ବିଜେପିର ତିନି ପ୍ରମୁଖ ଚେହେରା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱେଶ୍ୱର ଟୁଡୁ ବର୍ତମାନ ରାଜ୍ୟ ବାହାରେ ଡେରା ପକାଇଛନ୍ତି । ଏହି ପ୍ରସଙ୍ଗରେ ବିଜେପି ଶିବିର ଚୁପ୍ ଥିବା ବେଳେ  ତୃଣମୂଳ ସ୍ତରରେ କିନ୍ତୁ ନେତା ଓ କର୍ମୀଙ୍କ ଭିତରେ ଚିନ୍ତା ବଢିବାରେ ଲାଗିଛି  । ୨୦୧୭ ପଂଚାୟତ ନିର୍ବାଚନରେ ବିଜେପି ପାଇଁ ନିର୍ବାଚନର ପ୍ରଚାର ଡୋର ଥରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁହାଯାଏ ଧର୍ମେନ୍ଦ୍ରଙ୍କ ରଣନୀତି ଫଳରେ ଶାସକଦଳକୁ ଚକମା ଦେଇ ଦୁଇ ନମ୍ବର ସ୍ଥାନକୁ ଆସିଥିଲା ଦଳ । ତେଣୁ ଏବେ କେଉଁ ନେତୃତ୍ୱ ସମଗ୍ର ରାଜ୍ୟବାସୀଙ୍କୁ ପ୍ରଭାବିତ କରିପାରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ବିଜେପିର ପୋଷ୍ଟର ବୟ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ଗୁରୁତ୍ୱପୂର୍ଣ୍ଣ ୟୁପି ନିର୍ବାଚନରେ ପ୍ରଭାରୀ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଓଡିଶା ପଞ୍ଚାୟତ ନିର୍ବାଚନ ପାଇଁ ସମୟ ବାହାର କରିବା ଏକ ପ୍ରକାର ଅସମ୍ଭବ ମନେ ହୁଏ । ଅଶ୍ୱିନୀ ବୈଷ୍ଣବ । ବିଜେଡି ସହାୟତାରେ ରାଜ୍ୟସଭା ଯିବା ପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଥିବା ଏହି ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ଓଡିଶା ସରକାରଙ୍କ ପ୍ରତି ଆଭିମୁଖ୍ୟ କଣ ତାହା ଏବେ ବି ଅସ୍ପଷ୍ଟ । ବିଶ୍ୱେଶ୍ୱର ଟୁଡୁ । ୨୦୧୭ ପଞ୍ଚାୟତ ନିର୍ବାଚନରେ ମୟୁରଭଂଜରେ ଶାସକ ବିଜେଡିକୁ ଏକ ପ୍ରକାର ମୂଳପୋଛ କରିଦେଇଥିଲା ବିରୋଧୀ ବିଜେପି । ଆଉ ୨୦୧୯ ସାଧାରଣ ନିର୍ବାଚନରେ ମୟୁରଭଂଜ ଲୋକସଭା ଆସନରୁ ଜିତି ମନ୍ତ୍ରୀପଦ ହାତେଇଥିଲେ ବିଶ୍ୱେଶ୍ୱର । କିନ୍ତୁ ଅଫିସରଙ୍କୁ ମାଡ ମାରିବା ଅଭିଯୋଗ ପରେ ଏବେ ସେ ମଧ୍ୟ ଦିଲ୍ଲୀରେ ଡେରା ପକାଇଛନ୍ତି ।

ଏହାରି ଭିତରେ  କିନ୍ତୁ ଏହି ପ୍ରମୁଖ ଚେହେରାଙ୍କ ବିନା ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କ ଉପରେ ଭରସା କରି  ପଂଚାୟତ ନିର୍ବାଚନ ବୈତରଣୀ ପାର ହେବାକୁ ଅଣ୍ଟା ଭିଡିଛି ଦଳ ।